୨୦୧୮ରେ ଭାରତ ହେବ ୪-ଜିର ଦେଶ ! ଟେଲିକମ୍ ବଜାରରେ ଜିଓର ପ୍ରବେଶରେ ଆରମ୍ଭ ହୋଇଛି ତୀବ୍ର ପ୍ରତିଯୋଗିତା

21

୨୦୧୮ରେ ଭାରତ ୪ଜି ସେବା ବ୍ୟବହାର କରୁଥିବା ବିଶ୍ୱର ଏକ ପ୍ରମୁଖ ଦେଶ ହେବ । ବିଶେଷକରି ରିଲାଏନ୍ସ ଜିଓ ପରି ଶସ୍ତା ସେବା ଯୋଗାଉଥିବା କମ୍ପାନି ବଜାରକୁ ଆସିବା ପରେ ଅଧିକରୁ ଅଧିକ ଲୋକ ୨ଜି ଓ ୩ଜି ସେବା ଛାଡିି ୪ଜି ସେବା ଗ୍ରହଣ କରିବେ ବୋଲି ଏକ ରିପୋର୍ଟରୁ ଜଣାପଡିଛି ।

ଲଣ୍ଡନ ଭିତ୍ତିକ ଓପନସିଗନାଲ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରୁ ଜଣାପଡିଛି ଯେ ଭାରତୀୟ ଟେଲିକମ ବଜାରରେ ଜିଓର ପ୍ରବେଶ ଫଳରେ ତୀବ୍ର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ପୁଣି ଏକ ପ୍ରାଇସ ଓ୍ଵାର ବା ମୂଲ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହା ଫଳରେ ଗ୍ରାହକ ଲାଭରେ ରହୁଛନ୍ତି । ୨୦୧୮ରେ ମଧ୍ୟ ଏହି ଧାରା ଅବ୍ୟାହତ ରହିବା ଆଶା କରାଯାଉଛି । ତେବେ ଜିଓ ନିଜର ପ୍ରାଧାନ୍ୟ ବଜାୟ ରଖିବ କି ନା ତାହା କହିବା କଷ୍ଟକର । କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ୨୦୧୭ରେ ବର୍ଷ ଶସ୍ତାରେ ସେବା ଯୋଗାଇବା ପରେ ୨୦୧୮ରେ ଜିଓ ଦର ବଢାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଫଳରେ ଅବଶ୍ୟ ଅନ୍ୟ ଅପରେଟରମାନେ ଟିକିଏ ସହଜ ଅନୁଭବ କରିବେ ।

କ୍ରିସିଲର ଏକ ରିପୋର୍ଟ ଅନୁସାରେ ଏବେ ଭାରତରେ ମୋଟ ଟେଲିକମ ସବସ୍କ୍ରାଇବର ମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଡାଟା ବ୍ୟବହାର କରୁଥିବାବେଳେ ୨୦୨୨ ସୁଦ୍ଧା ତାହା ୮୦ ପ୍ରତିଶତରେ ପହଞ୍ଚିବ । ସଂସ୍ଥା ପକ୍ଷରୁ ବିଶ୍ୱ ସ୍ତରରେ କରାଯାଇଥିବା ଅଧ୍ୟୟନ ଅନୁସାରେ ଡାଟା ଡାଉନଲୋଡ ସ୍ପିଡ୍‌ ମାତ୍ର ୬.୧ ଏମବିପିଏସ ରହିଛି, ଯାହାକି ବିଶ୍ୱ ହାରଠାରୁ କମ । କିନ୍ତୁ ୪-ଜି ସେବା ବ୍ୟବହାର ବଢିବା ଦ୍ୱାରା ଭାରତର ସ୍ଥାନରେ ଉନ୍ନତି ଆସିବ ।