ଜଗାବଳିଆଙ୍କୁ ତିନିଦିନରୁ ଜ୍ୱର ! ସ୍ୱାସ୍ଥ୍ୟାବସ୍ଥା ସନ୍ତୋଷଜନକ

18

କନକ ବ୍ୟୁରୋ: ଦିଲ୍ଲୀର ଏମ୍ସରେ ଚିକିତ୍ସାଧୀନ ଥିବା ଯୋଡାମୁଣ୍ଡ ଶିଶୁ କନ୍ଧମାଳର ଜଗାବଳିଆଙ୍କୁ ଜ୍ୱର ହୋଇଛି । ତାଙ୍କୁ ଶହେରୁ ଶହେ ଏକ ଜ୍ୱର ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ଅଶୋକ ମହାପାତ୍ର । ସେ ଆହୁରି କହିଛନ୍ତି ଯେ, ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଏହା ଭାଇରଲ ଜ୍ୱର ହୋଇଥାଇପାରେ । ଏହାଛଡା ସେମାନେ କନ୍ଧମାଳ ଅଂଚଳର ହୋଇଥିବାରୁ ମ୍ୟାଲେରିଆ ଔଷଧ ବି ଦିଆଯାଉଛି । ଅପରେସନର ୩ ସପ୍ତାହ ପୁରୁଛି ।

ତେଣୁ ଅପରେସନ ହୋଇଥିବା ଷ୍ଟିଚକୁ ବି ଖୋଲିଦିଆଯାଇଛି ବୋଲି କହିଛନ୍ତି ଅଶୋକ ମହାପାତ୍ର । ଯୋଡାମୁଣ୍ଡକୁ ଅଲଗା କରିବାକୁ ଦିଲ୍ଲୀର ଏମ୍ସରେ ଦୁଇଭାଇଙ୍କ ଚିକିତ୍ସା ଚାଲିଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟ ଅପରେସନ ବି ସରିଛି । ଉଭୟଙ୍କ ଆରୋଗ୍ୟ କାମନା ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି । ଆଉ କିଛି ଦିନ ପରେ ଉଭୟଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେଶନ ହେବ ।

ଏଠାରେ ଆମେ କହି ରଖୁଛୁ କି, ଦିଲ୍ଲୀ ଏମ୍ସରେ ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ଜଗା ବଳିଆଙ୍କ ସ୍ଥିତି ସଂପୂର୍ଣ୍ଣ ଭଲ ଥିଲା । ଆଉ ଅପରେସନ ପରେ ଉଭୟଙ୍କୁ ଏମ୍ସର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଥିଲା । ଏମ୍ସରେ ୪୦ ଜଣିଆ ଡାକ୍ତରଙ୍କ ନିରୀକ୍ଷଣରେ ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ଜଗା ବଳିଆ ଭଲ ଥିବାରୁ ଏମାନେ ସଂପୂର୍ଣ୍ଣ ଅଲଗା ହୋଇ ଘରକୁ ଫେରିବେ ବୋଲି ଆଶା ସଂଚାର ହୋଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଗା ବଳିଆଙ୍କ ଯେଉଁ ଅପରେସନ ହୋଇଥିଲା ତାହା ସାରା ବିଶ୍ୱରେ ବିରଳ ତଥା ପ୍ରଥମ ଧରଣର ଅପରେସନ୍ ।

ଦୀର୍ଘ ୨୦ ଘଂଟା ଧରି ଏହି ଅପରେସନ୍ ଚାଲିଥିବା । ଡାକ୍ତରଙ୍କ ଆଗରେ ପ୍ରଥମ ଚ୍ୟାଲେଂଜ୍ ଥିଲା- ବଳିଆର ରକ୍ତ ସଂଚାଳନକୁ ଜଗାଠାରୁ ଅଲଗା କରିବା । ଏଥିପାଇଁ କୃତ୍ରିମ ଶିରାପ୍ରଶିରା ରୋପଣ କରିବାର ଆବଶ୍ୟକତା ପଡ଼ିଥିଲା । କୃତ୍ରିମ ଶିରାପ୍ରଶିରାର ଢ଼ାଂଚା ତିଆରି କରିବା ଏବଂ ଏହାକୁ ବଳିଆ ଦେହରେ ରୋପଣ କରିବା ପାଇଁ ସ୍ୱତନ୍ତ୍ର ଭାବେ ଜାପାନରୁ ଜଣେ ଡାକ୍ତରଙ୍କୁ ଡକାଯାଇଥିଲା ଏବଂ ଜାପାନର ସେହି ଡାକ୍ତର ପ୍ରଥମ ପର୍ଯ୍ୟାୟର ୨୦ ଘଂଟାର ଅପରେସନରେ ନିଜେ ନେଇଥିଲେ ୧୫ ଘଂଟା ।

ଅପରେସନରେ ଏଭଳି ଜଟିଳତା ପାଇଁ ୧୦ଟି ଦେଶର ବିଶେଷଜ୍ଞ ଡାକ୍ତରଙ୍କ ସହ ଇମେଲ୍ ଓ ଭିଡିଓ କନଫରେନସିଂ ଯୋଗେ କଥା ହୋଇଥିଲେ ଦିଲ୍ଲୀ ଏମ୍ସର ଡାକ୍ତର ଏବଂ ଦୀର୍ଘ ଦିନ ଧରି ଏହି ଆଲୋଚନା ପରେ କନ୍ଧମାଳର ଜଗାବଳିଆଙ୍କ ଅପରେସନ୍ ଆରମ୍ଭ ହୋଇଥିଲା । ଫୁଲବାଣୀର ଯାଆଁଳା ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀରେ ଅପରେସନ ପାଇଁ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଦୁଇ ଶିଶୁଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ନିଜ ରିଲିଫ ପାଣ୍ଠିରୁ ଏକ କୋଟି ଟଙ୍କା ଦେଇଥିଲେ । ପ୍ରଥମେ ଦୁଇ ଶିଶୁଙ୍କୁ କଟକ ବଡ ମେଡ଼ିକାଲ ଅଣାଯାଇ ଚିକିତ୍ସା କରାଯାଇଥିଲା । ଆଉ ପରେ ଉଭୟଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା ।

ସୂଚନାଯୋଗ୍ୟ, ଲଗାତର ମାସେ ଧରି ସବୁ ପରୀକ୍ଷା କରିବା ପରେ ସ୍ୱତନ୍ତ୍ର ଡାକ୍ତର ଟିମ୍ ନେତୃତ୍ୱରେ ଅପରେସନ ଆରମ୍ଭ ହୋଇଛି । ହସପିଟାଲରେ ଆଡମିଟ୍ ପରେ ଦୁଇ ଶିଶୁଙ୍କ ଇସିଜି, ସିଟି ସ୍କାନ, ଏମ୍ଆରଆଇ, ଅଲଟ୍ରାସାଉଣ୍ଡ ଏବଂ ଏକ୍ସରେ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ପ୍ଲାଷ୍ଟିକ ସର୍ଜରୀ, ଆନାସ୍ଥେସିଆ ଓ ସର୍ଜରୀ ବିଭାଗର ବିଶେଷଜ୍ଞ ଓ ଡାକ୍ତର ମଧ୍ୟ ସାମିଲ ଅଛନ୍ତି । ଯଦି ଏହି ବିରଳ ଅପରେସନ ସଫଳ ରହେ, ତେବ ଏହା ସଫଳ ହେଲେ ଭାରତୀୟ ଚିକିତ୍ସା ବିଜ୍ଞାନରେ ଯୋଡିଦେବ ଏକ ନୂତନ ଅଧ୍ୟାୟ ।