କନକ ବ୍ୟୁରୋ : ଚତୁର୍ଦଶ ଓଡ଼ିଶା ପୁରୁଷ ହକି ବିଶ୍ବକପର ପୁଲ୍ ‘ସି’ ତୃତୀୟ ତଥା ଚୂଡାନ୍ତ ରାଉଣ୍ଡ୍ ଲିଗ୍ ଖେଳ ଶନିବାର ଅନୁଷ୍ଠିତ ହେବ। ସଂଧ୍ୟା ୫ଟାରେ ବିଶ୍ବର ୩ ନମ୍ବର ଦେଶ ବେଲଜିୟମ ଭେଟିବ ଆଫ୍ରିକୀୟ ବିଜେତା ଦକ୍ଷିଣ ଆଫ୍ରିକାକୁ। ରାତି ୭ଟାରେ ଆୟୋଜକ ଭାରତ ଖେଳିବ ଦକ୍ଷିଣ ଆମେରିକୀୟ ଦେଶ କାନାଡ଼ା ସହିତ। ସିଧାସଳଖ କ୍ବାର୍ଟର ଫାଇନାଲ୍ ପ୍ରବେଶ ଦୌଡ଼ରେ ରହିଛନ୍ତି ଏହି ୪ ଦଳ। ଭାରତ ଏବଂ ବେଲଜିୟମ୍ ସମାନ ୪ ପଏଣ୍ଟ୍ ଲେଖାଏଁ ପାଇଥିଲେ ବି ଗୋଲ୍ ବ୍ୟବଧାନ ଦୃଷ୍ଟିରୁ ଭାରତ ଶୀର୍ଷରେ ରହିଛି।
ଭାରତକୁ ଅନ୍ୟୁନ ବିଜୟ କିମ୍ବା ଅମୀମାଂସିତ ଆବଶ୍ୟକ କରୁଛି। ତଥାପି ବେଲଜିୟମର ପ୍ରଦର୍ଶନ ଭାରତ ପାଇଁ ମହତ୍ବ ରଖିବ। ଉଭୟ ଦଳର ପ୍ରଦର୍ଶନ ହିଁ କ୍ବାର୍ଟର ଫାଇନାଲିଷ୍ଟ ନିର୍ଣ୍ଣୟ କରିବ। କାନାଡ଼ା ଏବଂ ଦକ୍ଷିଣ ଆଫ୍ରିକା ୧ ପଏଣ୍ଟ୍ ଲେଖାଏଁ ପାଇଥିବାରୁ ଅନ୍ୟୁନ କ୍ରସ୍ ଓଭର ଯୋଗ୍ୟତା ଲକ୍ଷ୍ୟରେ ରହିବେ। ପୁଲ୍ ସମ୍ପୂର୍ଣ୍ଣ ମୁକ୍ତ ରହିଥିବାରୁ କିଛି ବି ସମ୍ଭବ ହୋଇପାରେ। ସେଭଳି ବଡ଼ ବିପର୍ୟ୍ୟୟ ସୃଷ୍ଟି ନ ହେଲେ ଭାରତ ପରବର୍ତୀ ପର୍ଯ୍ୟାୟକୁ ଯିବା ଏକ ପ୍ରକାର ନିଶ୍ଚିତ। ଏପରିକି +୫ ଗୋଲ୍ ଫାଇଦାରେ ଥିବାରୁ ଭାରତ ମଧ୍ୟ କ୍ବାର୍ଟର ଫାଇନାଲରେ ଗୋଟିଏ ପାଦ ରଖିଥିବା ବିଶ୍ବାସ ହେଉଛି। ଭାରତୀୟ ଦଳ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ବାରମ୍ବାର ଅତୀତ କଥାକୁ ଭୁଲି ଭବିଷ୍ୟତ ଉପରେ ଏକାଗ୍ର ରହିଛୁ ବୋଲି କହିଛନ୍ତି। ପୁଲ ‘ସି’ ଶୀର୍ଷରେ ରହି କ୍ବାର୍ଟର ଫାଇନାଲ୍ ଯିବା ଆମର ଏକମାତ୍ର ଲକ୍ଷ୍ୟ ବୋଲି ସ୍ପଷ୍ଟ କରିଛନ୍ତି।
ସତର୍କତାର ସହ ଖେଳିବାକୁ ପଡ଼ିବ: ହରେନ୍ଦ୍ର
”ଆମେ ସପ୍ତାହକ ପରେ ପଡ଼ିଆକୁ ଓହ୍ଲାଉଥିଲେ ବି ପ୍ରସ୍ତୁତ ଏବଂ ଏକାଗ୍ରତା ରଖିଛୁ। ହକିର ମୌଳିକତାକୁ ବଜାୟ ରଖିବୁ ଏବଂ ଯେଭଳି ଖେଳି ଆସିଛୁ ସେଭଳି ଖେଳିବୁ” ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭାରତୀୟ ଦଳ ଅଧିନାୟକ ମନପ୍ରୀତ୍ ସିଂହ। ନିଜ ଖେଳ ଉପରେ ଅଧିକ ଚିନ୍ତା କରିଛୁ ଏବଂ କାନାଡ଼ାର