‘ତିତଲି’ ପାଇଁ ୩ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ! ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବ ଟିମ୍

28

କନକ ବ୍ୟୁରୋ : ତିତଲିର ସ୍ଥିତି ସମୀକ୍ଷା କରିବେ ୩ ଜଣିଆ ମନ୍ତ୍ରୀସ୍ତରୀୟ କମିଟି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜସ୍ୱ, ଜଳସମ୍ପଦ ଓ ଶକ୍ତି ମନ୍ତ୍ରୀଙ୍କୁ ନେଇ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ମନ୍ତ୍ରୀ ମହେଶ୍ୱର ମହାନ୍ତି, ନିରଂଜନ ପୁôଜାରୀ ଓ ସୁଶାନ୍ତ ସିଂ ପ୍ରଭାବିତ ଜିଲ୍ଲାକୁ ଗସ୍ତ କରିବେ । ଏହି ଟିମ୍ ଗଂଜାମ, ଗଜପତି ଓ ରାୟଗଡା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ । ବିଶେଷ କରି ରିଲିଫ ଓ ପୁନଃରୁଦ୍ଧାର କାମର ତଦାରଖ କରିବ ଏହି ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ।

ଏହାଛଡା ପୂଜା ଛୁଟିରେ ବି ଖୋଲା ରହିବ ସରକାରୀ ଅଫିସ । କିଛି ବିଭାଗର ଦୁର୍ଗାପୂଜା ଛୁଟି ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ଓ ପରବର୍ତୀ ବନ୍ୟାର ସ୍ଥିତିରେ ସମୀକ୍ଷା ପାଇଁ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ସଚିବାଳୟ କର୍ମଚାରୀ ଓ ବିଭାଗୀୟ ମୁଖ୍ୟଙ୍କ ଛୁଟି ବାତିଲ କରାଯାଇଛି । ଏହାଛଡା ଆସନ୍ତା ୨୪ ତାରିଖ ଯାଏଁ କେନ୍ଦ୍ରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଜିଲ୍ଲାର ଜିଲ୍ଲାପାଳଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଲଗାଣ ବର୍ଷାରେ ପ୍ରଭାବିତ ହୋଇଥିବା ସଂପୃକ୍ତ ଜିଲ୍ଲା ଗୁଡ଼ିକର କ୍ଷୟକ୍ଷତିର ଆକଳନ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ଗଞ୍ଜାମ, ଛତ୍ରପୁର, ପୁରୁଷୋତ୍ତମପୁର ପ୍ରଭାବତି ହୋଇଛି । ତେଣୁ ହେଲିକପ୍ଟର ସହାୟତା ଲୋଡ଼ିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସେହିଭଳି ରାୟଗଡ଼ାରେ ଅନେକ ସ୍ଥାନରେ ଗଛ ପଡ଼ି ଯୋଗାଯୋଗ ବିଛିନ୍ନ ହୋଇଛି । ତେଣୁ ତୁରନ୍ତ ଅଧିକ ଉଦ୍ଧାରକାରୀ ଦଳ ପଠାଇବାକୁ ଜିଲ୍ଲାପାଳ ଅନୁରୋଧ କଲେ । ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଏବଂ ମାଗଣାରେ ଔଷଧ ଯୋଗାଇଦେବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।