ଆପଣ ଲୁଡୁ ଖେଳିଛନ୍ତି କି? ତେବେ ଲକଡାଉନ ବୁଝିବାରେ ଅସୁବିଧା କେଉଁଠି ? ଜାଣନ୍ତୁ ଲକଡାଉନ ସହ ଲୁଡୁ ଖେଳର କେମିତି ରହିଛି ସମ୍ପର୍କ । ପଢ଼ନ୍ତୁ, ଏହି ରିପୋର୍ଟ ଓ ଏହାର ମର୍ମ ବୁଝନ୍ତୁ ।

ବାହାରେ ବୁଲିବା ସହ କରୋନାକୁ ନିମନ୍ତ୍ରଣ କରି ଡାକୁଛନ୍ତି ସେକଥାକୁ ବୋଧହୁଏ ଭୁଲି ଯାଉଛନ୍ତି ଏହିଭଳି କିଛି ଅମାନିଆ ଓ ଅତି ଚତୁର ଲୋକ । ତଥାପି ଯଦି ଲକଡାଉନ ବା ତାଲାବନ୍ଦର ଗୁରୁତ୍ୱ ଆପଣ ବୁଝି ପାରୁନାହାନ୍ତି ତେବେ ଆପଣଙ୍କ ପାଇଁ ଏହି ଛୋଟିଆ ଉଦାହରଣଟିଏ ଆମେ ରଖୁଛି ।

2,908

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ପୂରା ଦେଶରେ ଲକଡାଉନ ହୋଇଥିବା ବେଳେ ସମସ୍ତଙ୍କୁ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ହାତ ଯୋଡି ନିବେଦନ କରିଛନ୍ତି । କାରଣ କେବଳ ସାମାଜିକ ଦୂରତ୍ୱ ରହିଲେ ହିଁ କରୋନାକୁ ମାତ୍ ଦିଆଯାଇପାରିବ । କିନ୍ତୁ ଏହାସତ୍ତେ୍ୱ କିଛି ଏମିତି ଅମାନିଆ ଲୋକେ ଅଛନ୍ତି ଯେଉଁମାନେ ଲକଡାଉନ ନିୟମକୁ ଫୁ କରି ଉଡାଇଦେବା ସହ ରାସ୍ତାରେ ବେଫିକର ହୋଇ ବୁଲୁଛନ୍ତି । ଆଉ ପୋଲିସ ଧରିଲେ ଔଷଧ ଆଣିବାକୁ ଯାଉଛି, ଜରୁରୀ କାମ ଅଛି ଏମିତି ବାହାନା ବାହାର କରୁଛନ୍ତି । ବାହାରେ ବୁଲିବା ସହ କରୋନାକୁ ନିମନ୍ତ୍ରଣ କରି ଡାକୁଛନ୍ତି ସେକଥାକୁ ବୋଧହୁଏ ଭୁଲି ଯାଉଛନ୍ତି ଏହିଭଳି କିଛି ଅମାନିଆ ଓ ଅତି ଚତୁର ଲୋକ । ତଥାପି ଯଦି ଲକଡାଉନ ବା ତାଲାବନ୍ଦର ଗୁରୁତ୍ୱ ଆପଣ ବୁଝି ପାରୁନାହାନ୍ତି ତେବେ ଆପଣଙ୍କ ପାଇଁ ଏହି ଛୋଟିଆ ଉଦାହରଣଟିଏ ଆମେ ରଖୁଛି । ଯାହାଦ୍ୱାରା ଲକଡାଉନ ଗୁରୁତ୍ୱକୁ ବୋଧହୁଏ ବେଶ ସହଜରେ ବୁଝି ଯିବେ ।