ଖେଳକୁ ବି ସମୀକ୍ଷା କରି ପ୍ରସ୍ତୁତ ହୋଇଛୁ। ଦଳ ପ୍ରସ୍ତୁତ କରୁଥିବା ଯୋଜନା ଓ କୌଶଳକୁ କାର୍ୟ୍ୟକାରୀ କରିବା ଆମ ଦାୟିତ୍ବ ବୋଲି କହିଥିଲେ ମନପ୍ରୀତ୍। ମୁଁ ବହୁ ଆଗରୁ କହି ଆସିଛି। ମାନ୍ୟତା କି ସଂଖ୍ୟାର କିଛି ମାନେ ନାହିଁ। ଏସବୁ ଇତିହାସ ପୃଷ୍ଠାର କଥା। ଗତ ଫିଫା ବିଶ୍ବକପ୍, ମହିଳା ହକି ବିଶ୍ବକପ୍ ଭଳି ଫ୍ରାନ୍ସ ବି ଏଠାରେ ଅପ୍ରତ୍ୟାଶିତ ଚମକ ଛାଡ଼ିଛି। ମାନସିକ ଦୃଢ଼ତା ବଡ଼ କଥା। ଏହା ନିଶ୍ଚିତ ଆଶ୍ଚର୍ୟ୍ୟ କରିଦେବାର ପ୍ରମାଣ ରଖିଯିବ ବୋଲି କହିଛନ୍ତି ଭାରତୀୟ ଦଳ ପ୍ରଶିକ୍ଷକ ହରେନ୍ଦ୍ର ସିଂହ।
ପୂର୍ବ ମ୍ୟାଚ୍ ପରେ ଆମେ ହାଲକାରେ ବୁଲିଥିଲୁ, କିନ୍ତୁ ଗତ ଦୁଇ ଦିନ ହେବ ହକି ଉପରେ ଏକାଗ୍ର ରହିଛୁ। ଏବେ ପ୍ରତି ପୁଲ୍ର ଶେଷ ମ୍ୟାଚ୍ ନିର୍ଣ୍ଣାୟକ ହେଉଥିବାରୁ ଆମକୁ ବି ସତର୍କ ରହିବାକୁ ପଡ଼ିବ ବୋଲି କହିଥିଲେ ହରେନ୍ଦ୍ର। ଅନ୍ୟପକ୍ଷରେ କାନାଡ଼ା ମଧ୍ୟ ଘରୋଇ ଭାରତକୁ ହରାଇ କିଛି କରିସ୍ମା କରିବା ଲକ୍ଷ୍ୟରେ ରହିଛି। ପୁଲ୍ ‘ସି’ ଏବେ ବି ଖୋଲା ଥିବାରୁ କାନାଡ଼ା ଏଭଳି ଆଶା କରିବା କିଛି ବୃଥା ନୁହେଁ। ‘ଭାରତ ଏକ ଭଲ ଦଳ, ଏହାର ଯୁବ ଖେଳାଳିମାନେ ବିପଜ୍ଜନକ ଖେଳୁଛନ୍ତି। ସେମାନଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ’ ବୋଲି କହିଛନ୍ତି କାନାଡ଼ା ଅଧିନାୟକ ସ୍କଟ୍ ଟୁପର।
ଅତୀତ ପ୍ରଦର୍ଶନ: କାନାଡ଼ା-୨, ଭାରତ-୨
ବିଶ୍ବକପରେ ଭାରତ ଏବଂ କାନାଡ଼ା ପରସ୍ପରକୁ ୪ ଥର ଭେଟିଛନ୍ତି। ଉଭୟ ୨ ଲେଖାଏଁ ଜିତିଛନ୍ତି। କିନ୍ତୁ କାନାଡ଼ା ୮ ଗୋଲ୍ ଦେଇଥିବା ବେଳେ ଭାରତ ଦେଇଛି ୬। ସାମ୍ପ୍ରତିକ ପ୍ରଦର୍ଶନ ସମତୁଲ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଶେଷ ଦୁଇ ମ୍ୟାଚରେ ଭାରତ ଜିତିନାହିଁ। ଗତବର୍ଷ ଲଣ୍ଡନ ବିଶ୍ବ ହକି ଲିଗ୍ ସେମିଫାଇନାଲ୍ସରେ କାନାଡ଼ା ୩-୨ରେ ଜିତିଥିବା ବେଳେ ରିଓ ଅଲିମ୍ପିକ୍ସରେ ଭାରତକୁ ୨-୨ ଗୋଲରେ ଅମୀମାଂସିତ ରଖିବାକୁ ବାଧ୍ୟ କରିଥିଲା। ବିଶ୍ବକପ୍ ଇତିହାସରେ କିନ୍ତୁ ଭାରତ ୯୩ରୁ ୪୦ ଜିତିଛି, କାନାଡ଼ା ୩୭ରୁ ୬ ବିଜୟରେ ସୀମିତ ରହିଛି।