ଇସ୍ରୋରୁ ଆସିଲା ଖୁସି ଖବର । ଲ୍ୟାଣ୍ଡର ‘ବିକ୍ରମ’ର ମିଳିଲା ପତ୍ତା । ଅର୍ବିଟରରୁ ମିଳିଥିବା ଫଟୋରୁ ଜଣାପଡିଲା ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ର ସଠିକ୍ ସ୍ଥିତି ।

10,289

କନକ ବ୍ୟୁରୋ : ଚନ୍ଦ୍ରଯାନ ୨ ମିଶନରେ ନିଖୋଜ ଲ୍ୟାଣ୍ଡର ବିକ୍ରମର ମିଳିଲା ପତା । ଚନ୍ଦ୍ର ଚାରିପଟେ ଘୁରି ବୁଲୁଥିବା ଅର୍ବିଟର ଏହାର ଫଟୋ ନେଇଛି । ଅର୍ବିଟରରୁ ଇସ୍ରୋକୁ ଫଟୋ ମିଳିବା ପରେ ଲ୍ୟାଣ୍ଡର ବିକ୍ରମ ନେଇ ତଥ୍ୟ ଦେଇଛି ଇସ୍ରୋ । ଏବେ ଅର୍ବିଟର ଚନ୍ଦ୍ର ପୃଷ୍ଠରୁ ମାତ୍ର ୧୦୦ କିଲୋମିଟର ଉପରେ ଚନ୍ଦ୍ରକୁ ଏକ ନିର୍ଦ୍ଦିଷ୍ଟ କକ୍ଷ ପଥରେ ପରିକ୍ରମଣ କରୁଛି । ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ କହିଛନ୍ତି ଅର୍ବିଟର ଲ୍ୟାଣ୍ଡରର ଥର୍ମାଲ ପିକ୍ଟଚର ମିଳିଛି । ଏହି ଫଟୋ ଅନୁସାରେ ଲ୍ୟାଣ୍ଡର ବିକ୍ରମର ସଠିକ୍ ସ୍ଥିତି ଜଣାପଡିଛି । ତେବେ ଏହା ସହିତ ଯୋଗାଯୋଗ ସ୍ଥାପନ ହୋଇପାରିନାହିଁ । ଆଗକୁ ଲ୍ୟାଣ୍ଡର ସହିତ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଉଛି ।

ଲ୍ୟାଣ୍ଡରର ଫଟୋ ମିଳିବା ପରେ ଏବେ ଏହାକୁ ନେଇ ଆହୁରି ତଥ୍ୟ ସ୍ପଷ୍ଟ ହେବାର ସଂଭାବନା ସୃଷ୍ଟି ହୋଇଛି । ଚନ୍ଦ୍ରଯାନ ୨ରେ ଥିବା ଅର୍ବିଟର ଠାରୁ ଅଲଗା ହୋଇ ବିକ୍ରମ ଚନ୍ଦ୍ର ପୃଷ୍ଠ ଆଡକୁ ଗତି କରିଥିଲା । ଚନ୍ଦ୍ର ପୃଷ୍ଠର ମାତ୍ର ୨ . ୧ କିଲୋମିଟର ଉଚ୍ଚତାରୁ ସଫ୍ଟ ଲ୍ୟାଣ୍ଡିଂ କରୁଥିବା ବେଳେ ବିକ୍ରମ ସହିତ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା । କିନ୍ତୁ ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦକ୍ଷଣ କରୁଥିବାରୁ ଏହି ଅର୍ବିଟର ମାଧ୍ୟମରୁ ହିଁ ବିକ୍ରମର ସଠିକ୍ ଅବସ୍ଥିତି ଜାଣିହେବ ବୋଲି ଆଶା କରାଯାଉଥିଲା । ଏବଂ ଆଜି ତାହା ହିଁ ହେଲା । ଇସ୍ରୋକୁ ଅର୍ବିଟର ଫଟୋ ପଠାଇବା ପରେ ବିକ୍ରମର ଅବସ୍ଥିତି ଏବେ ଜଣାପଡିଛି । ୨୩ ଶହ ୭୯ କେଜି ଓଜନର ଅର୍ବିଟରରେ ରହିଛି ୮ ଟି ପେ’ଲୋଡ୍ । ଏହା ଚନ୍ଦ୍ର ପୃଷ୍ଠର ମ୍ୟାପିଂ କରି ତଥ୍ୟ ପଠାଇବା ଏହାର ମୁଖ୍ୟ କାମ । ଅର୍ବିଟର ଏକ ବର୍ଷ ପାଇଁ କାମ କରିବା ଯୋଜନା ଥିବା ବେଳେ ଏହାର ଜୀବନ କାଳ ୭ ବର୍ଷ ରହିଛି ବୋଲି ଇସ୍ରୋ କହିଛି ।