ଲିମକା ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବ ‘ଜଗା-ବଳିଆ’ଙ୍କ ଜଟିଳ ଅପରେସନ । ସାରା ବିଶ୍ୱ ଜାଣିବ କେମିତି ଅଲଗା ହୋଇଥିଲେ ଯୋଡାମୁଣ୍ଡ ଶିଶୁ

245

କନକ ବ୍ୟୁରୋ: ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇବେ ଜଗା- ବଳିଆ । ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅପରେସନ ଲିମକା ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି । ତେବେ ଏନେଇ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର ।

ଆସନ୍ତା ବର୍ଷ ଅର୍ଥାତ ୨୦୨୦ରୁ ବିଧିବଦ୍ଧ ଭାବେ ଲିମକା ବୁକରେ ଏହି ବିରଳ ଅପରେସନ ସ୍ଥାନ ପାଇବ । ତେବେ ଗତକାଲି ଏମସ ଡାକ୍ତର ଦୀପକ ଗୁପ୍ତାଙ୍କୁ ଲିମକା ତରଫରୁ ଏହି ଖୁସି ଖବର ଦିଆଯିବା ପରେ ସେ ଡା. ମହାପାତ୍ରଙ୍କୁ ଜଣାଇଥିଲେ । ତେବେ ଏହି ସଫଳତା ସାରା ଓଡିଶାବାସୀଙ୍କର, ଏ ସଫଳତା ସେହିମାନଙ୍କର ଯେଉଁମାନେ ଜଗନ୍ନାଥଙ୍କ ପାଖରେ ଦୀପ ଜାଳି ଜଗା ବଳିଆଙ୍କ ପାଇଁ ପ୍ରାର୍ଥନା କରିଥିଲେ ବୋଲି ଡା. ଅଶୋକ କହିଛନ୍ତି ।

ତେବେ ୨୦୧୭ ଅଗଷ୍ଟ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଓ ଅକ୍ଟୋବର ୨୫ରେ ୨ୟ ପର୍ଯ୍ୟାୟ ଅପରେସନ ହୋଇଥିଲା । ତତ୍କାଳୀନ ଦିଲ୍ଲୀ ଏମସ ନ୍ୟୁରୋସର୍ଜରୀ ମୁଖ୍ୟ ଡା. ଅଶୋକ ମହାପାତ୍ର ଓ ଡାକ୍ତର ଦୀପକ ଗୁପ୍ତାଙ୍କ ନେତୃତ୍ୱରେ ୧୨୫ ଜଣ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ଏହି ଜଟିଳ ଅପରେସନ କରିଥିଲେ । ଗୋଟିଏ ପଟେ ଦୀର୍ଘ ୨୫ ଘଣ୍ଟା ଧରି ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ଅପରେସନ ଚାଲିଥିବା ବେଳେ ଅନ୍ୟପଟେ ସେମାନଙ୍କ ପାଇଁ ଜଗନ୍ନାଥଙ୍କ ପାଖରେ ସାରା ଓଡିଶା କରିଥିଲା ପ୍ରାର୍ଥନା ।

ଲୋକଙ୍କ ପ୍ରାର୍ଥନା ଆଉ ଡାକ୍ତରୀ ଟିମର ବିଶ୍ୱାସ, ନିଷ୍ଠା ଏଭଳି ଜଟିଳ ଅପରେସନକୁ ସଫଳ କଲା । ଆଉ ସାରା ଦୁନିଆକୁ ଚକିତ କରିଦେଲେ ଏମସର ଡାକ୍ତରୀ ଟିମ୍ । ଆଉ ପୂରା ଟିମର ସେ ଉଦ୍ୟମକୁ, ସେ ସାହସକୁ ସ୍ଥାନ ଦେଇଛି ଲିମକା ବୁକ ଅଫ ରେକର୍ଡ ।