ଆମେରିକା ପରେ ମାନିଲା ଆଇଏସଆଇଏସ । ବାଗଦାଦିର ମୃତ୍ୟୁ ନେଇ ସ୍ପଷ୍ଟ କଲା, ନୂଆ ଉତ୍ତରାଧିକାରୀର ନାଁ ଘୋଷଣା କଲା ।

686

କନକ ବ୍ୟୁରୋ : ଆମେରିକା ପରେ ମାନିଲା ଆଇଏସଆଇଏସ । ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ବାଗଦାଦି ଆମେରିକା ସେନାର ଅପରେସନରେ ନିହତ ହୋଇଥିବା କଥା ସ୍ୱୀକାର କଲା ଆତଙ୍କୀ ସଙ୍ଗଠନ ଆଇଏସଆଇଏସ । ଏନେଇ ଅଡିଓ ଟେପ ଜାରି କରି ସ୍ପଷ୍ଟ କରିଛି ଆଇଏସଆଇଏସ ।

ବିଶ୍ୱର ଏହି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ଆମେରିକା ସେନା କୁକୁର ଭଳି ମାରିଥିବା କହିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାଗଦାଦି ଲୁଚିଥିବା ସୁଡଙ୍ଗ ଉପରେ ପ୍ରଥମେ ବୋମା ପକାଇ ଏହାକୁ ଧ୍ୱଂସ କରିଥିଲା ଆମେରିକା ସେନା । ପରେ ପୂରା ସୁଡଙ୍ଗକୁ ଘେରିଯିବା ଫଳରେ ଶେଷରେ ନିଜକୁ ଆତ୍ମଘାତୀ ବିସ୍ପୋରଣରେ ଉଡାଇ ଦେଇଥିଲା ବାଗଦାଦି । କେବଳ ନିଜେ ମରିନଥିଲା ବରଂ ନିଜର ୩ ପୁଅଙ୍କୁ ମଧ୍ୟ ଏହି ବିସ୍ଫୋରଣରେ ଉଡାଇ ଦେଇଥିଲା ଏହି ନରରାକ୍ଷସ । ବାଗଦାଦି ନିହତ ହେବା ପରେ ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ମୁଖ୍ୟ କିଏ ହେବ ତାହା ଉପରେ ପୂରା ବିଶ୍ୱର ନଜର ରହିଥିଲା । ଆଉ ଆଜି ଅଡିଓ ଟେପ୍ ମାଧ୍ୟମରେ ବାଗଦାଦିର ମୃତ୍ୟୁ ଖବର ସ୍ପଷ୍ଟ କରିବା ସହ ଉତ୍ତରାଧିକାରୀର ନାଁ ଘୋଷଣା କରିଛି ଆଇଏସଆଇଏସ । ଅବୁ ଇବ୍ରାହିମ ଅଲ ହସମି ଅଲ କ୍ୟୁରେସୀକୁୁ ବାଗଦାଦିର ଉତ୍ତରାଧିକାରୀ ଭାବେ ଘୋଷଣା କରିଛି ଆଇଏସଆଇଏସ ।