ଏସିଆରେ ଭାରତ ସବୁଠୁ ଦୁର୍ନୀତିଗ୍ରସ୍ତ

49

କନକ ବ୍ୟୁରୋ: ମୋଦି ସରକାର ଦୁର୍ନୀତି ରୋକିବାରେ ସଫଳ ହୋଇଥିବା ଦାବି କରୁଥିବା ବେଳେ ଫୋର୍ବସ ପକ୍ଷରୁ ଜାରି କରାଯାଇଥିବା ତାଲିକାରେ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ଦୁର୍ନୀତିରେ ଏକନମ୍ବର ସ୍ଥାନରେ ରହିଛି । ଟ୍ରାନସପାରେନ୍ସି ଇଣ୍ଟରନ୍ୟାସନାଲ ନାମକ ଏକ ବିଶ୍ୱ ଦୁର୍ନୀତି ନିବାରଣ ସାମାଜିକ ସଂଗଠନ ସଂସ୍ଥାର ସର୍ବେକ୍ଷଣ ଆଧାରରେ ଫୋର୍ବସ ଏହି ତାଲିକା ପ୍ରକାଶ କରିଛି । ଫୋର୍ବସ ପକ୍ଷରୁ ଏସିଆର ପାଞ୍ଚଟି ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ତାଲିକାରେ ଭାରତ, ଭିଏତନାମ, ଥାଇଲାଣ୍ଡ, ପାକିସ୍ତାନ ଓ ମିଆଁମାର ରହିଛନ୍ତି । ଲାଞ୍ଚ ମାମଲାରେ ଭାରତ ୬୯ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଛି ।

ସ୍କୁଲ, ଡାକ୍ତରଖାନା, ପରିଚୟପତ୍ର, ପୁଲିସ ଏବଂ ଅତ୍ୟାବଶ୍ୟକ ସେବା ଭଳି ୬ଟି ମୌଳିକ ସେବା କ୍ଷେତ୍ରରେ ସର୍ବାଧିକ ଲାଞ୍ଚ ଦେବାକୁ ପଡ଼ିଥାଏ ବୋଲି ସର୍ବେକ୍ଷଣରେ ଭାଗ ନେଇଥିବା ଅର୍ଦ୍ଧାଧିକ ବ୍ୟକ୍ତି ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବାଧିକ ୫୯ପ୍ରତିଶତ, ସ୍କୁଲମାନଙ୍କରେ ୫୮ ପ୍ରତିଶତ ଓ ପୁଲିସରେ ୫୪ ପ୍ରତିଶତ କ୍ଷେତ୍ରରେ ଲାଞ୍ଚ ଦେବାକୁ ପଡ଼ିଥାଏ ବୋଲି ଉଲ୍ଲେଖ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତି ବିରୋଧରେ ସଂଗ୍ରାମ ନେଇ ଏଥଇରେ ପ୍ରଶଂସା କରାଯାଇଛି । ଏହି ଅଭିଯାନ ଠିକ୍ ଭାବେ ଗତି କରୁଥିବା ୫୩ପ୍ରତିଶତ ବ୍ୟକ୍ତି ଜଣାଇଛନ୍ତି ।

ଏହା ଲୋକଙ୍କ ମଧ୍ୟରେ ଚେତନା ସୃଷ୍ଟି କରିଥିବା ବେଳେ ସାଧାରଣ ଜନତା ବ୍ୟାପକ ପରିବର୍ତ୍ତନ ଆଣି ପାରିବେ ବୋଲି ୬୩ପ୍ରତିଶତ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଲାଞ୍ଚ ମାମଲାରେ ୬୫ ପ୍ରତିଶତ ସହ ଭିଏତନାମ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ୪ନଂ ସ୍ଥାନରେ ରହିଥିବା ପାକିସ୍ତାନରେ ୪୦ପ୍ରତିଶତ ଲାଞ୍ଚ କାରବାର ହୋଇଥିବା କୁହାଯାଇଛି । ସେଠାରେ ପୁଲିସ ସବୁଠାରୁ ଦୁର୍ନୀତିଗ୍ରସ୍ତ ବୋଲି କୁହାଯାଇଛି ।

ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୧୬ଟି ଦେଶର ବିଭିନ୍ନ ସ୍ଥାନରେ ଦୀର୍ଘ ୧୮ମାସ ଧରି ୨୦ହଜାରରୁ ଅଧିକ ଲୋକଙ୍କ ମତାମତକୁ ନେଇ ସର୍ବେକ୍ଷଣ କରାଯାଇଥିଲା । ଜାରି ହୋଇଥିବା ତାଲିକା ୨୦୧୭ ମାର୍ଚ ପର୍ଯ୍ୟନ୍ତ ସଂଗୃହୀତ ତଥ୍ୟ ଆଧାରରେ ପ୍ରସ୍ତୁତ କରାଯାଇଛି। ବର୍ଲିନର ଏହି ସଂସ୍ଥା ଦ୍ୱାରା ଦୁର୍ନୀତି ଧାରଣା ସୂଚକାଙ୍କ ତାଲିକାରେ ଥିବା ବିଶ୍ୱର ୧୬୮ଟି ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ତାଲିକାରେ ଗତବର୍ଷ ଭାରତ ୭୬ତମ ସ୍ଥାନରେ ରହିଥିଲା ।