ଆଉ ଜଣେ ଗର୍ଭବତୀଙ୍କ ପାଇଁ ଦେବଦୂତ ପାଲଟିଲେ ସେନା ଯବାନ : ଗୁରୁତର ଅବସ୍ଥାରେ ଘରୁ ଉଠାଇନେଇ ମହିଳାଙ୍କୁ ପହଁଚାଇଲେ ହସ୍ପିଟାଲ ।

142

ଜମ୍ମୁ-କାଶ୍ମୀରରେ ଭୀଷଣ ବରଫପାତ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାଧାରଣ ସେବା ପାଇଁ ବି ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଲୋକଙ୍କ ଏହି ସଂଘର୍ଷପୂର୍ଣ୍ଣ ସମୟରେ ଭାରତୀୟ ସେନା ଛାଇ ଭଳି ଲୋକଙ୍କ ସାଙ୍ଗରେ ରହି ଯଥାସମ୍ଭବ ସାହାଯ୍ୟ କରୁଛନ୍ତି । କହିବାକୁ ଗଲେ ସ୍ଥାନୀୟ ଲୋକଙ୍କ ପାଇଁ ସେନା ଯବାନ ଦେବଦୂତ ପାଲଟିଛନ୍ତି । ଏହାର ଉଦାହରଣ ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ଜଣେ ଗୁରୁତର ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ୍ ନେବା ପାଇଁ ଯବାନ ଘଣ୍ଟା ଘଣ୍ଟା ଧରି ବରଫରେ ଚାଲିଥିଲେ । ନିଜ ଜୀବନ ବାଜିରେ ଲଗାଇ ଯବାନ ଗର୍ଭବତୀଙ୍କୁ ହସ୍ପିଟାଲ୍ ରେ ପହଁଚାଇଥିଲେ ।
ଗୁରେଜ୍ ସେକ୍ଟରରେ ଭୀଷଣ ବରଫପାତ କାରଣରୁ ଯାତାୟାତର କୌଣସି ସୁବିଧା ନଥିଲା । ଗର୍ଭବତୀ ମହିଳାଙ୍କୁ ସିଭିଲ୍ ହସ୍ପିଟାଲ୍ ରୁ ବିମାନ ଯୋଗେ ଅନ୍ୟ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଗଲା । ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟବସ୍ତା ଠିକ୍ ରହିଛି ।

ଏହା ପୂର୍ବରୁ ବାରାମୁଲାରେ ଅନ୍ୟ ଜଣେ ଗର୍ଭବତୀ ମହିଳାଙ୍କୁ ବରଫରେ ଚାଲି ଚାଲି ବିଏସଏଫ୍ ଯବାନ ହସ୍ପିଟାଲ୍ ରେ ପହଁଚାଇବାର ଖବର ମଧ୍ୟ ଆସିଥିଲା । ସେପଟେ କୁପୱାଡାର ଲାଲପୋରାରେ ୭୫ ବର୍ଷୀୟା ଗୁଲାମ୍ ନୱୀ ଗନ୍ନିଙ୍କ ଜୀବନ ବଂଚାଇବା ପାଇଁ ଯବାନ ୨ କି.ମି ଚାଲି ହସ୍ପିଟାଲରେ ପହଁଚିଥିଲେ । ଯାହାର ଭିଡିଓ ଚିନାର କ୍ରପ୍ସ୍ ସେୟାର୍ କରିଥିଲେ । ଗତ କିଛି ଦିନ ଭିତରେ ସେନା ଏବଂ ଉଦ୍ଧାରକାରୀ ଦଳ ଲଦାଖରେ ଚାଦର ଟ୍ରେକ୍ ରେ ଫସିଥିବା ୧୦୭ ଜଣ ଲୋକଙ୍କ ଜୀବନ ବଂଚାଇଥିଲେ । ଯେଉଁଥିରେ ବିଦେଶୀ ନାଗରିକ ବି ସାମିଲ୍ ଥିଲେ ।