ଅଷ୍ଟମ ଫେଲ୍ ଯୁବକ ଏବେ କୋଟିପତି ! ସିବିଆଇ ଓ ପୋଲିସ ପାଇଁ ପାଲଟିଛନ୍ତି ସାହାରା, ପଢନ୍ତୁ ତ୍ରିଶନୀତ ଆରୋରାଙ୍କ ସଫଳତାର କାହାଣୀ

79

ଶିକ୍ଷା ହିଁ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇଥାଏ । ଏଭଳି ବିଶ୍ୱାସ ସାଧାରଣ ଲୋକଙ୍କର ରହିଛି । କିନ୍ତୁ ଆଜି ଆମେ ଏଭଳି ଜଣେ ସଫଳ ବ୍ୟକ୍ତିଙ୍କ ବିଷୟରେ କାହାଣୀ କହିବାକୁ ଯାଉଛୁ ଯିଏ ସ୍କୁଲରେ ପଢିବା ସମୟରେ ହିଁ ପାଠ ପଢା ଛାଡି ଦେଇଥିଲେ । କିନ୍ତୁ ଏବେ ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏଭଳି ଜଣେ ସଫଳ ବ୍ୟକ୍ତିତ୍ୱ ହେଉଛନ୍ତି ତ୍ରିଶନୀତ ଆରୋରା । ଜଣେ ସାଇବର ସିକ୍ୟୁରିଟି ଏକ୍ସପର୍ଟ ଭାବେ ପୂରା ଦେଶରେ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି ତ୍ରିଶନୀତ । ଏପରିକି ଫୋର୍ବସର ଏସିଆ ୩୦ ଅଣ୍ଡର ୩୦ ଲିଷ୍ଟରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ତ୍ରିଶନୀତ । ଏପରିକି ତାଙ୍କର ନିଜର ଟିଏସି ନାମରେ ଏକ ସାଇବର ସିକ୍ୟୁରିଟି କମ୍ପାନି ରହିଛି ।ଯେଉଁ କମ୍ପାନୀରେ ୨୫ ବର୍ଷିୟ ତ୍ରୀଶନିତ ସିଇଓ ଦାୟିତ୍ୱ ତୁଲାଉଛନ୍ତି ।

ଚଣ୍ଡିଗଡରେ ତ୍ରିଶନୀତଙ୍କ ସାଇବର ସିକ୍ୟୁରିଟି କମ୍ପାନି ଥିବା ବେଳେ ଏବେ ତାଙ୍କର ୫୦୦ରୁ ଅଧିକ କ୍ଲାଇଣ୍ଟ ରହିଛନ୍ତି । ସବୁଠୁ ବଡ କଥା ହେଲା କମ୍ପ୍ୟୁଟର ଶିକ୍ଷା ବିନା ହିଁ ତ୍ରିଶନୀତ ନିଜକୁ ଜଣେ ସାଇବର ସିକ୍ୟୁରିଟି ଏକ୍ସପର୍ଟ ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର କ୍ଲାଇଣ୍ଟ ରହିଛନ୍ତି । ଏପରିକି ୪ଟି ଦେଶର ସରକାର ନିଜର ସାଇବର ସେଲର ସୁରକ୍ଷା ପାଇଁ ତ୍ରିଶନୀତଙ୍କ ସାହାର୍ଯ୍ୟ ଲୋଡିଥାନ୍ତି । ଏହାଛଡା ନିର୍ବାଚନ ଆୟୋଗ, ସିବିଆଇ, ପଞ୍ଜାବ ପୋଲିସ, ଗୁଜରାଟ ପୋଲିସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ବିଭିନ୍ନ ପେମେଣ୍ଟ ଆପ ସାଇବର ସୁରକ୍ଷା ପାଇଁ ତ୍ରିଶନୀତଙ୍କୁ ଖୋଜିଥାନ୍ତି ।

ଫୋବର୍ସ ତାଲିକାରେ ନାଁ ଆସିବା ପରେ ତ୍ରିଶନୀତ ଏବେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ଅଷ୍ଟମ ଶ୍ରେଶୀରେ ଫେଲ ହୋଇଥିବା ତ୍ରିଶନୀତ ଏବେ ଦେଶର ଜଣାଶୁଣା ସାଇବର ସିକ୍ୟୁରିଟି ଏକ୍ସପର୍ଟ ଭାବେ ଉଭା ହୋଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଛୋଟବେଳୁ ହିଁ ତାଙ୍କର କମ୍ପ୍ୟୁଟର ପ୍ରତି ରୁଚି ରହିଥିଲା । ଏପରିକି ଅଧିକାଂଶ ସମୟ ସେ ଭିଡ଼ିଓ ଗେମ ଖେଳିବାରେ ବ୍ୟସ୍ତ ରହୁଥିଲେ । କିନ୍ତୁ ଅଧିକାଂଶ ସମୟ କମ୍ପ୍ୟୁଟର ସାମ୍ନାରେ ବସୁଥିବାରୁ ତାଙ୍କ ବାରମ୍ବାର ଏହାର ପାସୱାର୍ଡ ବଦଳାଇ ଦେଉଥିଲେ । କିନ୍ତୁ ତ୍ରିଶନୀତ ପ୍ରତିଥର ପାସୱାର୍ଡକୁ କ୍ରାକ୍ କରିବା ସହ ଭିଡ଼ିଓ ଗେମ ଖେଳୁଥିଲେ । ଏହାଦେଖି ତାଙ୍କ ବାପା ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ତ୍ରିଶନୀତଙ୍କୁ ଆଗକୁ ବଢିବା ପାଇଁ ନୂଆ କମ୍ପ୍ୟୁଟର ମଧ୍ୟ କିଣି ଦେଇଥିଲେ । ଯାହା ତ୍ରିଶନୀତଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା । ଆଉ ଏହାପର ଠାରୁ ସେ ପଛକୁ ଫେରି ଚାହିଁନଥିଲେ ଆଉ ପାଲଟିଯାଇଥିଲେ ସାଇବର ସିକ୍ୟୁରିଟି ଏକ୍ସପର୍ଟ ।