ଚୀନ ଓ ପାକିସ୍ତାନ ସାବଧାନ ! ୨୦୩୦ ସୁଦ୍ଧା ଭାରତୀୟ ସେନା ହେବ ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା, ଆମେରିକୀୟ ପତ୍ରିକାରେ ଆସିଲା ରୋଚକ ତଥ୍ୟ

159

ଚୀନ ଓ ପାକିସ୍ତାନ ସାବଧାନ । ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା ଭିତରେ ରହିବ ଭାରତର ନାଁ ।୨୦୩୦ ସୁଦ୍ଧା ବିଶ୍ୱର ସବୁଠୁ ଶକ୍ତିଶାଳୀ ୫ଟି ସେନା ମଧ୍ୟରେ ରହିବ ଭାରତୀୟ ସେନା । ଏକଥା ଭାରତ ସରକାର ଦାବି କରୁନାହାନ୍ତି, ବରଂ ଆମେରିକାର ଏକ ପ୍ରମୁଖ ଥିଙ୍କଟ୍ୟାଙ୍କ କହିଛି । ଏସଂପର୍କିତ ଏକ ରିପୋର୍ଟ ଆମେରିକାର ଏକ ମର୍ୟ୍ୟାଦାଜନକ ପତ୍ରିକା ‘ନ୍ୟାସନାଲ ଇଣ୍ଟରେଷ୍ଟ’ରେ ପ୍ରକାଶ ପାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୩୦ ସୁଦ୍ଧା ବିଶ୍ୱର ୫ଟି ସବୁଠୁ ଶକ୍ତିଶାଳୀ ସେନା ମଧ୍ୟରେ ଭାରତୀୟ ସେନା ରହିବ । ଏହି ତାଲିକାରେ ଥିବା ଅନ୍ୟ ସେନାଗୁଡ଼ିକ ହେଲା ଋଷ ସେନା, ଫ୍ରାନ୍ସ ସେନା, ଆମେରିକା ସେନା ଓ ଚୀନ ସେନା । ତେବେ ଏହି ଅଧ୍ୟୟନ ବେଳେ ବାୟୁସେନା ଓ ନୌସେନା ଶକ୍ତିକୁ ବିଚାରକୁ ନିଆଯାଇନାହିଁ । ଏହି ତିନି ପ୍ରକାରର ସେନାର ମିଳିତ ଶକ୍ତିରେ ଆମେରିକା ସମସ୍ତଙ୍କଠାରୁ ବହୁ ଆଗରେ ରହିବ ।ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ସେନା ଅନ୍ୟମାନଙ୍କଠାରୁ ବେଶ ଆଗୁଆ ରହିବ । ଏହାର କାରଣ ହେଉଛି, ବିଳମ୍ବରେ ହେଲେ ମଧ୍ୟ ଭାରତ ନିଜ ସେନାର ଆଧୁନୀକିକରଣ ଆରମ୍ଭ କରିଛି । ଏହି ରିପୋର୍ଟରେ ଚୀନ ସେନାଠାରୁ ଭାରତୀୟ ସେନାକୁ ଉପରେ ରଖାଯାଇଛି । ଏହାର କାରଣ ହେଉଛି ଭାରତୀୟ ସେନାର ଲଢୁଆ ଅଭିଜ୍ଞତା ।

ଚୀନସେନା ଗତ ୧୯୭୯ରେ ହେଇଥିବା ଭିଏତନାମ ଯୁଦ୍ଧ ପରଠାରୁ କୌଣସି ଯୁଦ୍ଧ ଲଢିନାହିଁ । ଏଣୁ ଗତ ୪୦ ବର୍ଷ ମଧ୍ୟରେ ଚୀନ ସେନାର ପ୍ରକୃତ ଯୁଦ୍ଧ ଅଭିଜ୍ଞତା ନାହିଁ । କିନ୍ତୁ ଭାରତୀୟ ସେନା ପ୍ରାୟ ପ୍ରତିଦିନ ଯୁଦ୍ଧ ଲଢୁଛି । କାଶ୍ମୀର ଓ ଉତ୍ତରପୂର୍ବ ରାଜ୍ୟରେ ଭାରତୀୟ ସେନା ବର୍ଷ ବର୍ଷ ଧରି ଲଢି ଏକ ଦୂର୍ଦ୍ଦାନ୍ତ ଲଢୁଆ ସେନାରେ ପରିଣତ ହୋଇଛି । ଆହୁରି ମଧ୍ୟ ଭାରତ ସମଗ୍ର ବିଶ୍ୱରେ ଏପରି ଏକ ଦେଶ ଯାହାକୁ ବିଶ୍ୱର ସବୁ ଶକ୍ତିଶାଳୀ ଦେଶ(ଚୀନକୁ ଛାଡି) ଯଥା ଆମେରିକା, ଋଷିଆ, ଇସ୍ରାଏଲ ଓ ଫ୍ରାନ୍ସ ଅସ୍ତ୍ରଶସ୍ତ୍ର ଓ ଜ୍ଞାନକୌଶଳ ଯୋଗାଉଛନ୍ତି । କିନ୍ତୁ ଚୀନ କେବଳ ଋଷିଆଠାରୁ ଜ୍ଞାନକୌଶଳ ପାଉଛି । ଆଗାମୀ ଦିନରେ ଭାରତକୁ ଶକ୍ତିଶାଳୀ କରି ଚୀନକୁ ଚ୍ୟାଲେଞ୍ଜ କରିବାକୁ ଆମେରିକାର ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନର ଯୋଜନା ପରେ ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବା ଆଶା କରାଯାଉଛି ।