ହାଇ ଆଲର୍ଟ ଜାରି ପରେ କାଶ୍ମୀର ଘାଟିରେ ପହଞ୍ଚିଲେ ସେନାଧ୍ୟକ୍ଷ ବିପିନ ରାୱତ । ନିୟନ୍ତ୍ରଣ ରେଖାରେ ସେନା ପ୍ରସ୍ତୁତିର କଲେ ସମୀକ୍ଷା ।

265

କନକ ବ୍ୟୁରୋ : ଭାରତର ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ସିଂ ରାଓ୍ଵତ ଆଜି ଏକ ଦୁଇଦିନିଆ କଶ୍ମୀର ଗସ୍ତରେ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ନିୟନ୍ତ୍ରଣ ରେଖା ଗସ୍ତରେ ଯାଇ ସେଠାରେ ମୁତୟନ ଥିବା ସେନାର ପ୍ରସ୍ତୁତିର ତଦାରଖ କରିଛନ୍ତି । ଏହି ଗସ୍ତ ଅବସରରେ ତାଙ୍କ ସହିତ ଉତ୍ତରାଞ୍ଚଳ କମାଣ୍ଡର ଉପସ୍ଥିତ ଥିଲେ ।

ଭାରତ ସରକାରଙ୍କ ଦ୍ୱାରା ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ପରେ ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ସେନା ସତର୍କ ହୋଇଯାଇଛି । ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ରିପୋର୍ଟ ମିଳିଛି । ଆହୁରି ମଧ୍ୟ ସ୍ଥାନୀୟ ଲୋକଙ୍କ ବେଶରେ ପାକ୍‌ ଆତଙ୍କବାଦୀମାନେ ଘାଟୀରେ ପ୍ରବେଶ କରି ଅସ୍ଥିରତା ଉଦ୍ୟମ କରିପାରନ୍ତି ଓ ଏହାକୁ ସ୍ଥାନୀୟ ଲୋକଙ୍କ ବିଦ୍ରୋହ ବୋଲି ଦର୍ଶାଇବା ଲାଗି ମଧ୍ୟ ପାକିସ୍ତାନ ଷଡ଼ଯନ୍ତ୍ର କରୁଥିବା ଗୁଇନ୍ଦା ରିପୋର୍ଟ ମିଳିଛି । ଏ ପରିପ୍ରେକ୍ଷୀରେ ସେନାଧ୍ୟକ୍ଷଙ୍କ ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।