ଲକଡାଉନରେ ଯେପରି ଘରେ ରହି କେହି ବିରକ୍ତ ନହେବେ ସେଥିପାଇଁ ପୁଣିଥରେ ରାମାୟଣ ଓ ମହାଭାରତ ଭଳି ପୌରାଣିକ ଧାରାବାହିକ ପ୍ରସାରଣ କରାଯାଇଛି । ଏହାବାଦ୍ ଅଧିକାଂଶ ପରିବାରରେ ଟାଇମପାସ୍ କରିବା ପାଇଁ ଲୁଡୁ ଖେଳୁଥିବାର ଦେଖିବାକୁ ମିଳୁଛି । କିଏ ମୋବାଇଲରେ ତ ପୁଣି କିଏ ଦୀର୍ଘଦିନ ଧରି ବାକ୍ସରେ ପଡି ରହିଥିବା ଲୁଡୁ ପଟା ଧରି ଲୁଡୁ ଖେଳିବାକୁ ବସୁଛନ୍ତି । କିନ୍ତୁ ଏହି ଲୁଡୁ ଖେଳ ମଧ୍ୟରେ ଯେ ଲକଡାଉନର ଏକ ଗହନ କଥା ଲୁଚି ରହିଛି ତାହାକୁ ଆପଣଙ୍କୁ ବୁଝିବାକୁ ପଡିବ । ଲୁଡୁ ଖେଳରେ ଦାନ ବାହାରିବା ପରେ ସବୁବେଳେ କିଭଳି ହୋମ ଲେଖାଥିବା ବକ୍ସରେ ପହଞ୍ଚି ହେବ ସେଥିପାଇଁ ଚେଷ୍ଟା ଚଳାଇଥାନ୍ତି ପ୍ରତି ଖେଳାଳି । କାରଣ ବାହାରେ ଯେତେ ସମୟ ଦାନ ରହିବ ସଙ୍କଟ ସେତେ ବଡ ହେବ । ଅପରପକ୍ଷ ଖେଳାଳି କେତେବେଳେ ଯେ ବଡ ଦାନ ପକାଇ ଆପଣଙ୍କ ଦାନକୁ ମାରିଦେବ ତାହା ଜାଣିବା ମୁସ୍କିଲ । ତେଣୁ ଦାନ ମରିବା ପୂର୍ବରୁ ପ୍ରତି ଖେଳାଳି ଚାହିଁଥାନ୍ତି ତାଙ୍କ ଦାନ ହୋମ ଲେଖାଥିବା ବକ୍ସ ଭିତରେ ପଶିଯାଉ । ଯାହାଦ୍ୱାରା ଏହି ଖେଳରେ ସେ ଜିତିପାରିବେ ।

ଲୁଡୁ ଖେଳରେ ଯେପରି ହୋମ ଲେଖାଥିବା ବକ୍ସରେ ପହଞ୍ଚିଲେ ଜଣେ ଜିତିଥାଏ । ଠିକ୍ ସେହିଭଳି କରୋନା ଠାରୁ ଜିତିବାକୁ ହେଲେ ଆପଣଙ୍କୁ ଲୁଡୁ ଖେଳ ଭଳି ବାହାରେ ନ ବୁଲି ଲକଡାଉନରେ ଘରେ ରହିବାକୁ ପଡିବ । ନଚେତ ଲୁଡୁ ଖେଳରେ ବାହାରେ ଦାନ ବୁଲିବା ଦ୍ୱାରା ଯେଉଁଭଳି ସଙ୍କଟର ଆଶଙ୍କା ରହିଥାଏ ଲକଡାଉନରେ ମଧ୍ୟ ବାହାରେ ବୁଲିବା ଦ୍ୱାରା କରୋନା ଭାଇରସର ସଂକ୍ରମଣ ଆଶଙ୍କା ବଢିଥାଏ । ଏପରିକି ଲୁଡୁ ଖେଳରେ ପ୍ରତିପକ୍ଷ ଖେଳାଳିର ଦାନ ଠାରୁ ଆପଣଙ୍କ ଦାନ ଦୂରରେ ରହିଲେ ହିଁ ସୁରକ୍ଷିତ ରହିପାରିବ । ଠିକ୍ ସେହିଭଳି କରୋନା ମୁକାବିଲାରେ ଯେତେ ସାମାଜିକ ଦୂରତ୍ୱ ବଜାୟ ରଖିବେ ଆପଣ ସେତିକି ସୁରକ୍ଷିତ ରହିପାରିବେ । ଲୁଡୁ ଖେଳରେ ପ୍ରତିପକ୍ଷ ଆପଣଙ୍କ ଦାନକୁ ମାରିଲେ ପୁଣିଥରେ ସେହି ବଡ ବକ୍ସକୁ ଯିବାକୁ ପଡିଥାଏ ଓ ୬ ନ ପକାଇବା ପର୍ଯ୍ୟନ୍ତ ଦାନ ବାହାରକୁ ବାହାରି ନଥାଏ । ଠିକ୍ ସେହିଭଳି ଯଦି ଥରେ କରୋନାରେ ଆକ୍ରାନ୍ତ ହୋଇଯାଆନ୍ତି ତେବେ ଲୁଡୁ ଖେଳର ସେହି ବଡ ବକ୍ସ ଭଳି ଆପଣଙ୍କୁ ହସ୍ପିଟାଲ ଯିବାକୁ ପଡିବ । ଏବଂ ଡାକ୍ତରଙ୍କ ପୂରା ଚିକିତ୍ସା ଶେଷ ନ ହେବା ପର୍ଯ୍ୟନ୍ତ ଆପଣଙ୍କୁ ସେହିଠାରେ ହିଁ ରହିବାକୁ ପଡିବ ।

