ଲୋ-ସ୍କୋରିଂ ମ୍ୟାଚରେ ବାଜି ମାରିଲା ବିରାଟ ବାହିନୀ । ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ଦେଲା ମାତ୍ ।

207

କନକ ବ୍ୟୁରୋ : ଲୋ ସ୍କୋରିଂ ମ୍ୟାଚରେ ବାଜି ମାରିଲା ବିରାଟ ବାହିନୀ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଫ୍ଲୋରିଡାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ୪ ୱିକେଟରେ ବିଜୟ ବାନା ଉଡାଇଛି ବିରାଟ ବ୍ରିଗେଡ । ବ୍ୟାଟିଂ ବିପର୍ଯ୍ୟୟ ସତ୍ତେ୍ୱ ମଧ୍ୟ ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ମାତ୍ ଦେଇଛି ଭାରତ । ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ସର୍ବାଧିକ ୨୪ ରନ୍ କରିଥିବା ବେଳେ ମନୀଷ ଓ କୋହଲି ୧୯ ରନ୍ ଲେଖାଏଁ କରିବା ସହ ଦଳକୁ ବିଜୟ ଭେଟି ଦେଇଥିଲେ ।

ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ଭାରତ । ଆଉ ଅଧିନାୟକଙ୍କ ନିଷ୍ପତିକୁ ଠିକ୍ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ଟିମ୍ ଇଣ୍ଡିଆର ବୋଲରଙ୍କ ଆଗରେ ପ୍ରଥମରୁ ଆତ୍ମସର୍ମପଣ କରିଥିଲା ୱେଷ୍ଟଇଣ୍ଡିଜ । ପ୍ରଥମ ଓଭରରୁ ହିଁ ୱେଷ୍ଟଇଣ୍ଡିଜକୁ ଲାଗିଥିଲା ବଡ ଝଟକା । ଆଉ ଏହାପରେ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା କାରବିଆନ ଟିମ୍ । ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ମାତ୍ର ୯୫ ରନ୍ କରିବାକୁ ସକ୍ଷମ ହୋଇଥିଲା ଭାରତ । ୱେଷ୍ଟଇଣ୍ଡିଜ ପକ୍ଷରୁ କେବଳ କିରଣ ପୋଲାର୍ଡ ୪୯ ରନ୍ କରିବା ସହ ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ଯୁବ ବୋଲର ନବଦୀପ ସାଇନି ୩ ୱିକେଟ ୱେଷ୍ଟଇଣ୍ଡିଜର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ ।

୯୬ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ମଧ୍ୟକ୍ରମରେ ବିରାଟ, ରୋହିତ ଓ ମନୀଷଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଭାରତ ବିଜୟ ଦ୍ୱାରଦେଶରେ ପହଞ୍ଚିଥିଲା । ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ଓ କୁର୍ଣ୍ଣାଲ ପାଣ୍ଡ୍ୟ ଉପଯୋଗୀ ଇନିଂସ ବଳରେ ଭାରତ ୧୬ ଟି ବଲ୍ ପୂର୍ବରୁ ବିଜୟ ହାସଲ କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ନାରାୟଣ,କିମୋ ପଲ, କଟରେଲ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ମଧ୍ୟ ଦଳକୁ ବିଜୟ ଭେଟି ଦେଇ ପାରିନଥିଲେ ।