ଶତ୍ରୁ ରାଷ୍ଟ୍ରଙ୍କୁ କଡା ମୁକାବିଲା କରିବ ଭାରତ । ଚୀନ,ପାକ ସୀମାରେ ମୁତୟନ ହେବେ ୧୫ଟି ନୂଆ ବାଟାଲିୟନ

26

କନକ ବ୍ୟୁରୋ : ଦେଶର ସୀମାନ୍ତ ଅଂଚଳଗୁଡ଼ିକରେ ବିଦେଶୀ ଅନୁପ୍ରବେଶ ବଢିଚାଲିଛି । ବିଶେଷକରି ପାକସ୍ତାନ ଓ ବାଂଲାଦେଶ ସୀମା ଦେଇ ବିଦେଶୀ ଆତଙ୍କବାଦୀ ଭାରତରେ ପ୍ରବେଶ କରୁଛନ୍ତି । ଏହା ସହିତ ଚୀନ ସୀମାରେ ଅଶାନ୍ତି ବଢୁଛି । ଚୀନକୁ ଲାଗିଥିବା ଭାରତର ଉତ୍ତର ଓ ଉତ୍ତର-ପୂର୍ବ ସୀମାରେ ବାରମ୍ବାର ଅନୁପ୍ରବେଶ କରୁଛନ୍ତି ଚୀନ ସେନା । ଏସବୁର ମୁକାବିଲା ଲାଗି ନିଜର ସୀମା ସୁରକ୍ଷା ବାହିନୀଗୁଡ଼ିକର ଶକ୍ତି ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଭାରତର ଦୁଇ ସୀମା ସୁରକ୍ଷା ବାହିନୀ ବିଏସଏଫ ଓ ଇଣ୍ଡୋ-ତିବ୍ଦତୀୟ ବର୍ଡର ପୁଲିସ (ଆଇଟିବିପି)ର ମୋଟ ୧୫ଟି ନୂଆ ବାଟାଲିୟନ ଯୋଗ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୧୫ଟି ମଧ୍ୟରୁ ବିଏସଏଫରେ ୬ଟି ଓ ଆଇଟିବିପିରେ ୯ଟି ବାଟାଲିୟନ ରଖାଯିବ । ପ୍ରତି ବାଟାଲିୟନରେ ୧ ହଜାର ଜଣ ଜଓ୍ଵାନ ଓ ଅଫିସର ରହିବେ । ଏହି ବିଏସଏଫ ବାଟାଲିୟନଗୁଡ଼ିକ ମୁଖ୍ୟତଃ ପାକିସ୍ତାନ ସୀମାକୁ ଲାଗିଥିବା ପଂଜାବ , ଜାମ୍ମୁ ଓ କାଶ୍ମୀର ଏବଂ ଆସାମ, ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ମୃତୟନ କରାଯିବ ।

ସେହିପରି ଆଇଟିବିପିର ଶକ୍ତି ବଢାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ସେଥିଲାଗି ବିଏସଏଫ ଅପେକ୍ଷା ଆଇଟିବିପି ଲାଗି ଅଧିକ ନୂଆ ବାଟାଲିୟନ ଗଠନ କରାଯାଉଛି । ଆଇଟିବିପିରେ ପ୍ରାୟ ୯ ହଜାର ( ୯ଟି ବାଟାଲିୟନ) ଯୋଗ କରାଯିବ । ଚୀନ ସେନାର ବଢିଚାଲିଥିବା ଅନୁପ୍ରବେଶର ମୁକାବିଲା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।