ବିମାନ ସେବା ଉପରେ ପଡିଲା ଉତ୍ତେଜନାର ପ୍ରଭାବ ! ତିନି ସେନାର ମୁଖ୍ୟଙ୍କ ସହ ମୋଦୀଙ୍କ ଆଲୋଚନା ପରେ ସୁରକ୍ଷା କାରଣରୁ ବନ୍ଦ ହେଲା ବିମାନ ଉଡାଣ ।

497

କନକ ବ୍ୟୁରୋ : ବିମାନ ସେବା ଉପରେ ପଡ଼ିଲା ଉତ୍ତେଜନାର ପ୍ରଭାବ । ଦୁବାଇରୁ ପାକିସ୍ତାନକୁ ସିଧା ସଳଖ ଉଡ଼ାଣ ଉପରେ ରୋକ୍ ଲାଗିଥିବା ବେଳେ ପଂଜାବ, ଜାମ୍ମୁ କାଶ୍ମୀର ଓ ଅନ୍ୟାନ୍ୟ ସୀମାବର୍ତ୍ତୀ ବିମାନବନ୍ଦର ଉପରେ ପ୍ରଭାବ ପଡ଼ିଛି । ବିମାନବନ୍ଦର ଗୁଡ଼ିକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି ଓ ଦେଶର କିଛି ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି  ।

ପିଓକେରେ ଭାରତ ଜୈସର ଆତଙ୍କୀ ଆଡ୍ଡାକୁ ଉଡାଇବା ପରେ ଘାଇଲା ହୋଇଛି ପାକିସ୍ତାନ । ବଦଲା ନେବା ମୁଡରେ ବୁଧବାର ସକାଳେ ଭାରତୀୟ ସୀମାରେ ୩ କିମି ଭିତରକୁ ପସି ଆସିଥିଲା ପାକ୍ ଫାଇଟର ଜେଟ୍ । ଏଥିରୁ ଗୋଟିଏକୁ ଭାରତୀୟ ଜବାନ ଖସେଇ ଦେଇଥିଲେ । ତେବେ ଏହା ପରେ ଏୟାର ଆଟାକକୁ ନଜର ରଖି ଦେଶର ଉତ୍ତର ଭାରତରେ ଥିବା ପ୍ରମୁଖ ୮ଟି ଏୟାରପୋର୍ଟକୁ ବନ୍ଦ କରିଦିଆଯାଇଥିଲା । ପ୍ରାୟ ୪ ଘଂଟା ଧରି ଅଚଳ ହୋଇଥିଲା ବିମାନ ସେବା ।

ଆଜି ସକାଳେ ପିଓକେରୁ ଏଲଓସି ନିକଟରେ ୨ ଟି ପାକ୍ ଜେଟ୍ ଭାରତର ସୀମା ଭିତରେ ପ୍ରବେଶ କରିଥିଲା । ଆକାଶ ମାର୍ଗରେ ଏହି ପାକ୍ ବିମାନ ୨ଟି ପ୍ରାୟ ୩ କିମି ଭିତରକୁ ପଶି ଆସିଥିଲେ । ଏହାକୁ ଦେଖିବା ପରେ ତୁରନ୍ତ ଆକ୍ସନକୁ ଆସିଥିଲା ଇଣ୍ଡିଆନ୍ ଏୟାରଫୋର୍ସ । ଭାରତର ଜବାବୀ  କାର୍ଯ୍ୟାନୁଷ୍ଠାନରେ କିନ୍ତୁ ଫେରି ଯାଇଥିଲେ ୨ ପାକ୍ ଜେଟ୍ । ହେଲେ ମାକାଶ ମାର୍ଗରେ ଭାରତୀୟ ବିମାନର ଟାର୍ଗେଟର ଶିକାର ହୋଇଥିଲା ପାକିସ୍ତାନର ଏଫ ୧୬ ଲଢୁଆ ବିମାନ । ଏହାକୁ ମାରି ଖସାଇ ଦେଇଥିଲା ଭାରତ ।

