ଲାଲଗଡରୁ ଆରମ୍ଭ ହେଲା ପୋଲିସ ଡିଜିଙ୍କ ୬ ସୂତ୍ରୀ ଫର୍ମୁଲା । ନକ୍ସଲ ପ୍ରଭାବିତ ଅଞ୍ଚଳକୁ ଅଭୟଙ୍କ ପ୍ରଥମ ଗସ୍ତ ଦେଉଛି ଅନେକ ସଂକେତ ।

172

କନକ ବ୍ୟୁରୋ : ଲାଲଗଡରେ ପୋଲିସ ଡିଜି ଅଭୟ । ରାଜ୍ୟ ପୋଲିସ ମୁଖିଆ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଗସ୍ତରେ କୋରାପୁଟରେ ପହଞ୍ଚିଛନ୍ତି ଅଭୟ । ଏସପିଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ପଶ୍ଚିମ ଓଡିଶା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି ଡିଜିପି । ବୈଠକରେ ଗୁଇନ୍ଦା ବିଭାଗ ଆଇଜି ଆର କେ ଶର୍ମା,ଆଇଜି ଅପରେସନ ଅମିତାଭ ଠାକୁର , ଏଡିଜି ଆଇନ ଶୃଙ୍ଖଳା ଡିଏସ କୁଟ୍ଟେ, ଦକ୍ଷିଶ ପଶ୍ଚିମାଚଂଳ ଡିଆଇଜି ସମେତ ୬ଟି ଜିଲ୍ଳାର ଏସପି ବୈଠକରେ ଉପସ୍ଥିତ ରହିଥିବା ବେଳେ ଅଭୟଙ୍କ ଏହି ଗସ୍ତ ଅନେକ କିଛି ସଂକେତ ଦେଉଛି ।

ସୋମବାର ଡିଜିପି ଭାବେ ଦାୟିତ୍ୱ ନେବା ଓ ଶନିବାର ପ୍ରଥମ ଗସ୍ତରେ ନକ୍ସଲ ପ୍ରଭାବିତ କୋରାପୁଟ ଅଞ୍ଚଳକୁ ବାଛିବା ପଛରେ ଅଭୟଙ୍କର ମାଓ ଦମନ ରଣନୀତିର କଥା ସାମ୍ନାକୁ ଆସୁଛି । କାରଣ ଡିଜିପି ଭାବେ ଦାୟିତ୍ୱ ନେବା ପରେ ଅଭୟ ଯେଉଁ ୬ ସୂତ୍ରୀ ଫର୍ମୁଲାକୁ ନେଇ ଆଗକୁ ବଢିବେ ବୋଲି ସୂଚନା ଦେଇଥିଲେ ସେଥିରେ ମାଓ ଦମନ ପାଇଁ ସଂକେତ ଦେଇଥିଲେ । ଆଉ ଏହି ୬ ସୂତ୍ରୀ ଫର୍ମୁଲାର ଆରମ୍ଭ ମାଓ ଅଞ୍ଚଳରୁ କରିଛନ୍ତି ଅଭୟ । ଏସବୁ ଭିତରେ ଡିଜିପିଙ୍କ ଗସ୍ତ ସ୍ପଷ୍ଟ ଦର୍ଶାଉଛି ଯେ, ନକ୍ସଲଙ୍କୁ ନିପାତ କରିବାକୁ ସ୍ୱତନ୍ତ୍ର ରଣନୀତି ଆପଣାଇବାକୁ ଯାଉଛି ଓଡ଼ିଶା ପୋଲିସ ।

ଏସବୁ ବାଦ୍ ଡିଜିପି ଅଭୟଙ୍କ ଗସ୍ତ ନକ୍ସଲ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ କରୁଥିବା ପୋଲିସ ଅଧିକାରୀଙ୍କ ମନୋବଳ ବଢାଇବ ବୋଲି କୁହାଯାଉଛି । କାରଣ ଭୁବନେଶ୍ୱରରେ ବସି ସମୀକ୍ଷା କରିବା ଅପେକ୍ଷା ପୋଲିସ ସାଥୀଙ୍କୁ ନେଇ ମାଓ ପ୍ରଭାବିତ ଅଞ୍ଚଳରେ ବୁଲି ପୂରା ସ୍ଥିତି ପରଖିଛନ୍ତି ଡିଜିପି । ତାହା ବି ପୁଣି ନିଜର ପ୍ରଥମ ଗସ୍ତରେ । ତେଣୁ ଅଭୟଙ୍କ ଏହି ଗସ୍ତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଜୋଶ ବଢାଇବାକୁ ଯଥେଷ୍ଟ । ଏହାବାଦ୍ ପୋଲିସ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ଅଭୟ ଡିଜିପି ଭାବେ ଦାୟିତ୍ୱ ନେବା ଦିନ ହିଁ ପଣ କରିଛନ୍ତି । ତେବେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ପୋଲିସ ଥାନାରେ ମୋ ସରକାର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲାଇବାକୁ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥାଇ ପାରନ୍ତି ଅଭୟ । କାରଣ ପୂର୍ବରୁ ଅନେକଥର ମାଓ ପ୍ରଭାବିତ ଅଞ୍ଚଳରେ ପୋଲିସର କାର୍ଯ୍ୟକୁ ପ୍ରଶ୍ନ ଉଠାଇ ଆସିଛନ୍ତି ସାଧାରଣ ଲୋକ । ତେଣୁ ସାଧାରଣ ଲୋକଙ୍କ ସହ ମିଶି କାମ କରିବା ପାଇଁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥାଇ ପାରନ୍ତି ଅଭୟ ।