ମୁମ୍ବାଇରେ ମାଟି କାମୁଡିଲା ୱେଷ୍ଟଇଣ୍ଡିଜ୍ ! ଅନ୍ତିମ ଟି-୨୦ରେ ଟିମ୍ ଇଣ୍ଡିଆର ଧୂଆଁଧାର ପ୍ରଦର୍ଶନ, ୬୭ ରନର ବଡ ବିଜୟ ସହ ସିରିଜ ଜିତିଲା ବିରାଟ ବାହିନୀ ।

1,055

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆର ରୋମାଞ୍ଚକର ବିଜୟ । ସିରିଜ ହାତେଇଲା ବିରାଟ ବାହିନୀ । ଅନ୍ତିମ ଟି-୨୦ରେ ବଡ ବିଜୟ ସହ ୨-୧ରେ ସିରିଜ୍ ଜିତିନେଇଛି ଭାରତ । ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ଦୀପକ ଚହରଙ୍କ ଦମଦାର ବୋଲିଂ ବଳରେ ୱେଷ୍ଟଇଣ୍ଡିଜକୁ ୬୭ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ ।

ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଆଜି ହୋଇଥିଲା ଛକା ଚୌକାର ବର୍ଷା । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ୍ ।

ପ୍ରଥମରୁ ହିଁ ରନ୍ ବର୍ଷା ଆରମ୍ଭ କରିଥିଲା ବିରାଟ ବାହିନୀ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ କେଏଲ ରାହୁଲ ଏବଂ ଅଧିନାୟକ ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ୱେଷ୍ଟଇଣ୍ଡିଜ୍ ଆଗରେ ୨୪୧ ରନର ବିଶାଳ ଟାର୍ଗେଟ୍ ଧାର୍ଯ୍ୟ କରିଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୩ଟି ଓି୍ୱକେଟ୍ ହରାଇ ୨୪୦ ରନ୍ ସଂଗ୍ରହ କରିଥିଲା । ଲୋକେଶ ରାହୁଲ (୯୧ ରନ୍, ୫୬ ବଲ, ୯ ଚୌକା, ୪ ଛକା), ରୋହିତ ଶର୍ମା (୭୧ ରନ୍, ୩୪ ବଲ, ୬ ଚୌକା, ୫ ଛକା) ଓ ଅଧିନାୟକ ବିରାଟ କୋହଲି (ଅପରାଜିତ ୭୦ ରନ୍, ୨୯ ବଲ, ୪ ଚୌକା, ୭ ଛକା) ବିସ୍ଫୋରକ ବ୍ୟାଟିଂ କରିଥିଲେ ।

୨୪୧ ରନର ବିଶାଳ ବିଜୟଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ ମଧ୍ୟ ଭଲ ବ୍ୟାଟିଂ ଜାରି ରଖିଥିଲା । କିନ୍ତୁ କ୍ରମାଗତ ବ୍ୟବଧାନରେ ଓି୍ୱକେଟ୍ ପତନ ଦଳ ପରାଜୟର ମୁଖ୍ୟ କାରଣ ସାଜିଥିଲା । ଅଧିନାୟକ କିରଣ ପୋଲାର୍ଡ ୩୯ଟି ବଲରୁ ୬ଟି ଛକା, ୫ଟି ଚୌକା ବଳରେ ୬୮ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଦଳକୁ ବିଜୟୀ କରିପାରିନଥିଲେ ।