ଆସାମରେ ବଢୁଛି ବିରୋଧର ନିଆଁ: ନାଗରିକ ସଂଶୋଧନ ବିଲକୁ ବିରୋଧ କରି ବସ ଜାଳିଲେ ବିକ୍ଷୋଭକାରୀ । ସ୍ଥିତି ଅଣାୟତ୍ତ ଦେଖି ୧୦ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

270

କନକ ବ୍ୟୁରୋ: ଆସାମରେ ବଢୁଛି ବିରୋଧର ନିଆଁ । ନାଗରିକ ସଂଶୋଧନ ବିଲକୁ ବିରୋଧ ଆସାମରେ ତୀବ୍ର ହେଉଛି ପ୍ରତିବାଦ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଲ ବିରୋଧରେ ସ୍ୱର ଉଠୁଥିବା ବେଳେ ଧିରେଧିରେ ଏହି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ରାଜ୍ୟସଭାରେ ବିଲ ନେଇ ବିତର୍କ ଯେତିକି ଜୋର ହେଉଛି ଗୃହ ବାହାରେ ଅର୍ଥାତ ଆସାମ ଭଳି ଅନେକ ସ୍ଥାନରେ ବିଲକୁ ନେଇ ବିରୋଧ ବଢୁଛି ।

ତେବେ ଆସାମର ଦିଶପୁର ସ୍ଥିତ ଜନତା ଭବନ ନିକଟରେ ଏକ ବସରେ ବିକ୍ଷୋଭକାରୀ ନିଆଁ ଲଗାଇ ଜାଳି ଦେଇଥିବା ବେଳେ ଆସାମ ବିଧାନସଭା ସାମ୍ନାରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ ।

ତେବେ ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସାମରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ହିଂସାତ୍ମକ ବିକ୍ଷୋଭକୁ ଦେଖି ପ୍ରଶାସନ ପକ୍ଷରୁ ସଂଧ୍ୟା ୭ଟାଠାରୁ ୨୪ ଘଣ୍ଟା ପାଇଁ ଆସାମର ୧୦ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ଏହି ୧୦ଟି ଜିଲ୍ଲା ମଧ୍ୟରେ ରହିଛନ୍ତି ତିନସୁକିଆ, ଲକ୍ଷ୍ମୀପୁର, ଦିବ୍ରୁଗଡ, ଚେରାଇଦେଓ, ଜୋରହାଟ, ଗୋଲାହାଟ, କାମରୁପ ମେଟ୍ରୋ ଓ କାମରୁପ । ତେବେ ଗୁଆହାଟୀରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲଗାଯାଇଛି । ଏହା ସହିତ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି ।

ତ୍ରିପୁରାରେ ମଧ୍ୟ ୨୪ ଘଣ୍ଟା ପାଇଁ ଇଣ୍ଟରନେଟକୁ ବନ୍ଦ କରାଯାଇଛି । ହିଂସାକୁ ଦୃଷ୍ଟିରେ ରଖି ଆସାମ, ତ୍ରିପୁରାରେ ସେନା ମୁତୟନ କରାଯାଇଛି । ସେନାର ଜଣେ ମୁଖପାତ୍ର କର୍ଣ୍ଣେଲ ଅମନ ଆନନ୍ଦ କହିଛନ୍ତି ଯେ ତ୍ରିପୁରାର ମନୁ ଓ କାଞ୍ଚନପୁର ଇଲାକାରେ ଯବାନ ମୁତୟନ କରାଯାଇଛି ।