ଚାମ୍ପିଅନ୍ସଟ୍ରଫି ମୁକାବିଲାରେ ଆଣ୍ଠେଇଲା ପାକିସ୍ତାନ ! ୧୨୪ ରନରେ ମ୍ୟାଚ ଜିତିଲା ଭାରତ

30

କନକ ବ୍ୟୁରୋ: ପୁଣି ଏକ ବଡ ମୁକାବିଲାରେ ଭାରତ ଆଗରେ ମାଟି କାମୁଡିଲା ପାକିସ୍ତାନ । ଆଇସିସି ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍-ବିର ଏକ ମୁକାବିଲାରେ ପାକିସ୍ତାନକୁ ୧୨୪ ରନରେ ଧରାସାଇ କଲା ଟିମ୍ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚକୁ ଡିଏଲ ନିୟମ ଅନୁସାରେ ୧୨୪ ରନରେ ବିରାଟ କୋହଲିଙ୍କ ଟିମ୍ ଜିତିନେଇଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ ।

ମିନି ବିଶ୍ୱ କପ୍ କୁହାଯାଉଥିବା ଏହି ଟୁର୍ଣ୍ଣାମେଂଟରେ ବିଜୟ ସହ ଭାରତ ତାର ଅଭିଯାନ ଆରମ୍ଭ କରିଛି । ମାତ୍ର ୨୯ ରନରେ ଅର୍ଦ୍ଧଶତକ କରିଥିବା ଯୁବରାଜ ସିଂଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା ପାକିସ୍ତାନ । ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧୱନ ଆରମ୍ଭରୁ ଧିମା ଖେଳିଥିଲେ । ତେବେ ୧୦ମ ଓଭରରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା । ପ୍ରଥମ ୱିକେଟ୍ ଯୋଡିରେ ଦୁଇ ଓପନର ୧୩୬ ରନ୍ କରିଥିଲେ ।

ବ୍ୟକ୍ତିଗତ ଭାବେ ରୋହିତ ୯୧ ଓ ଶେଖର ୬୮ ରନ୍ କରି ଆଉଟ ହୋଇଥିଲେ । ଏହା ପରେ ବିରାଟ କୋହଲି ଓ ଯୁବରାଜ ସିଂ ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲେ । ଅଧିନାୟକ କୋହଲି ଅପରାଜିତ ୮୧ ରନ୍ କରିଥିବା ବେଳେ ମାତ୍ର ୩୨ ବଲରେ ୫୩ ରନ୍ କରିଥିଲେ ଯୁବରାଜ । ଏଥିରେ ୮ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ଶେଷ ଓଭରରେ ଲଗାତାର ୩ଟି ଛକାମାରି ବର୍ମିଂହମରେ ଉପସ୍ଥିତ ଦର୍ଶକଙ୍କ ମନକିଣିନେଇଥିଲେ ହାର୍ଦିକ ପାଣ୍ଡ୍ୟା । ଏହି ଓଭରରୁ ୨୩ ରନ ସଂଗ୍ରହ କରିଥିଲା ଭାରତ । ଏହାସହ ଶେଷ ୪ ଓଭରରୁ ଦଳ ୭୨ ରନ୍ କରିଥିଲା । ନିର୍ଦ୍ଧାରିତ ୪୮ ଓଭରରେ ଭାରତ ୩ ୱିକେଟ୍ ହରାଇ ୩୧୯ ରନ୍ କରିଥିଲା ।

ତେବେ ଭାରତୀୟ ପାଳିରେ ଦୁଇ ଥର ବର୍ଷା ବାଧା ସୃଷ୍ଟି କରିଥିବାରୁ ପାକିସ୍ତାନ ଆଗରେ ୩୨୪ ରନର ବିଜୟ ଲକ୍ଷ୍ୟ ରହିଥିଲା । ପାକିସ୍ତାନ ପାଳିରେ ବର୍ଷା ବାଧା ସୃଷ୍ଟି କରିଥିଲ । ଡିଏଲ ହିସାବରେ ପାକିସ୍ତାନକୁ ୪୧ ଓଭରରୁ ୨୮୯ ରନ ସଂଗ୍ରହ ପାଇଁ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ଦଳ ୩୩ ଓଭର ୪ ବଲରେ ମାତ୍ର ୧୬୪ ରନ୍ ସଂଗ୍ରହ କରିପାରିଥିଲା । ପାକିସ୍ତାନ ପକ୍ଷରୁ ଆଝାର ଅଲ୍ଲୀ ସର୍ବାଧିକ ୫୦ ରନ୍ କରିଥିଲେ । ଭାରତୀୟ ବୋଲର ଉମେଶ ଯାଦବ ସର୍ବାଧିକ ୩ଟି ୱିକେଟ୍ ହାତେଇଥିଲେ । ଭାରତର ପରବର୍ତ୍ତୀ ମ୍ୟାଚ ଆସନ୍ତା ୮ ତାରିଖରେ ଶ୍ରୀଲଙ୍କା ସହ ଓଭାଲଠାରେ ଖେଳାଯିବ ।