ଅନ୍ତର୍ଜାତୀୟ ମଂଚରେ ପୁଣି ପାକିସ୍ତାନର ମୁଖା ଖୋଲିଲା ଭାରତ । ଆତଙ୍କବାଦକୁ କୁଟନୈତିକ ଅସ୍ତ୍ର କରିଛି ପାକ୍, ଅନ୍ୟ କୌଣସି ରାଷ୍ଟ୍ର କାଶ୍ମୀର ପ୍ରସଙ୍ଗରେ କରିପାରିବେ ନାହିଁ ହସ୍ତକ୍ଷେପ ।

274

କନକ ବ୍ୟୁରୋ : ପାକିସ୍ତାନର କୂଟନୈତିକ ଅସ୍ତ୍ର ‘ଆତଙ୍କବାଦ’ । ଅନ୍ତର୍ଜାତୀୟ ମଂଚରେ ଭାରତର ଅଭିଯୋଗ । ଅନ୍ତର୍ଜାତୀୟ ମଂଚରେ ପୁଣିଥରେ ପାକିସ୍ତାନର ମୁଖା ଖୋଲି ଦେଇଛି ଭାରତ । ଜେନେଭାରେ ଆୟୋଜିତ ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଭାରତ କହିଛି, ‘ଆତଙ୍କବାଦକୁ କୁଟନୈତିକ ଅସ୍ତ୍ର କରିଛି ପାକିସ୍ତାନ’ । ଜାମ୍ମୁ-କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହେଉଥିବା କହି ଅନ୍ତର୍ଜାତୀୟ ସମୁଦାୟର ହସ୍ତକ୍ଷେପ ଦାବି କରିଥିଲା ପାକିସ୍ତାନ । ହେଲେ ୟୁଏନଏଚଆରସିରେ ଭାରତୀୟ ପ୍ରତିନିଧି ବିଜୟ ଠାକୁର ସିଂହ କହିଛନ୍ତି, ‘ଅଭିଯୋଗ କପୋଳକଳ୍ପିତ’ ଏବଂ ‘ବିଶ୍ୱ ଆତଙ୍କବାଦର କେନ୍ଦ୍ର ପାଲଟିଥିବା ପାକିସ୍ତାନ ଏହି ଅଭିଯୋଗ ଆଣିଛି’ । ‘ଯେଉଁଠି ଅନ୍ତର୍ଜାତୀୟ ସମୁଦାୟ ଦ୍ୱାରା ଆତଙ୍କବାଦୀ ଘୋଷିତ ରିଙ୍ଗ ଲିଡରମାନେ ବର୍ଷବର୍ଷ ଧରି ଆଶ୍ରୟ ନେଉଛନ୍ତି’ ।

ଗୋଟିଏ ଝଟକାରେ ପାକିସ୍ତାନର ସବୁ ଦଲିଲକୁ କାଟି ଦେଇଥିଲେ ଭାରତୀୟ ପ୍ରତିନିଧି । ସିଧାସିଧା ଅଭିଯୋଗ କରିଥିଲେ, ଯେଉଁ ଦେଶ ସାରାବିଶ୍ୱରେ ଆତଙ୍କବାଦ ଖେଳାଇବାକୁ ପ୍ରୋତ୍ସାହନ ଦେଉଛି ସେ ଦେଶର ମାନବାଧିକାର ସଂପର୍କରେ କହିବାର କୌଣସି ଅଧିକାର ନାହିଁ ।

ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ୧୧୫ ପୃଷ୍ଠାର ମିଥ୍ୟା ଦଲିଲ ଉପସ୍ଥାପନ କରିଥିଲା ପାକିସ୍ତାନ । ଏହି ଦସ୍ତାବିଜକୁ ଉପସ୍ଥାପନ କରି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ କହିଥିଲେ, ‘ଆଜି ମୁଁ ମାନବାଧିକାର ପରିଷଦର ଦ୍ୱାରସ୍ଥ ହୋଇଛି, ଯିଏକି ସାରା ବିଶ୍ୱରେ ମାନବାଧିକାରର ସୁରକ୍ଷା ପାଇଁ ଯତ୍ନବାନ । ତେଣୁ ମୁଁ କାଶ୍ମୀରବାସୀଙ୍କ ସମ୍ମାନ ଓ ନ୍ୟାୟ ପାଇଁ ଦାବି କରୁଛି ।’ ହେଲେ ଏହାର ଜବାବରେ ବିଜୟ ଠାକୁର ସିଂ କହିଥିଲେ, କାଶ୍ମୀରକୁ ନେଇ ସମସ୍ତ ନିଷ୍ପତି ଗଣତାନ୍ତ୍ରିକ ପ୍ରକ୍ରିୟାରେ ହେଉଛି । ଦେଶର ସମ୍ବିଧାନ ଏଥିପାଇଁ ସରକାରଙ୍କୁ କ୍ଷମତା ଦେଇଛି । କାଶ୍ମୀରରୁ ଧାରା ୩୭୦ ହଟାଯିବା ସଂପୂର୍ଣ୍ଣଭାବେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ । ଏବଂ ଏଥିରେ ଅନ୍ୟ କୌଣସି ରାଷ୍ଟ୍ର ହସ୍ତକ୍ଷେପ କରିପାରିବେ ନାହିଁ ।

ଜାତିସଂଘରେ ଜାମ୍ମୁ-କାଶ୍ମୀର କଥା ଉଠାଉଥିବା ପାକିସ୍ତାନକୁ ପିଓକେ ପ୍ରସଙ୍ଗ ଉଠାଇ ଘେରିଥିଲେ ବିଜୟ ଠାକୁର ସିଂହ । ପାକ୍ ଅଧିକୃତ କାଶ୍ମୀରରେ ଇସଲାମାବାଦ ସରକାର ଦମନଲୀଳା ଚଳାଇଥିବା କହି ଓଲଟା ପାକିସ୍ତାନକୁ ଅପଦସ୍ତ କରିଥିଲେ ।

ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ବାରମ୍ବାର ଅନ୍ତର୍ଜାତୀୟ ଫୋରମରେ ନିରାଶ ହୋଇଛି ପାକିସ୍ତାନ । ତେଣୁ ଏଠାରେ ମୋଦି ସରକାର ନରସଂହାର କରିବା ସହ ଲୋକଙ୍କ ମାନବାଧିକାରକୁ ଛଡାଇ ନେଇଥିବା କହି ୟୁଏନଏଚଆରସିରେ ଗୁଡାଏ ମିଛ ଦଲିଲ ଉପସ୍ଥାପନ କରିଛି ସଇତାନ ପାକିସ୍ତାନ । ଚଳିତମାସ ଶେଷ ଆଡକୁ ହେବାକୁ ଥିବା ଜାତିସଂଘର ସାଧାରଣ ପରିଷଦ ବୈଠକରେ ଏଭଳି ଅଭିଯୋଗକୁ ଆହୁରି ଜୋରଦାର କରିବ ପାକିସ୍ତାନ । କାରଣ ଏଥିରେ ଯୋଗ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ହେଲେ ପାକିସ୍ତାନର ସବୁ ମିଛ ଉପରୁ ପରଦା ହଟାଇବା ପଇଁ ମଧ୍ୟ ପୂର୍ଣ୍ଣ ପ୍ରସ୍ତୁତି କରିଛି ନୂଆଦିଲ୍ଲୀ ।