ନୀତି ଆୟୋଗର ରିପୋର୍ଟ ! ଭାରତରେ ବର୍ତ୍ତମାନ ଉତ୍କଟ ଜଳ ସମସ୍ୟା , ୨୦୩୦ ମଧ୍ୟରେ ସୁଧାର ନହେଲେ ତ୍ରାହିତାହି ଡାକିବେ ଲୋକେ ।

206

ଭାରତରେ ବର୍ତ୍ତମାନ ଭୟଙ୍କର ଜଳ ସମସ୍ୟା ଦେଖାଦେଇଛି । ଯାହାକୁ ନେଇ ନୀତି ଆୟୋଗ ପ୍ରସ୍ତୁତ କରିଛି ରିପୋର୍ଟ । କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟ, କେନ୍ଦ୍ର ପନୀୟ ଜଳ ଓ ସ୍ୱଚ୍ଛତା ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଜଳ ସମସ୍ୟା ଏଭଳି ହୋଇଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ୨୦୧୬-୧୭ ଆର୍ଥିକ ବର୍ଷର ଜଳ ସଂରକ୍ଷଣ ଓ ପରିଚାଳନା ରିପୋର୍ଟ ନୀତି ଆୟୋଗ ପ୍ରକାଶିତ କରିଛନ୍ତିି । ଯେଉଁଥିରେ ବର୍ତ୍ତମାନ ସମଗ୍ର ରାଜ୍ୟର ଜଳସ୍ତର, ପରିଚାଳନା ଏବଂ ସଂରକ୍ଷଣକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଊଲ୍ଲେଖ କରାଯାଇଛି । ତେବେ ନୀତି ଆୟୋଗ ରିପୋର୍ଟ ଦେଖିବାପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଥିବା ସ୍ପଷ୍ଟ ହୋଇଛି ।

୨୦୧୬-୧୭ ଆର୍ଥିକ ବର୍ଷ ଦେଶର ପ୍ରମୂଖ ରାଜ୍ୟମାନଙ୍କରେ ଜଳ ସଂରକ୍ଷଣ ଓ ପରିଚାଳନାରେ ୧୦୦ ପ୍ରତିଶତରୁ କେତେ ପ୍ରତିଶତର ପ୍ରଦର୍ଶନ ରହିଛି ସେନେଇ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ନୀତି ଆୟୋଗ । ତେବେ ରିପୋର୍ଟ ଅନୁସାରେ ଦୁଇଟି ବିଭାଗ କରାଯାଇଛି ପ୍ରଥମଟି ହିମଗିରି ବାହ୍ୟ ରାଜ୍ୟ ଏବଂ ଅନ୍ୟଟି ହିମଗିରି ଅଧିନରେ ଥିବା ରାଜ୍ୟ ମଧ୍ୟରେ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ହୀମଗିରି ବାହ୍ୟ ରାଜ୍ୟ                                                    ହିମଗିରି ପରିସରରେ ଥିବା ରାଜ୍ୟ

ଗୁଜୁରାଟ ୭୬                                                                  ତ୍ରିପୁରା ୫୯

ମଧ୍ୟପ୍ରଦେଶ ୬୯                                                              ହିମାଚଳ ପ୍ରଦେଶ ୫୩

ଆନ୍ଧ୍ରପ୍ରଦେଶ ୬୮                                                              ସିକିମ୍ ୪୯

କର୍ଣ୍ଣାଟକ ୫୬                                                                   ଆସାମ ୩୧

ମହାରାଷ୍ଟ୍ର ୫୫                                                                  ନାଗାଲାଣ୍ଡ ୨୮

ପଞ୍ଜାବ ୫୩                                                                     ଉତ୍ତରାଖଣ୍ଡ ୨୬

ତାମିଲନାଡୁ ୫୧                                                                ମେଘାଳୟ ୨୬

