ଆଜି ଭାରତ-ୱେଷ୍ଟଇଣ୍ଡିଜ ଚତୁର୍ଥ ଦିନିକିଆ। ଟିମ ଇଣ୍ଡିଆରେ ହୋଇପାରେ ୨ଟି ପରିବର୍ତ୍ତନ, କେଦାର ଯାଦବକୁ ମିଳିପାରେ ସୁଯୋଗ
କନକ ବ୍ୟୁରୋ: ଆଜି ଖେଳାଯିବାକୁ ଥିବା ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଚତୁର୍ଥ ଦିନିକିଆ ଲାଗି କେଦାର ଯାଦବ ଭାରତୀୟ ଦଳକୁ ଫେରିଛନ୍ତି। ଖଲିଲ୍ ଅହମ୍ମଦଙ୍କୁ ଶେଷ ଦୁଇ ଦିନିକିଆରୁ ବାଦ୍ ଦେଇ ତାଙ୍କ ସ୍ଥାନରେ ବ୍ୟାଟିଂ ଅଲରାଉଣ୍ଡର କେଦାରଙ୍କୁ ନିଆଯାଇଛି। ପ୍ରଥମ ଦିନିକିଆକୁ ସହଜରେ ଭାରତ ଜିତିଥିଲା ବେଳେ ବିଶାଖାପାଟଣାରେ ଟାଇ ଏବଂ ପୁନେରେ ହାରିଥିଲା। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଶତକ ଯୋଗୁଁ ଭାରତ ପ୍ରଥମ ମ୍ୟାଚରେ ବିଜୟ ପାଇଥିଲା। ଦ୍ବିତୀୟରେ ବିରାଟଙ୍କ ଶତକ ସାଙ୍ଗକୁ ଅମ୍ବାତି ରାୟୁଡ଼ୁଙ୍କ ଅର୍ଧଶତକ ବଳରେ ଭାରତ ୩୨୧ ରନ୍ କରିଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ବୋଲରଙ୍କ ଦିଗହୀନ ବୋଲିଂ ସତ୍ତ୍ବେ ପରାଜୟରୁ ବର୍ତି ଯାଇଥିଲା। ଫଳରେ ଶେଷ ୩ ଦିନିକିଆରେ ମହମ୍ମଦ ସାମିଙ୍କୁ ବାଦ୍ ଦେଇ ଭୁବନେଶ୍ବର କୁମାର ଏବଂ ଯଶପ୍ରୀତ ବୁମରାଙ୍କୁ ନିଆ ଯାଇଥିଲା। ପୁନେରେ ଭାରତ ଆଗରେ ଇଣ୍ଡିଜ୍ ୨୮୪ ରନର ବିଜୟ ଲକ୍ଷ୍ୟ ରଖିଥିଲା। ବୁମରା ୧୦-୧-୩୫-୪ ସଫଳତା ପାଇଥିଲେ ମଧ୍ୟ ଭୁବି ୧୦-୦-୭୦-୧ ବିଫଳ ହୋଇଥିଲେ। ବ୍ୟାଟିଂରେ କୋହଲି ଛଡ଼ା ଆଉ କୌଣସି ବ୍ୟାଟ୍ସମ୍ୟାନ୍ ସଫଳ ହୋଇନଥିଲେ। ଏହି ମ୍ୟାଚକୁ ୪୩ ରନରେ ହାରି ଯାଇଥିଲା। ବ୍ୟାଟିଂ ସନ୍ତୁଳନ ସହ ଅଲ୍ରାଉଣ୍ଡର ସମସ୍ୟା ମ୍ୟାଚ୍ ହାରିବାର ମୁଖ୍ୟ କାରଣ ବୋଲି ଅଧିନାୟକ କୋହଲି ମ୍ୟାଚ୍ ପରେ କହିଥିଲେ।
ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ଶୃଙ୍ଖଳାର ଚତୁର୍ଥ ମୁକାବିଲା ଆଜି ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ। ଅଲ୍ରାଉଣ୍ଡର ସମସ୍ୟା ଦୂର ଲାଗି ଏସିଆ କପ୍ରେ ଆହତ ହୋଇ ଦଳରୁ ବାଦ୍ ପଡ଼ିଥିବା କେଦାରଙ୍କୁ ଏହି ମ୍ୟାଚରେ ସୁଯୋଗ ମିଳିବ। ସେ ଋଷବ ପନ୍ତଙ୍କ ସ୍ଥାନ ନେବାର ସମ୍ଭାବନା ରହିଛି। ଦଳରୁ ବାଦ୍ ପଡ଼ିଥିବା ଖଲିଲ ଅହମ୍ମଦଙ୍କ ସ୍ଥାନରେ ରବୀନ୍ଦ୍ର