କ୍ରିକେଟରୁ ଅବସର ନେଇଥିଲେ, ଏବେ ବିଶ୍ୱକପ ଖେଳିବାକୁ ସଂକେତ ଦେଲେ । ପୁଣି କ୍ରିକେଟପ୍ରେମୀ ଦେଖିବେ ଡିଭିଲିୟର୍ସଙ୍କ ଧୂଆଁଧାର ବ୍ୟାଟିଂ ।

2,194

ପୁଣିଥରେ ଅର୍ନ୍ତଜାତୀୟ କ୍ରିକେଟରେ ଦେଖିବାକୁ ମିଳିପାରେ ମିଷ୍ଟର ୩୬୦ ଡିଗ୍ରୀ କୁହାଯାଉଥିବା ଡିଭିଲିୟର୍ସଙ୍କ ଧୂଆଁଧାର ବ୍ୟାଟିଂ । ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ବିଶ୍ୱକପ ଟି-୨୦ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଡିଭିଲିୟର୍ସ । କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ମଧ୍ୟ ପୁଣିଥରେ ଜାତୀୟ ଟିମକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ଡିଭିଲିୟର୍ସ । ତେବେ ଆଇପିଏଲ ପ୍ରଦର୍ଶନ ପୁଣିଥରେ ଦକ୍ଷିଣ ଆଫ୍ରିକା ଟିମକୁ କମବ୍ୟାକ କରିବାର ବାଟ ଖୋଲିବ ବୋଲି କହିଛନ୍ତି ନିଜେ ଡିଭିଲିୟର୍ସ ।

ଏକ ଅର୍ନ୍ତଜାତୀୟ ୱେବସାଇଟକୁ ସାକ୍ଷତକାର ଦେଇ ଡିଭିଲିୟର୍ସ କହିଛନ୍ତି, କ୍ରିକେଟରୁ ସନ୍ୟାସ ନେବାର ଏହା ଭିତରେ ୨ ବର୍ଷ ବିତି ସାରିଲାଣି । କିନ୍ତୁ ଏବେ ପୁଣିଥରେ ଦକ୍ଷିଣ ଆଫ୍ରିକା ପାଇଁ ପ୍ରତିନିଧିତ୍ୱ କରିବାକୁ ଚାହୁଁଛି । ଆଉ ଡିଭିଲିୟର୍ସଙ୍କ ଏଭଳି ବୟାନ ପୁଣିଥରେ ଅର୍ନ୍ତଜାତୀୟ କ୍ରିକେଟକୁ ଫେରିବାର ସଂକେତ ଦେଉଛି ।

ଅଷ୍ଟ୍ରେଲିଆରେ ବିଗବାସ ଖେଳୁଥିବା ଡିଭିଲିୟର୍ସ କହିଛନ୍ତି, ମୁଁ ପୁଣିଥରେ ଟିମକୁ ଫେରିବାକୁ ଚାହୁଁଛି । ଏଥିପାଇଁ ଦକ୍ଷିଣ ଆଫ୍ରିକାର କୋଚ ମାର୍କ ବାଉଚର, କ୍ରିକେଟ ନିର୍ଦ୍ଦେଶକ ଗ୍ରେମ ସ୍ମିଥ ଓ ଅଧିନାୟକ ଫାଫ୍ ଡୁ ପ୍ଲେସିସଙ୍କ ସହ ଆଲୋଚନା କରୁଛି । ସମସ୍ତେ ଚାହୁଁଛନ୍ତି କି ମୁଁ ପୁଣିଥରେ ଦଳକୁ ଫେରେ । ଏହାପୂର୍ବରୁ ୨୦୧୯ ବିଶ୍ୱକପ ସମୟରେ ମଧ୍ୟ ଦଳକୁ ଫେରିବାକୁ ଚାହୁଁଥିଲେ ଡିଭିଲିୟର୍ସ । କିନ୍ତୁ ସେତେବେଳେ ତାଙ୍କୁ ଦକ୍ଷିଣ ଆଫ୍ରିକା ବୋର୍ଡ ତରଫରୁ ଗ୍ରୀନ୍ ସିଗନାଲ ମିଳିନଥିଲା ।

ଏବେ ବିଶ୍ୱକପକୁ ଅନେକ ସମୟ ବାକି ଅଛି ଓ ଏହି ସମୟରେ ଅନେକ କିଛି ହୋଇପାରେ । ଆଗକୁ ଆଇପିଏଲ ମଧ୍ୟ ରହିଛି । ତେଣୁ ଆଇପିଏଲରେ ନିଜକୁ ପ୍ରମାଣିତ କରିବାର ବଡ ସୁଯୋଗ ରହିଛି । ସେଥିପାଇଁ ଏବେଠାରୁ ନିଜକୁ ପ୍ରସ୍ତୁତି କରୁଛି । ଆଗକୁ ସବୁକିଛି ଭଲ ହେବ ବୋଲି ଆଶା ରହିଛି ବୋଲି କହିଛନ୍ତି ଡିଭିଲିୟର୍ସ । ଆଇପିଏଲରେ ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଛନ୍ତି ଡିଭିଲିୟର୍ସ । ଏହାପୂର୍ବରୁ ୨୦୧୮ରେ ଡିଭିଲିୟର୍ସ ଅଚାନକ ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଭଲ ଫର୍ମରେ ଥିବା ସତ୍ତେ୍ୱ ମଧ୍ୟ ଡିଭିଲିୟର୍ସ କାହିଁକି ଅବସର ନେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।