ସ୍ଥିତିକୁ ଦେଖି ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ବସିଲା ଉଚ୍ଚ ସ୍ତରୀୟ ସୁରକ୍ଷା ବୈଠକ । ତିନି ସେନାର ମୁଖ୍ୟଙ୍କ ସହ ମୋଦୀଙ୍କ ଆଲୋଚନା ପରେ ଦେଶର  ୮ ଟି ବିମାନବନ୍ଦରରେ ସୁରକ୍ଷା କାରଣରୁ ବନ୍ଦ ହେଲା ବିମାନ ଉଡାଣ । ନା ବିମାନ ଆସିବ, ନା ଉଡାଣ ହେବ । ସମ୍ଭାବ୍ୟ ବିପଦକୁ ନଜରରେ ରଖି ଦିଲ୍ଲୀ ଏଟିସି ଜାରି କଲା ନୋ ଫ୍ଲାଇଟ୍ ପରମିଟେଡ୍ ନୋଟିସ୍  । ଆଲର୍ଟରେ ରହିଲା ବାୟୁସେନା । ଅମ୍ରିତସର, ପଠାନକୋଟ୍, ଶ୍ରୀନଗର, ଜାମ୍ମୁ, ଲେହ, ସିମଲା, କାଙ୍ଗଲା, କୁଲ୍ଲୁ ଏୟାରପୋର୍ଟରୁ ସମସ୍ତ ଉଡାଣକୁ ରଦ୍ଦ କରିଦିଆଗଲା ।

ସମୟ ଦିନ ୧୨ଟା ୨୫ ମିନିଟ୍ । ବିମାନବନ୍ଦରରେ ଅବତରଣ କରିବାକୁ ଥିବା ସମସ୍ତ ବିମାନକୁ ଅନ୍ୟ ବିମାନବନ୍ଦରକୁ ପଠାଇ ଦିଆଗଲା । ପାକ୍ ଏଫ ୧୬ ବିମାନକୁ ଭାରତ ଖସେଇ ଦେଇଥିବାରୁ ଅନୁମାନ କରାଯାଉଥିଲା ପାକିସ୍ତାନ ଏହି ସବୁ ଏୟାରପୋର୍ଟକୁ ଟାର୍ଗେଟ୍ କରିପାରେ । ସୁରକ୍ଷାକୁ ନଜରରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିଥିଲେ ଭାରତ ସରକାର । ପାଖାପାଖି ୪ ଘଣ୍ଟା ଧରି ଅଚଳ ହୋଇଗଲା ବିମାନ ସେବା । ଆକାଶ ମାର୍ଗରେ ପାକିସ୍ତାନର ସମସ୍ତ ଗତିବିଧି ଉପରେ ନଜର ରଖିଥିଲା ସୀମାରେ ମୁତୟନ ଥିବା ଏୟାରଫୋର୍ସର ଲଢୁଆ ବିମାନ । କେବଳ ଆଦେଶକୁ ଥିଲା ଅପେକ୍ଷା ।

ଅପରାହ୍ନ ପ୍ରାୟ ୪ ଟା ପରେ ୮ ବିମାନ ବନ୍ଦରରୁ ହଟିଲା କଟକଣା । ଉତ୍ତର ଭାରତରୁ ପୂର୍ବକୁ ସବୁ ଏୟାରପୋର୍ଟରୁ ବିମାନ ଉଡାଣ ସ୍ୱଭାବିକ କରାଗଲା । ହେଲେ ପଶ୍ଚିମକୁ କିନ୍ତୁ ଉଡାଣରେ ଲାଗିଛି ରୋକ୍ । ପଶ୍ଚିମ ଦେଶ ଗୁଡିକୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି । ଏହାର ବିକଳ୍ପ ବାଟ ଖୋଜୁଛି ଭାରତ । ଦିଲ୍ଲୀରୁ ମୁମ୍ୱାଇ ଭାୟା ମସ୍କାଟ ଦେଇ ପଶ୍ଚିମଦେଶ ଗୁଡିକୁ ବିମାନ ସେବା ଆରମ୍ଭ କରିବା ନଜର ରଖିଛି ଭାରତ ।