ତେଜିଲା ରାଫେଲ ଡିଲ୍ ବିବାଦ : ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଓଲାନ୍ଦ କହିଲେ, ରିଲାଏନ୍ସ କମ୍ପାନୀ ସହ ଚୁକ୍ତି କଥା କହିଥିଲେ ଭାରତ ସରକାର

34

କନକ ବ୍ୟୁରୋ : ରାଫେଲ ଯୁଦ୍ଧ ବିମାନ କିଣା ଚୁକ୍ତି ନେଇ ଦେଶରେ ଲାଗି ରହିଥିବା ବିବାଦ ଏବେ ନୂଆ ମୋଡ ନେଇଛି । ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ ସୁଆ ଓଲାନ୍ଦ କହିଛନ୍ତି, ରାଫେଲ ଚୁକ୍ତି ପାଇଁ ଭାରତ ସରକାର ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ନାମ ପ୍ରସ୍ତାବ ଦେଇଥିଲେ । ସେପଟେ ନିର୍ମାଣକାରୀ ସଂସ୍ଥା ଡାସଲ୍ଟ ଏଭିଏସନ ପାଖରେ ରିଲାଏନ୍ସ ବ୍ୟତୀତ ଅନ୍ୟ ବିକଳ୍ପ ନଥିଲା । ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବ ଆସିଥିବାରୁ ନିର୍ମାଣକାରୀ ସଂସ୍ଥା ତାହାକୁ ଗ୍ରହଣ କରି ନେଇଥିଲା ।

ଓଲାନ୍ଦଙ୍କ ଏହି ବୟାନ ଭାରତରେ ଝଡ ସୃଷ୍ଟି କରିଛି । କଂଗ୍ରେସ ପକ୍ଷରୁ ୨୦୧୨ରେ ୫୯୦ କୋଟି ମୂଲ୍ୟ ଥିବା ରାଫେଲ ୨୦୧୫ରେ କେମିତି ୧୬୯୦ କୋଟି ହେଲା ସ୍ପଷ୍ଟ କରିବାକୁ ଦାବି କରିଛି । ପୂର୍ବତନ ରାଷ୍ଟ୍ରପତି ଓଲାନ୍ଦଙ୍କ ବୟାନ ନେଇ ପ୍ରତିକ୍ରିୟା ରଖିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଓଲାନ୍ଦ ଦେଇଥିବା ବୟାନର ସତ୍ୟାସତ୍ୟ ଯାଂଚ କରାଯାଉଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ଏହି ମାମଲାରେ ଦେବାଳିଆ ହୋଇ ଯାଇଥିବା ଅନୀଲ ଅମ୍ବାନୀଙ୍କୁ ବହୁ କୋଟି ଟଙ୍କାର ଠିକା ଯୋଗାଇ ଦେଇଛନ୍ତି ।