ଲୋକମାନଙ୍କ ଦୈନନ୍ଦୀନ ଜୀବନର ଏକ ଅଂଶ ପାଲଟିଯାଇଥିବା ବିଶ୍ୱର ଏକ ନମ୍ବର ମୋବାଇଲ୍ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ୍ ପ୍ରତି ଭାରତରେ ବିପଦ ସୃଷ୍ଟି ହୋଇଛି । ଭାରତ ସରକାର ଜାରି କରିବାକୁ ଯାଉଥିବା ଏକ ନୂଆ ନିୟମ କଂପାନିକୁ ଅଡ଼ୁଆ ପରିସ୍ଥିତିରେ ପକାଇଛି । ଯଦି ସେହି ନିୟମ ଲାଗୁ ହେବ ତେବେ ଏଠାରେ କାରବାର କରିବା ବହୁତ କଷ୍ଟକର ହେବ ବୋଲି କଂପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ନୂଆ ନିୟମ ଲାଗୁ ହେଲେ ଭାରତ ଛାଡ଼ିବା ବିଷୟକୁ ଅସ୍ୱୀକାର କରିହେବ ନାହିଁ ବୋଲି ସେ କହିଛନ୍ତି। ସାରା ବିଶ୍ୱରେ ହ୍ୱାଟସଆପ୍ ପାଇଁ ସବୁଠୁ ବଡ଼ ବଜାର ହେଉଛି ଭାରତ। ଏଠାରେ ହ୍ୱାଟସଆପକୁ ୨୦ କୋଟି ଲୋକ ବ୍ୟବହାର କରୁଛନ୍ତି। ସାରା ବିଶ୍ୱରେ ଏହି ଆପକୁ ୧୫୦ କୋଟି ଲୋକ ବ୍ୟବହାର କରୁଛନ୍ତି। ମିଥ୍ୟା ଖବରର ପ୍ରସାର ରୋକିବା ପାଇଁ ହ୍ୱାଟସଆପରେ ଆଦାନପ୍ରଦାନ ହେଉଥିବା ବାର୍ତାର ଉତ୍ସ ବିଷୟରେ ସୂଚନା ଦେବାକୁ ସରକାର କଂପାନି ଉପରେ ଚାପ ପକାଉଛନ୍ତି। ଏହା ସମ୍ଭବ ନୁହେଁ ବୋଲି କଂପାନିର ଜଣେ ଅଧିକାରୀ କହିଛନ୍ତି। ଲୋକମାନଙ୍କ ବାର୍ତାର ଗୋପନୀୟତାକୁ ନିଶ୍ଚିତ କରିବା ପାଇଁ କଂପାନି ପକ୍ଷରୁ ଏଣ୍ଡ୍ ଟୁ ଏଣ୍ଡ୍ ଏନକ୍ରିପସନ୍ ସୁବିଧା ପ୍ରଦାନ କରାଯାଉଛି। ତେଣୁ ବାର୍ତାର ଉତ୍ସ କଂପାନି ଜାଣିପାରିବ ନାହିଁ। ଭାରତ ସରକାର ଯାହା ଚାହୁଁଛନ୍ତି ତାହା କରିବାକୁ ହେଲେ ହ୍ୱାଟସଆପକୁ ଏହାର ସମ୍ପୂର୍ଣ୍ଣ ବ୍ୟବସ୍ଥା ବଦଳାଇବାକୁ ପଡ଼ିବ। ଏହା ହେଲେ ଲୋକଙ୍କ ମେସେଜର ଗୋପନୀୟତା ରହିବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି। ନିକଟ ଅତୀତରେ ମିଥ୍ୟା ଖବର ଯୋଗୁ ଭାରତରେ ଅନେକ ଅଘଟଣ ଓ ହିଂସାକାଣ୍ଡ ଘଟିଛି। ହ୍ୱାଟସଆପରେ ମିଥ୍ୟା ଖବର ପ୍ରଚାର ଯୋଗୁ ଏଭଳି ଘଟଣାମାନ ଘଟୁଥିବା ଜାଣିବା ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଯେକୌଣସି ଉପାୟରେ ମିଥ୍ୟା ଖବର ପ୍ରସାର ରୋକିବାକୁ କଂପାନିକୁ କହିଛନ୍ତି। ଏଦିଗରେ ଲୋକମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ କଂପାନି ବିପୁଳ ପରିମାଣର ବିଜ୍ଞାପନ ପ୍ରଦାନ କରୁଛି। ତଥାପି ମିଥ୍ୟା ଖବରକୁ ରୋକାଯାଇପାରୁନାହିଁ। ଖବର ଉତ୍ସ ଜାଣିବା ଜିଦରେ ସରକାର ଅଟଳ ରହିଛନ୍ତି। କଂପାନିର ଅଧିକାରୀମାନଙ୍କ ସହିତ ବାରମ୍ବାର ଆଲୋଚନା କରାଯାଉଛି। ଆଗାମୀ ଦିନରେ କ’ଣ ହେବ, ସେବିଷୟରେ କିଛି ବି ଆକଳନ କରାଯାଇପାରିବ ନାହିଁ ବୋଲି କଂପାନିର ଅଧିକାରୀ ଜଣକ କହିଛନ୍ତି।

Advertisment

publive-image

କେଉଁ ନିୟମ ?

ହ୍ୱାଟସଆପରେ ମିଥ୍ୟା ଖବର ପ୍ରସାର ବଢ଼ିଯିବା ପରେ ସରକାର ବହୁତ ଚିନ୍ତିତ ହୋଇପଡ଼ିଛନ୍ତି। କେଉଁ ଠାରୁ ମିଥ୍ୟା ଖବର ମେସେଜ୍ ଆସୁଛି ତାହା ଜଣାଇବା ପାଇଁ ସରକାର କଂପାନିକୁ କହିଛନ୍ତି। ଯେହେତୁ ହ୍ୱାଟସଆପ ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପ୍ସନ୍ ସୁବିଧା ପ୍ରଦାନ କରୁଛି, ତେଣୁ ଏଥିରେ ଆଦାନ ପ୍ରଦାନ ହେଉଥିବା ବାର୍ତାକୁ କେବଳ ପଠାଉଥିବା ଏବଂ ପାଉଥିବା ବ୍ୟକ୍ତି ଦେଖିପାରିବେ। ଏଭଳିକି ହ୍ୱାଟସଆପ ମଧ୍ୟ ସେହି ବାର୍ତାକୁ ଦେଖିପାରିବ ନାହିଁ। ଏଭଳି ପରିସ୍ଥିତିରେ ମେସେଜର ଉତ୍ସ ଜାଣିବାର କୌଣସି ଉପାୟ କଂପାନି ପାଖରେ ନାହିଁ।