ଭାରତୀୟ ସେନା କିଣିବ ହଣ୍ଟର କିଲର ଡ୍ରୋନ୍ । ସୁଲେମାନିକୁ ଆମେରିକା ଯେଉଁଭଳି ହତ୍ୟା କରିଥିଲା ଠିକ୍ ସେହିଭଳି ଆତଙ୍କବାଦୀଙ୍କୁ ନିପାତ କରିବ ଭାରତୀୟ ସେନା ।

267

ଗତ ଜାନୁଆରୀ ମାସରେ ଆମେରିକା ସେନାର ଡ୍ରୋନ ଆକ୍ରମଣରେ ଇରାନର କୁଦସ ଫୋର୍ସର କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନି ନିହତ ହୋଇଥିଲେ । ଏହି ଡ୍ରୋନର ଦକ୍ଷତା ଦେଖି ସମଗ୍ର ବିଶ୍ୱ ଚକିତ ହୋଇଯାଇଥିଲା । ଏହି ଡ୍ରୋନର ନାଁ ହେଉଛି ହଣ୍ଟର କିଲର । ଏହି ପରି ଏକ ଡ୍ରୋନ କିଣିବାକୁ ଭାରତ ଆଗ୍ରହ ପ୍ରକାଶ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି । ଏପରି ଡ୍ରୋନ ଦ୍ୱାରା ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କୁ ନିପାତ କରିହେବ । ଖାସକରି ଯେଉଁମାନ ପାକିସ୍ତାନରେ ରହି ଭାରତ ବିରୋଧୀ ଗତିବିଧିରେ ସଂଶ୍ଳିଷ୍ଟ ରହିଛନ୍ତି ସେମାନଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ଚାହୁଁଛି ଭାରତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ବେଳେ ଭାରତ ଏହି ପ୍ରସ୍ତାବ ଦେବାର ସମ୍ଭାବନା ରହିଛି ।

ଆମେରିକା ଜାନୁଆରି ୩ ତାରିଖରେ ନିଜର ହଣ୍ଟର କିଲର ଡ୍ରୋନରୁ ହେଲଫାୟାର ଆରଏକ୍ସ ନିନଜା ମିସାଇଲ ନିକ୍ଷେପ କରି ସୁଲେମାନୀଙ୍କୁ ହତ୍ୟା କରିଥିଲା ବୋଲି ଜଣାପଡ଼ିଛି । ଏହି ମିସାଇଲର ବିଶେଷତ୍ୱ ହେଉଛି ଏହା ଅତ୍ୟନ୍ତ ସଠିକତାର ସହ ଟାର୍ଗେଟକୁ ମାଡ କରିଥାଏ । କିନ୍ତୁ ନିଜର ଟାର୍ଗେଟ ବ୍ୟତୀତ ଏହା ଆଖପାଖ ଅଞ୍ଚଳର କୌଣସି କ୍ଷତି ଘଟାଇନଥାଏ । ହଣ୍ଟର କିଲର ଡ୍ରୋନକୁ କାତାର ସ୍ଥିତ ଆମେରିକାର ସେଣ୍ଟ୍ରାଲ କମାଣ୍ଡରୁ ପ୍ରେରଣ କରାଯାଇଥିଲା ।

ଏହାପୂର୍ବରୁ ୨୦୧୧ରେ ପାକିସ୍ତାନରେ ଛକି ବସିଥିବା ଅଲକାଏଦ ମୁଖ୍ୟ ଓସାମା ବିନ୍ ଲାଡେନକୁ ଆମେରିକା ସ୍ପେଶାଲ ଫୋର୍ସ ଷ୍ଟିଲଥ ହେଲିକପ୍ଟର ବ୍ୟବହାର କରି ନିପାତ କରିଥିଲା । ଲାଡେନକୁ ଯେଉଁ ସ୍ଥାନରେ ହତ୍ୟା କରାଯାଇଥିଲା ତାହା ପାକିସ୍ତାନର ମିଲିଟାରୀ ଏକାଡେମୀ ଠାରୁ ଅତି ପାଖରେ ଥିଲା । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଟେର ପାଇନଥିଲା ପାକିସ୍ତାନ ସେନା । ଠିକ୍ ସେହିଭଳି ଏକ ଅପରେସନ କରି ଆତଙ୍କବାଦୀଙ୍କୁ ନିପାତ କରିବାକୁ ଚାହୁଁଛି ଭାରତ ।