ପାଖଉଛି ସମୟ, ବଢୁଛି ଉତ୍କଣ୍ଠା ! ମାଞ୍ଚେଷ୍ଟରରେ ଭାରତ-ନ୍ୟୁଜିଲାଣ୍ଡ ମହାମୁକାବିଲା, କିଏ ପାଇବ ଫାଇନାଲ ଟିକେଟ୍ ?

214

କନକ ବ୍ୟୁରୋ : ସମୟ ଯେତିକି ପାଖଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢି ବଢି ଚାଲିଛି । ବିଶ୍ୱକପର ପ୍ରଥମ ସେମି ଫାଇନାଲ୍ ମ୍ୟାଚରେ ଆଜି ଟିମ୍ ଇଣ୍ଡିଆର ଟକ୍କର ହେବ ନ୍ୟୁଜିଲାଣ୍ଡ ସହିତ । ଚଳିତ ବିଶ୍ୱକପରେ ଦଳଗତ ପ୍ରଦର୍ଶନ ଓ ଫର୍ମକୁ ଦେଖିଲେ କୋହଲି ବାହିନୀକୁ ଫେବରାଇଟ୍ ବୋଲି କୁହାଯାଉଛି । ଭାରତୀୟ ଟିମର ଶକ୍ତି ରୋହିତ ଶର୍ମା , ଲୋକେଶ ରାହୁଲ , ବିରାଟ କୋହଲି, ହାର୍ଦ୍ଦିକ୍ ପାଣ୍ଡ୍ୟା ଓ ଜସପ୍ରିତ୍ ବୁମରା । ୫ ଶତକ ସହ ଚଳିତ ବିଶ୍ୱକପରେ ୬୪୭ ରନ୍ ଅଛି ରୋହିତଙ୍କ ନାଁରେ । ସେହିପରି ୫ ଅର୍ଧଶତକ ସହ ୪୪୨ ରନ୍ ସ୍କୋର କରିଛନ୍ତି କୋହଲି । ଶ୍ର୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଥିବା ରାହୁଲ ନିଜ ଫର୍ମକୁ ଫେରିଛନ୍ତି । ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଭାରତ ପାଇଁ ହୋଇପାରେ ଟ୍ରମ୍ପକାର୍ଡ ।

ଯଶପ୍ରୀତ୍ ବୁମରା ଭାରତ ପାଇଁ ବନିପାରନ୍ତି ମ୍ୟାଚ୍ ୱିନର । ବର୍ତମାନ ସୁଦ୍ଧା ବିଶ୍ୱକପରେ ୧୭ ୱିକେଟ୍ ଅଛି ତାଙ୍କ ନାଁରେ । ୪.୪୮ ଇକୋନୋମିରେ ବୋଲିଂ କରୁଥିବା ବୁମରା କୋହଲିଙ୍କ ପାଇଁ ବ୍ରହ୍ମାସ୍ତ୍ର । ମିଡିଲ୍ ଓଭରରେ ଚାପ ସୃଷ୍ଟି କରିବେ ଚହଲ-କୁଲଦୀପ । ୱିଲିୟମସନଙ୍କ ବ୍ୟାଟ୍ ଏହି ସ୍ପିନ୍ ଯୋଡିଙ୍କ ଆଗରେ ଫେଲ୍ ମାରିଥାଏ । ହେଲେ ବିଶ୍ୱକପରେ ୱିଲିୟମସନଙ୍କ ବ୍ୟାଟିଂ ଉପରେ ପୁରା ନିର୍ଭର କରି ଆସିଛି କିୱି ଟିମ୍ । ଏହା ହିଁ ନ୍ୟୁଜିଲାଣ୍ଡ ପାଇଁ ସେମି ମୁକାବିଲାରେ ହେବ ଅଡୁଆ । କାରଣ ଗୁପ୍ଟିଲ୍ ଓ ଟେଲରଙ୍କ ଓି୍ୱକେଟ୍ ଖସିଗଲେ ଚାପରେ ପଡିବ କିଓି୍ୱ ଟିମ ।

ବିଶ୍ୱକପରେ ଭାରତ ପାଇଁ ଅଡୁଆ କରିବେ ନ୍ୟୁଜିଲାଣ୍ଡର ୨ ଖେଳାଳି । ସେମାନେ ହେଉଛନ୍ତି ଟ୍ରେଂଟ ବୋଲ୍ଟ ଓ ଲୋକି ଫର୍ଗୁସନ୍ । ଚଳିତ ବିଶ୍ୱକପରେ ବୋଲ୍ଟ ୧୫ ଟି ଓ ଲୋକି ଫର୍ଗୁସନ୍ ୧୭ ୱିକେଟ୍ ଦଖଲ କରି ଘାତକ ସାବ୍ୟସ୍ତ ହୋଇଛନ୍ତି । ସେମି ମୁକାବିଲାରେ ଲଢେଇ ହେବ ବୋଲ୍ଟ ବନାମ ରୋହିତ ଓ ଲୋକି ଫର୍ଗୁସନ୍ ବନାମ୍ କୋହଲିଙ୍କ ମଧ୍ୟରେ । ଦିନିକିଆରେ ମୋଟ୍ ୧୨ ଥର ମୁହାଁମୁହିଁ ହୋଇଛି ବୋଲ୍ଟ ଓ ରୋହିତ ଶର୍ମାଙ୍କ ମଧ୍ୟରେ । ଏଥିରେ ୪ ଥର ରୋହିତଙ୍କୁ ଆଉଟ୍ କରିଛନ୍ତି ବୋଲ୍ଟ । ତେଣୁ ସେମି ମୁକାବିଲାରେ ହିଟ୍ ମ୍ୟାନଙ୍କୁ ଆରମ୍ଭରୁ ଅଟକାଇବାକୁ ରଣନୀତି କରିବେ ବୋଲ୍ଟ ।

ବିଶ୍ୱକପ୍ ଇତିହାସକୁ ଦେଖିଲେ ଭାରତ ମୋଟ୍ ୬ ଥର ଖେଳିଛି ସେମି ଫାଇନାଲ । ଆଉ ଏଥିରେ ୩ଟି ଜିତିଥିବା ବେଳେ ୩ଟି ହାରିଛି । ୧୯୮୩, ୨୦୦୩ ଓ ୨୦୧୧ରେ ଦଳ ବିଜୟ ହାସଲ କରିଥିଲା । ହେଲେ ନ୍ୟୁଜିଲାଣ୍ଡର ସେମି ରେକର୍ଡ ସେଭଳି ଭଲ ରହିନାହିଁ । ଦଳ ୭ ଥର ବିଶ୍ୱକପ୍ ସେମି ଖେଳି ମାତ୍ର ୨୦୧୫ ସେମି ଫାଇନାଲରେ ବିଜୟୀ ହୋଇଥିଲା । ବିଶ୍ୱକପର ବଡ ମ୍ୟାଚରେ ଖରାପ ରେକର୍ଡ ନେଇ ଚାପରେ ରହିବ କିୱି ଟିମ୍ । ତେଣୁ ଓଲଡ ଟ୍ରାଫୋର୍ଡରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଲେ ଭାରତୀୟ ଟିମ୍ ପାଇଁ ଭଲ ହେବ ବୋଲି ପୂର୍ବାନୁମାନ କରିଛନ୍ତି ଭେଟେରାନ୍ କ୍ରିକେଟର ।