ବିଦେଶରେ ବନ୍ଦୀ ୭୬୨୦ ଭାରତୀୟ ନାଗରିକ ! ସର୍ବାଧିକ ସାଉଦୀ ଆରବରେ

67

କନକ ବ୍ୟୁରୋ : ବିଦେଶରେ ବନ୍ଦୀ ଅଛନ୍ତି ୭୬୨୦ ଭାରତୀୟ ନାଗରିକ । ସାଉଦୀ ଆରବର ଜେଲରେ ସର୍ବାଧିକ ୨୦୮୪ଜଣ ବନ୍ଦୀ ଅଛନ୍ତି । ଏଭଳି ସୂଚନା ଦେଇଛନ୍ତି ବିଦେଶ ରାଜ୍ୟମନ୍ତ୍ରୀ ଏମ ଜେ ଆକବର । ବୁଧବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏଭଳି ଏକ ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ଆକବର ।

ସୂଚନା ଅନୁସାରେ, ବିଦେଶର ପ୍ରାୟ ୮୬ଟି ଜେଲରେ ୭୬୨୦ଜଣ ଭାରତୀୟ ନାଗରିକ ବନ୍ଦୀ ଜୀବନ ବିତାଉଛନ୍ତି । ଏମାନଙ୍କ ମଧ୍ୟରେ ୫୦ ଜଣ ମହିଳା ଅଛନ୍ତି ବୋଲି କହିଛନ୍ତିି ଆକବର୍ । ଦକ୍ଷିଣ-ପୂର୍ବ ଏସିଆ, ପଡ଼ୋଶୀ ଶ୍ରୀଲଙ୍କା, ଚୀନ, ନେପାଲ, ଗଲ୍ଫ ଦେଶରେ ଥିବା ଜେଲଗୁଡ଼ିକରେ ଏହି ମହିଳାମାନେ ବନ୍ଦୀ ଅଛନ୍ତି । ଶ୍ରୀଲଙ୍କାରେ ଜେଲ୍ ଦଣ୍ଡ ଭୋଗୁଥିବା ଭାରତୀୟ ମାନଙ୍କ ବିରୋଧରେ ସୀମା ପାର କରିବାର ଆରୋପ ଲାଗିଛି । ସେହିପରି ତାମିଲନାଡୁବାସୀ ବାଲାଂଦେଶ, ଭୁଟାନ୍ ଏବଂ ବ୍ରୁନେଇର ଜେଲରେ ଜୀବନ କାଟୁଛନ୍ତି । ଅନ୍ୟପଟେ କନ୍ନାଡା ଏବଂ ଅଷ୍ଟ୍ରେଲିଆର ଜେଲରେ ଥିବା ୧୧୫ ଜଣ ଭାରତୀୟ ନାଗରିକମାନଙ୍କ ଉପରେ ହତ୍ୟା , ଦୁର୍ନୀତି ଏବଂ ଦୁର୍ଘଟଣା ଭଳି ସାଂଘାତିକ ମାମଲା ରୁଜୁ ହୋଇଛି ।

ବିଦେଶରେ ଥିବା ଜେଲରେ ୫୬ ପ୍ରତିଶତ ହେଉଛନ୍ତି ଭାରତୀୟ । ତେବେ ସାଉଦୀ ଆରବର ଜେଲମାନଙ୍କରେ ଥିବା ୨୦୮୪ଜଣ ଭାରତୀୟ ନାଗରିକଙ୍କ ବିରୋଧରେ ମଦ ପିଇବା, ମଦ ବିକିବା ଆଦି ଅଭିଯୋଗ ଲାଗିଛି । କାରଣ ଏଠାରେ ମଦ ପିଇବା ଏବଂ ବ୍ୟବସାୟ କରିବା ବେଆଇନ୍ ଅଟେ । ସେହିଭଳି ଡ୍ରଗ୍ସ ଓ ମାନବ ଚାଲାଣ ଅଭିଯୋଗରେ ଅଧିକାଂଶ ଭାରତୀୟ ନାଗରିକ ଦକ୍ଷିଣ-ପୂର୍ବ ଏସିଆ-ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର ଓ ଇଣ୍ଡୋନେସିଆରେ ଥିବା ଜେଲରେ ଅଛନ୍ତି ।