ସିନେମା ପାଇଁ ସୁଷମାଙ୍କୁ ଟୁଇଟ୍ ! ଶାହାରୁଖଙ୍କ ଫିଲ୍ମ ଦେଖିବାକୁ ଯାଇଥିବା ଦର୍ଶକ କହିଲେ, ମ୍ୟାଡମ୍ ଦୟାକରି ମତେ ଏଠାରୁ ଉଦ୍ଧାର କରନ୍ତୁ

28

ସୁପର୍ ୱିମେନ୍ ସୁଷମା ସ୍ୱରାଜ୍ । ଟୁଇଟ୍ ଜରିଆରେ କୌଣସି ଅଭିଯୋଗ ବା ସାହାଯ୍ୟ ମାଗିଲେ ସାଙ୍ଗେ ସାଙ୍ଗେ ଆଗେଇ ଆସିଥାନ୍ତି । ତେଣିକି ଅଭିଯୋଗକାରୀ ବା ପୀଡିତ ଜଣକ ବିଶ୍ୱର ଯେକୌଣସି କୋଣରେ ଥାନ୍ତୁ ନା କାହିଁକି । ତେଣୁ ଅଧିକାଂଶ ଲୋକ ସମସ୍ୟାର ସମ୍ମୁଖୀନ ହେଲେ ସୁଷମା ସ୍ୱରାଜଙ୍କୁ ପ୍ରଥମେ ଟୁଇଟ୍ କରିଥାନ୍ତି । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ବିଶାଲ ସୂର୍ଯ୍ୟବଂଶୀ ।

ବିଶାଲ୍ ନିକଟରେ ସୁଷମାଙ୍କୁ ଟ୍ୟାଗ୍ କରି ଏକ ଟୁଇଟ୍ କରିଛନ୍ତି । ଯାହା ଏବେ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶାଲ୍ ଏହି ଟୁଇଟରେ ଲେଖିଛନ୍ତି ‘ମ୍ୟାମ୍ ମୁଁ ପୁନେରେ ଜବ୍ ହ୍ୟାରୀ ମେଟ୍ ସେଜଲ୍ ଦେଖୁଛି । ଦୟାକରି ମତେ ଏଠୁ ଉଦ୍ଧାର କରନ୍ତୁ । ବିଶାଲଙ୍କ ଏହି ଟୁଇଟ୍ ଏବେ ଭାଇରାଲ୍ ହେବାରେ ଲାଗିଛି ଏବଂ ପ୍ରାୟ ୧୦୦୦ଥର ରିଟୁଇଟ୍ ମଧ୍ୟ କରାଯାଇଛି ।

ଏବେ ଆପଣ ଭାବୁଥିବେ ସିନେମା ହଲରେ ବିଶାଲ ବୋଧେ କୌଣସି ବଡ ଧରଣର ସମସ୍ୟାର ସମ୍ମୁଖୀନ ହୋଇଥିବେ । ନଚେତ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟୁଇଟ୍ କରି ନଥାନ୍ତେ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ କୌଣସି ସମସ୍ୟା ପାଇଁ ନୁହେଁ ବରଂ ସିନେମା ପାଇଁ ଟୁଇଟ୍ କରିଥିଲେ । ଅର୍ଥାତ୍ ସିନେମାଟି ବକ୍ସ ଅଫିସରେ ନାକେବଳ ଫ୍ଲପ୍ ହୋଇଛି ବରଂ ଏମିତି ବୋରିଂ ହୋଇଛି ଯେ ବିଶାଲ୍ ସୁଷମା ସ୍ୱରାଜଙ୍କୁ ଉଦ୍ଧାର କରିବା ପାଇଁ ଟୁଇଟ୍ କରିଥିଲେ । ଯଦିଓ ବିଶାଲ୍ ସିରିୟସ୍ ହୋଇ ଟୁଇଟ୍ କରିନଥିଲେ କେବଳ ସିନେମା କେତେ ଖରାପ ବୋଲି ଜଣାଇବା ପାଇଁ ଏପରି କରିଥିଲେ । ତେବେ ଏହି ଟୁଇଟ୍ ଉପରେ ସୁଷମା କୌଣସି ଉତ୍ତର ଦେଇନାହାଁନ୍ତି  ।

ଶୁକ୍ରବାର ରିଲିଜ୍ ହୋଇଛି ବଲିଉଡ୍ ବାଦଶାହା ଶାହାରୁଖ୍ ଖାନ୍ ଏବଂ ଅନୁଷ୍କା ଶର୍ମାଙ୍କ ସିନେମା ‘ଜବ୍ ହ୍ୟାରୀ ମେଟ୍ ସେଜଲ୍’ । ହେଲେ ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଛି ବାଦଶାହାଙ୍କ ଏହି ସିନେମା । ଶାହାରୁଖଙ୍କ ଗତ ୫ବର୍ଷ ଭିତରେ ଆସିଥିବା ସିନେମା ମଧ୍ୟରୁ ଏହା ହେଉଛି ସବୁଠାରୁ କମ୍ କଲେକ୍ସନ୍ କରିଥବା ସିନେମା । ଏହି ସିନେମା କେତେ ଫ୍ଲପ୍ ହୋଇଛି ତାହା ଉପରୋକ୍ତ ଘଟଣାରୁ ସ୍ପଷ୍ଟ ଅନୁମାନ କରାପାରୁଥିବେ ।