କାଲି ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-ଟ୍ୱେଣ୍ଟି ! ନିର୍ଣ୍ଣାୟକ ଲଢେଇରେ କିଏ ମାରିବ ବାଜି ? ଇତିହାସ ରଚିବ କି ଟିମ୍ ଇଣ୍ଡିଆ ?

214

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ତଥା ନିର୍ଣ୍ଣାୟକ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ତିନିଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜ ଏବେ ୧-୧ରେ ବରାବର ରହିଛି । ଯେଉଁଥିପାଇଁ କାଲିର ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ରହିବ । ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୮୦ ରନରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା । ଯାହାକି ନ୍ୟୁଜିଲାଣ୍ଡ ମାଟିରେ ଭାରତର ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ପ୍ରଥମ ବିଜୟ ଥିଲା ।

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ବିରୋଧରେ ତୃତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯିବାକୁ ଥିବା ବେଳେ ମ୍ୟାଚ ହାତେଇବାକୁ ଉଭୟ ଦଳ ଜୋରଦାର ଅଭ୍ୟାସ କରିଛନ୍ତି । ତେବେ ଟିମ୍ ଇଣ୍ଡିଆ ପାଖରେ କାଲିର ମ୍ୟାଚରେ ଏକ ନୂଆ ଇତିହାସ ରଚିବାର ସୁଯୋଗ ରହିଛି । ଯଦି ଭାରତ କାଲି ମ୍ୟାଚରେ ବିଜୟୀ ହୁଏ, ତେବେ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଥର ପାଇଁ କୌଣସି ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତିବ ଭାରତ । ତେବେ କାଲିର ଏହି ହାଇଭୋଲ୍ଟଟେଜ୍ ମ୍ୟାଚ ହାମିଲଟନର ସେଡାନ୍ ପାର୍କରେ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟ ଅନୁଯାୟୀ, ୧୨.୩୦ ମିନିଟରେ ଆରମ୍ଭ ହେବ । ସେହିପରି ୧୨ଟା ସମୟରେ ଟସ୍ ପଡିବ ।

ସମ୍ଭାବ୍ୟ ଭାରତୀୟ ଦଳ – ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ, ଋଷଭ ପନ୍ଥ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନୀ ( ୱିକେଟରକ୍ଷକ ), କୃର୍ଣ୍ଣାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ, ଖଲିଲ ଅହମ୍ମଦ, ଶୁଭମାନ ଗିଲ୍, ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ୍ ।