ସବୁଠାରୁ ବଡ଼ କଥା ହେଲା, ଯଦି ଲୁଡୁ ଖେଳରେ ୬ ନ ପଡେ ତେବେ ଆଉ ବଡ ବକ୍ସ ଭିତରୁ ଆପଣଙ୍କ ଦାନ ବାହାରିନଥାଏ । ଠିକ୍ ସେହିଭଳି କରୋନାରେ ଆକ୍ରାନ୍ତ ହେବା ପରେ ଡାକ୍ତରଙ୍କ ଚିକିତ୍ସା ଯଦି ସଫଳ ନହୁଏ ତେବେ ହୋମ ଲେଖାଥିବା ସେହି ବକ୍ସରେ ପହଞ୍ଚିବା ଆପଣଙ୍କ ପାଇଁ ସ୍ୱପ୍ନ ହୋଇ ରହିଯିବ । ଲକଡାଉନରେ ଯିଏ ଯେଉଁଠି ରହିଛନ୍ତି ସେହିଠାରେ ରହିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି । ଏହାର ମର୍ମ ମଧ୍ୟ ଲୁଡୁ ଖେଳରୁ ଜାଣିପାରିବେ । ଲୁଡୁ ଖେଳରେ ଯେଉଁଭଳି ହୋମ ଚିହ୍ନ ଥିବା ବକ୍ସରେ ପହଞ୍ଚିବା ପୂର୍ବରୁ ଷ୍ଟାର ଚିହ୍ନ ଥିବା ସ୍ଥାନରେ ଦାନ ରହିଲେ ସୁରକ୍ଷିତ ରହିଥାଏ । ଓ ଆଗକୁ ବଢିବାକୁ ସଠିକ୍ ସମୟର ଅପେକ୍ଷା କରିବାକୁ ପଡିଥାଏ । ଠିକ୍ ସେହିଭଳି ଆପଣ ବର୍ତ୍ତମାନ ଯେଉଁଠି ଅଛନ୍ତି ସୁରକ୍ଷିତ ରହିଛନ୍ତି । ଆଗକୁ ବଢିବାକୁ ହେଲେ ପ୍ରଧାନମନ୍ତ୍ରୀ ନୂଆ ଘୋଷଣାକୁ ଅପେକ୍ଷା କରନ୍ତୁ । ଏହାଦ୍ୱାରା ଲକଡାଉନ ସଫଳ ହୋଇପାରିବ ଓ କରୋନାକୁ ମାତ୍ ଦେଇହେବ ।