ଅମୃତସରରେ ବିସ୍ଫୋରଣ ଘଟଣାରେ ଏନଆଇଏକୁ ମିଳିଲା ସାଂଘାତିକ ତଥ୍ୟ ! ହମଲା ପଛରେ ପାକିସ୍ତାନର ହାତ ସନ୍ଦେହ ।

219

କନକ ବ୍ୟୁରୋ : ପଂଜାବ ଅମୃତସର ବିସ୍ଫୋରଣ ଘଟଣାରେ ଏନଆଇଏକୁ ମିଳିଲା ନୂଆ ତଥ୍ୟ । ବିସ୍ଫୋରଣରେ ବ୍ୟବହାର ହୋଇଛି ଏଚଇ-୩୬ ସିରିଜର ଗ୍ରେନେଡ୍ । ଯାହା ପାକ୍ ଆର୍ମି ବ୍ୟବହାର କରେ । କେବଳ ଏତିକି ନୁହେଁ ଏହା ପଛରେ ମୁମ୍ବାଇ ହାମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ଭୂମିକା ଥିବା ମଧ୍ୟ ସୂଚନା ମିଳିଛି  । ଖଲିସ୍ତାନ ସମର୍ଥକ ଆତଙ୍କୀ ଗୋପାଳ ସିଂହ ଚାୱଲା, ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଓ ହାଫିଜ ସୟିଦ ସହ ମିଶି ପଂଜାବରେ ଆତଙ୍କ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରୁଥିବା ଏନଆଇଏକୁ ସୂଚନା ମିଳିଛି । ସେପଟେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି ।

ପଂଜାବ ଅମୃତସର ବିସ୍ଫୋରଣ ଘଟଣାକୁ ନେଇ ତଦନ୍ତକାରୀ ସଂସ୍ଥାର ନୂଆ ଖୁଲାସା । ଏହି ବିସ୍ଫୋରଣ ପଛରେ ମୁମ୍ବାଇ ହାମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ସମ୍ପୃକ୍ତି ଥିବା ନେଇ ଏନଆଇଏ ସୂଚନା ଦେଇଛି । ଦିଲ୍ଲୀର ଯାଂଚ ଏଜେନ୍ସି ମାନଙ୍କୁ ନେଇ ବସିଥିବା ବୈଠକରେ ପାକିସ୍ତାନରେ ଥିବା ଖଲିସ୍ତାନ ସମର୍ଥକ ଆତଙ୍କୀ ଗୋପାଳ ସିଂହ ଚାୱଲାଙ୍କୁ ନେଇ ଅନେକ ସୂଚନା ଦିଆଯାଇଥିଲା । ଗୋପାଳ ସିଂହ ଚାୱଲା ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଓ ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦ ସହ ମିଶି ପଂଜାବରେ ଆତଙ୍କ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରୁଥିବା ସୂତ୍ରରୁ ଜଣାପଡିଛି  ।

କିଛି ମାସ ପୂର୍ବରୁ ମଧ୍ୟ ଖଲିସ୍ତାନ ସମର୍ଥକ ଆତଙ୍କୀ ଗୋପାଳ ସିଂହ ଚାୱଲା ଓ ହାଫିଜ ସୟିଦ ମଧ୍ୟରେ ବୈଠକ ହୋଇଥିବା ଗୁଇନ୍ଦା ସୂଚନା ମିଳିଥିଲା । ସେପଟେ ନରଙ୍କାର ସତସଙ୍ଗ ଭବନକୁ ବାଇକରେ ଆସି ଗ୍ରେନେଡ ବିସ୍ଫୋରଣ କରିଥିବା ୨ ସନ୍ଦିଗ୍ଧଙ୍କ ଚେହେରା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହାର ଯାଂଚ ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ ଜାରି କରାଯାଇଛି ।

ମୁକେଶ ସିଂଙ୍କ ନେତୃତ୍ୱରେ ଏନଆଇଏ ଅଧିକାରୀମାନେ ବିସ୍ଫୋରଣ ସ୍ଥଳ ଓ ଏହାର ଆଖପାଖ ଅଂଚଳରେ ତଦନ୍ତ ଚଳାଇଛନ୍ତି । ବିସ୍ଫୋରଣକୁ ନଜରରେ ରଖି ପଂଜାବ, ହରିଆଣା, ଦିଲ୍ଲୀ ଓ ଏନସିଆରରେ ହାଇଆଲର୍ଟ ଜାରି କରାଯାଇଛି । ପଂଜାବ ପୁଲିସ ଭଟିଣ୍ଡା ନିକଟରେ ଚେକିଂ ବେଳେ ଦୁଇ ସନ୍ଦିଗ୍ଧଙ୍କୁ ଗୋଟିଏ ପିସ୍ତଲ ଓ ତିନି ମ୍ୟାଗାଜିନ ସହ ଗିରଫ କରିଛି । ସେପଟେ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ।

ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଆପ୍ ନେତା ଏଚଏସ୍ ଫୁଲକାଙ୍କ ବୟାନକୁ ନିନ୍ଦା କରାଯାଉଥିବାବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି ଉଠୁଛି । ଅମୃତସର ଆକ୍ରମଣ ଘଟଣାକୁ ନେଇ ଫୁଲକା ସେନାଧ୍ୟକ୍ଷ ବିପିନ ରାୱତଙ୍କୁ ଦାୟୀ କରିଥିଲେ । ତେବେ ଏନେଇ ବିବାଦ ବଢୁଥିବା ଦେଖି ସେ ଏହି ବୟାନ ପାଇଁ କ୍ଷମାପ୍ରର୍ଥନା କରିଛନ୍ତି । ସେପଟେ କିନ୍ତୁ ଏହି ବିସ୍ଫୋରଣ ପାଇଁ ସେନାଧ୍ୟକ୍ଷଙ୍କୁ ଦାୟୀ କରାଯାଇଥିବାରୁ ପଂଜାବ କଂଗ୍ରେସ ଫୁଲକାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ।

ରବିବାର ଦିନ ରାଜାସାନ୍ସି ଅଂଚଳର ନିରଂକରୀ ଭବନରେ ହୋଇଥିବା ହମଲାରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୨୦ଜଣ ଆହତ ହୋଇଥିଲେ । ନିକଟରେ କାଶ୍ମୀରର ଦୁର୍ଦ୍ଦାନ୍ତ ଆତଂକବାଦୀ ଜାକିର ମୁସା ପଞ୍ଜାବରେ ପ୍ରବେଶ କରିବା ନେଇ ଗୁଇନ୍ଦା ଏଜେନ୍ସି ସୂଚନା ଦେଇଥିଲେ । ଏହାକୁ ନେଇ ପୂରା ରାଜ୍ୟରେ ହାଇ ଆର୍ଲଟ ଥିବାବେଳେ ଘଟଣା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।