ଜାଦେଜା ମୁମ୍ବାଇରେ ଖେଳିପାରନ୍ତି। ଅନ୍ୟପକ୍ଷରେ ଇଣ୍ଡିଜ୍ ଦଳ ବିନା ପରିବର୍ତନରେ ଏହି ମ୍ୟାଚ୍ ଖେଳିବ। ସିମରନ୍ ହେଟମେୟର ଓ ସାଇ ହୋପ୍ଙ୍କ ଉପରେ ଭରସା ରଖିବ। ହେଟମେୟର ପ୍ରଥମ ମ୍ୟାଚ୍ରେ ଶତକ ଓ ଦ୍ବିତୀୟରେ ଅର୍ଧଶତକ ହାସଲ କରିଥିଲା ବେଳେ ପୁନେରେ ବିସ୍ଫୋରକ ୩୭ ରନ୍ର ପାଳି ଖେଳିଥିଲେ। ବିଶାଖାପାଟଣାରେ ଶତକ ହାସଲ କରିଥିବା ହୋପ୍ ଏବଂ ପୁନେରେ ୯୫ ରନ୍ କରିଥିେଲ। ଆସଲେ ନର୍ସ (୪୦) ଧୁଆଁଧାର ପାଳି ଖେଳି ଭାରତ ଆଗରେ ୨୮୪ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲେ। ପୁନେରେ ଇଣ୍ଡିଜ୍ ବୋଲର ଭଲ ବୋଲିଂ କରିଥିଲେ। ଶେଷ ସମୟରେ ବୋଲିଂକୁ ଆସିଥିବା ମାର୍ଲନ ସାମୁଏଲ୍ସ ମାତ୍ର ୩.୪ ଓଭର ପକାଇ କୋହଲିଙ୍କ ସହ ୩ ୱିକେଟ୍ ନେଇ ଦଳକୁ ବିଜୟ ଭେଟି ଦେଇଥିଲେ।
ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ଥିବାରୁ ମୁମ୍ବାଇ ଦିନିକିଆ ଉଭୟଙ୍କ ପାଇଁ ଆଗୁଆ ହେବାର ସୁଯୋଗ ରହିଛି। ପ୍ରଶାସନିକ ବିବାଦ ଯୋଗୁଁ ଚତୁର୍ଥ ଦିନିକିଆ ୱାନଡେରୁ ବ୍ରାବର୍ଣ୍ଣକୁ ସ୍ଥାନାନ୍ତରିତ ହୋଇଥିଲା। ଏହି ଦୁଇ ପଡ଼ିଆ ମଧ୍ୟେର କେବଳ ପିନ୍ କୋର୍ଡ ଛଡ଼ା ସେଭଳି କିଛି ପରିବର୍ତନ ନାହିଁ। ଏଠାରେ ଖେଳାଯାଇଥିବା ଶେଷ ଦୁଇ ପ୍ରଥମ ଶ୍ରେଣୀ ମ୍ୟାଚରେ ବଡ଼ ସ୍କୋର୍ ଦେଖିବାକୁ ମିଳିଥିଲା। ୨୦୦୯ରେ ଶେଷ ଥର ଲାଗି ଭାରତ-ଶ୍ରୀଲଙ୍କା ଅନ୍ତର୍ଜାତୀୟ ମ୍ୟାଚ୍ ଖେଳା ଯାଇଥିଲା ବେଳେ ଭାରତ ‘ଏ’ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୧୭ ଫେବ୍ରୁଅାରିରେ ଶେଷ ମ୍ୟାଚ୍ ଖେଳାଯାଇଥିଲା।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), ଅମ୍ବାତି ରାୟୁଡୁ, ଋଷବ ପନ୍ତ/କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା।
ସମ୍ଭାବ୍ୟ ଇଣ୍ଡିଜ୍: ଚନ୍ଦ୍ରପଲ ହେମରାଜ, କିରନ ପାେୱଲ୍, ସାଇ ହୋପ୍, ସିମରନ୍ ହେଟମେୟର, ମାର୍ଲନ ସାମୁଏଲ୍ସ, ରଭମନ ପାୱେଲ, ଜାସନ ହୋଲ୍ଡର (ଅଧିନାୟକ), ଫାବିଆନ୍ ଆଲିନ୍, ସୁନୀଲ ଅମ୍ବରିସ୍, ଦେବେନ୍ଦ୍ର ବିଶୁ, ସିମରନ୍ ହେଟମେୟର, ସାଇ ହୋପ୍, ଆସଲେ ନର୍ସ, ଓବିଦ ମ୍ୟାକଏ, କେମାର ରୋଚ୍।