ଟେଷ୍ଟ ପରେ ଏବେ ଦିନିକିଆ ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବ୍ରିଗେଡ୍ ! ଇତିହାସ ରଚିପାରେ ଟିମ୍ ଇଣ୍ଡିଆ ।

515

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଇତିହାସ ରଚିବା ପରେ ଏବେ ଦିନିକିଆରେ ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଟେଷ୍ଟ ସିରିଜରେ କଙ୍ଗାରୁ ଦଳକୁ ୨-୧ରେ ମାତ୍ ଦେଇଛି ଭାରତ । ଏହା ସହ ୭୨ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ମାଟିରେ ଭାରତ ୧୨ଟି ଦିନିକିଆ ସିରିଜ ଖେଳିଛି । ଆଉ ଏଥି ମଧ୍ୟରୁ ଗୋଟିଏ ସିରିଜକୁ ବାଦ ଦେଲେ ଅନ୍ୟ ସବୁ ସିରିଜ୍ ମଲ୍ଟିନେସନ୍ ଦିନିକିଆ ସିରିଜ ରହିଛି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ମାତ୍ର ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ୨୦୧୬ରେ ଖେଳାଯାଇଥିଲା । ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତକୁ ୧-୪ରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେବେ ପୁରା ରେକର୍ଡକୁ ଦେଖିବାକୁ ଗଲେ, ଅଷ୍ଟ୍ରେଲିଆରେ ଭାରତ ମୋଟ୍ ୪୮ଟି ଦିନିକିଆ ଖେଳିଛି । ସେଥିମଧ୍ୟରୁ ୧୧ଟି ମ୍ୟାଚରେ ଭାରତକୁ ବିଜୟ ମିଳିଥିବା ବେଳେ ୩୫ଟି ମ୍ୟାଚରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି ଏବଂ ୨ଟି ମ୍ୟାଚ୍ ଡ୍ର ରହିଛି । ଆଉ ଏଭଳି ସ୍ଥିତରେ ଟେଷ୍ଟରେ କଙ୍ଗାରୁ ଦଳକୁ ମାତ୍ ଦେଇଥିବା ଟିମ୍ ଇଣ୍ଡିଆ ଏବେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଦ୍ୱିପାକ୍ଷିକ ସିରିଜ୍ ଜିତିବା ଲକ୍ଷ୍ୟରେ ରହିଛି ।

ସୂଚନା ଅନୁଯାୟୀ, ଭାରତ, ଅଷ୍ଟ୍ରେଲିଆ ବିରୋଧରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୨ ତାରିଖରେ ସିଡନୀ ଠାରେ ଖେଳିବ । ସେହିପରି ଦ୍ୱିତୀୟ ଦିନିକିଆ ଆଡିଲେଡ୍ ଠାରେ ଜାନୁଆରୀ ୧୫ ତାରିଖରେ ଖେଳାଯିବାକୁ ଥିବା ବେଳେ ତୃତୀୟ ତଥା ଅନ୍ତିମ ଦିନିକିଆ ଜାନୁଆରୀ ୧୮ ତାରିଖରେ ମେଲବର୍ଣ୍ଣ ଠାରେ ଖେଳାଯିବ । ଟେଷ୍ଟରେ କଙ୍ଗାରୁ ଦଳକୁ ମାତ୍ ଦେଇଥିବା ବିରାଟ ବ୍ରିଗେଡ୍ ପାଖରେ ଦିନିକିଆ ସିରିଜ ଜିତି ଇତିହାସ ରଚିବାର ସୁଯୋଗ ରହିଛି । ଯଦି ବିରାଟ କୋହଲି ଭାରତକୁ ଏହି ବିଜୟ ପ୍ରଦାନ କରୁଛନ୍ତି, ତେବେ ସେ ଭାରତର ପ୍ରଥମ ଅଧିନାୟକ ହେବେ, ଯିଏକି ଅଷ୍ଟ୍ରେଲିଆ ମାଟିରେ ଏକା ଧାରାରେ ଟେଷ୍ଟ ଏବଂ ଦ୍ୱିପାକ୍ଷିକ ଦିନିକିଆ ସିରିଜରେ ଦଳକୁ ବିଜୟ ପ୍ରଦାନ କରିବେ ।