କେତେବେଳେ ଆକାଶପଥରେ ତ ପୁଣି କେତେବେଳେ ଜଳପଥରେ । ଫୋନି ଯିବା ପରେ ନୌସେନା ଯବାନ ଦେଖାଉଛନ୍ତି ଅଦମ୍ୟ ସାହସ, ବାତ୍ୟା ପୀଡିତଙ୍କ ପାଇଁ ସାଜିଛନ୍ତି ଦେବଦୂତ ।

344

କନକ ବ୍ୟୁରୋ : ଫୋନି ଆସିଲା, ଆଉ କିଛି ଘଣ୍ଟାର ତାଣ୍ଡବ ପରେ ଚାଲିଗଲା । କିନ୍ତୁ ଫୋନି ବିଦାୟ ନେବା ସହ ରାଜ୍ୟରେ ଏମିତି କ୍ଷତ କରି ଦେଇଗଲା ଯେ, ସହଜରେ ତାହାକୁ ଭୁଲିବା ସମ୍ଭବପର ନୁହେଁ । ଅଧିକାଂଶ ଜିଲ୍ଳାବାସୀଙ୍କ ପାଇଁ ରାଜଧାନୀ ଏବେ ମଧ୍ୟ ଅପହଞ୍ଚ ପାଲଟିଥିବା ବେଳେ ପୁରୀକୁ ଯୋଗାଯୋଗର ମାଧ୍ୟମ ପାଲଟିଛି ଆକାଶ ଓ ଜଳପଥ । ଆଉ ଏଭଳି ସମୟରେ ରାଜ୍ୟବାସୀଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଭାରତୀୟ ନୌସେନା ।

ବାତ୍ୟା ଫୋନି ପୂର୍ବରୁ ଓ ପରେ ଭାରତୀୟ ନୌସେନାର ବୀର ଯବାନ ମାନେ ଯେଉଁ ସାହସ ଦେଖାଇଛନ୍ତି ତାହା ବାସ୍ତବିକ ପ୍ରଂଶସାଯୋଗ୍ୟ । ଭୋକିଲା ଲୋକଙ୍କ ପାଖରେ ଖାଦ୍ୟ ପୁଡିଆ ଧରି ପହଞ୍ଚିବା ଠାରୁ ଆରମ୍ଭ କରି ଲୋକଙ୍କୁ ଉଦ୍ଧାର କରିବା ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ନୌସେନା ଦେଖାଇଛନ୍ତି ଅଦମ୍ୟ ସାହାସ । କେତେବେଳେ ଆକାଶପଥରେ ତ ପୁଣି କେତେବେଳେ ଜଳପଥରେ । ଲୋକଙ୍କ ଜୀବନ ବଞ୍ଚାଇବା ନିଜ ଜୀବନକୁ ବାଜିରେ ଲଗାଇଛନ୍ତି ନୌସେନାର ଏହି ବୀର ସାହସୀ ଯବାନ । ଯେଉଁଥିପାଇଁ ଏବେ ପୂରା ଦେଶ ଏହି ଯବାନ ମାନଙ୍କୁ ସାଲ୍ୟୁଟ କରୁଛି ।

ବାତ୍ୟା ଫୋନି ଚାଲିଯିବା ପରେ ଓଡିଶାକୁ ନୂଆ ରୂପେ ଗଢି ତୋଳିବା ପାଇଁ ପଣ କରି ଆସିଛନ୍ତି ଏହି ଯବାନ ମାନେ । ସେଥିପାଇଁ ଦିନ ରାତି ଏକ କରି ମିଶନ ମୋଡରେ ଆରମ୍ଭ କରିଛନ୍ତି କାମ । ଆଇଏନଏସ ଚିଲିକାରେ କାର୍ଯ୍ୟରତ ଥିବା ନୌସେନା ଯବାନ ମାନେ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା ସହ ରୋଷେଇ କରି ଖାଦ୍ୟ ମଧ୍ୟ ପରଷୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି ।

ଏହାସହ ଭୁଷୁଡି ପଡିଥିବା ପର୍ଯ୍ୟଟନ ଶିଳ୍ପକୁ ପୁଣିଥରେ ନୂଆ ରୂପ ଦେବାକୁ ଲାଗି ପଡିଛି ନୌସେନା । ବାତ୍ୟାରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଚିଲିକାର ସୁନ୍ଦରତାକୁ ପୁଣିଥରେ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ନୌସେନାର ଏହି ବୀର ଯବାନ । ଚିଲିକା ହ୍ରଦକୁ ସଫା କରିବା ସହ କାଳିଜାଇ ମନ୍ଦିରକୁ ଯିବାକୁ ଥିବା ଜଳପଥକୁ ମଧ୍ୟ ସଫା କରିବାରେ ଲାଗିଛି ନୌସେନା । ପର୍ଯ୍ୟଟକଙ୍କୁ ପୁଣିଥରେ ଚିଲିକା ଆଡକୁ ଆକର୍ଷିତ କରିବା ପାଇଁ ଜି ଜାନ ଲଗାଇ ଦେଇଛନ୍ତି ନୌସେନା । ଯେଉଁଥିପାଇଁ ରାଜ୍ୟବାସୀ ଏବେ ନୌସେନା ଯବାନ ମାନଙ୍କୁ ସଲାମ କରୁଛନ୍ତି ।