ତେଲେଙ୍ଗାନା ୫୦

ଛତିଶଗଡ ୪୯

ରାଜସ୍ଥାନ ୪୮

ଗୋଆ ୪୪

କେରଳ ୪୨

ଓଡିଶା ୪୨

ବିହାର ୩୮

ଉତ୍ତରପ୍ରଦେଶ ୩୮

ହରିୟାଣା ୩୮

ଝାଡଖଣ୍ଡ ୩୫

ନୀତି ଆୟୋଗର ରିପୋର୍ଟ ଅନୁସାରେ ଜଳ ସୂଚକାଙ୍କ ଫଳାଫଳ ବ୍ୟାପକରୂପେ ସମଗ୍ର ରାଜ୍ୟରେ ଏକ ପ୍ରକାର ଭିନ୍ନ ଚିତ୍ର ବୟାନ କରିୁଛି । କିନ୍ତୁ ଅଧିକାଂଶ ରାଜ୍ୟ ୫୦ ପ୍ରତିଶତରୁ କମ ଫଳାଫଳା ହାସଲ କରିଛି । ତେବେ ୨୦୧୬-୧୭ ଆର୍ଥିକ ବର୍ଷରେ ଜଳ ସମ୍ପାଦନ ଓ ପରିଚାଳନାକୁ ନେଇ ଉନ୍ନତ ପ୍ରଦର୍ଶନ କରିଥିବା ରାଜ୍ୟ ମଧ୍ୟରେ ଗୁଜୁରାଟକୁ ସର୍ବୋଚ୍ଚ ୭୬ ପ୍ରତିଶତ ସ୍କୋର ମିଳିଥିବାବେଳେ ମେଘାଳୟକୁ ସର୍ବନିମ୍ନ ୨୬ ପ୍ରତିଶତ ଜଳ ସଂରକ୍ଷଣ ଏବଂ ପରିଚାଳନା ପ୍ରଦର୍ଶନ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ମେଘାଳୟ ଦ୍ୱିତୀୟ, ଆନ୍ଧ୍ରପ୍ରଦେଶ ତୃତୀୟରେ ଥିବାବେଳେ ମାତ୍ର ୯ଟି ରାଜ୍ୟ ବର୍ତ୍ତମାନ ୫୦ ପ୍ରତିଶତ ଜଳ ସଂରକ୍ଷଣ ଏବଂ ସମ୍ପାଦନ କ୍ଷେତ୍ରରେ ପ୍ରଦର୍ଶନ କରିଥିବା ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ହୀମଗିରି ପରିଷରଭୁକ୍ତ ରାଜ୍ୟ ଏବଂ ହୀମଗିରି ବାହ୍ୟ ରାଜ୍ୟ ମଧ୍ୟରୁ ୧୪ ଟି ରାଜ୍ୟର ପ୍ରଦର୍ଶନକୁ ନେଇ ଚିନ୍ତାରେ କେନ୍ଦ୍ର ଓ ରାଜ୍ୟ ସରକାର । ପାଖାପାଖି ୧୪ଟି ରାଜ୍ୟରେ ୫୦ ପ୍ରତିଶତରୁ କମ ଜଳ ସଂରକ୍ଷଣ ଏବଂ ପରିଚାଳନା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ନୀତି ଆୟୋଗ ରିପୋର୍ଟ ଅନୁସାରେ ସର୍ବନିମ୍ନ ଜଳ ସମ୍ପାଦନା ଏବଂ ପରିଚାଳନା ରାଜ୍ୟମାନଙ୍କର ସଂଖ୍ୟା ଦେଶରେ ବଢ଼ିବାରେ ଲାଗିଛି । ସବୁଠାରୁ ଚିନ୍ତାର ବିଷୟ ହେଲା ଯେ ନୀତି ଆୟୋଗ ରିପୋର୍ଟ ମୁତାବକ ଓଡିଶା ୨୦୧୫-୧୬ ଆର୍ଥିକ ବର୍ଷରେ ୯ନଂ ସ୍ଥାନରେ ଥିବାବେଳେ ବର୍ତ୍ତମାନ ରିପୋର୍ଟରେ ୧୩ନଂ ସ୍ଥାନକୁ ଖସିଆସିଛି । ଏହାର ଅର୍ଥ ଓଡିଶାରେ ମଧ୍ୟ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ନୀତି ଆୟୋଗଙ୍କ ଗୁଡ ଲିଷ୍ଟରେ ଓଡିଶା ତାର ସ୍ଥିତି ହରାଇଛି ।

ବର୍ତ୍ତମାନ ନୀତି ଆୟୋଗ ରିପୋର୍ଟ ମୁତାବକ ପ୍ରତିବର୍ଷ ପାନୀୟ ଜଳ ସମସ୍ୟାରେ ପାଖାପାଖି ୨ ଲକ୍ଷ ଲୋକ ପ୍ରାଣ ହାରାଉଛନ୍ତି । ଏପରିକି ଆୟୋଗ ସତର୍କ କରାଇଛନ୍ତି ଯେ ୨୦୩୦ ଜଳ ସମସ୍ୟା ଦ୍ୱିଗୁଣିତ ହୋଇଯିବ । ବରଂ ଏହି ସମସ୍ୟା ଦ୍ୱିଗୁଣିତ ବଢ଼ିଯାଇପାରେ ବୋଲି ଚିନ୍ତାପ୍ରକଟ କରିଛି ଆୟୋଗ । ନୀତି ଆୟୋଗ ମୁଖ୍ୟ ଅମିତାଭ କାନ୍ତଙ୍କ ସୁଚନା ମୁତାବକ ଥିଙ୍କ ଟ୍ୟାଙ୍କ ଜରିଆରେ ଜଳ ସଂରକ୍ଷଣ ଏବଂ ପରିଳାନା ପ୍ରଦର୍ଶନର ଗୁଣବତା ମାପିବା ପାଇଁ ୯ଟି ବ୍ୟାପକ କ୍ଷେତ୍ରରେ ଦର୍ଶାଯାଇଥାଏ । ଯେଉଁଥିରେ ୨୮ଟି ବିଭିନ୍ନ ସାଂକେତିକ ଦିଗ ସୁଚାଇ ଦିଆଯାଇଛି ଯାହା ଭୂ-ଜଳ, ଜଳ ସଂରକ୍ଷଣ ପ୍ରଣାଳୀ, କ୍ଷେତ ସିଞ୍ଚନ, ଚାଷ କ୍ଷେତ୍ରରେ ସମ୍ପାଦନ, ପାନୀୟ ଜଳ ଏବଂ ନୀତି ଓ ସରକାରଙ୍କ ଯୋଗଦାନକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ ।

ନୀତି ଆୟୋଗ ରିପୋର୍ଟ ଅନୁସାରେ ବର୍ତ୍ତମାନ ଭାରତରେ ତାର ଇତିହାସର ସବୁଠାରୁ ବୃହତ ଜଳ ସଙ୍କଟରେ ଗତି କରୁଛି । ଯାହା ଦ୍ୱାରା ଲକ୍ଷ ଲକ୍ଷ ଲୋକମାନଙ୍କ ଜୀବିକା ବିପଦ ମୁହାଁ ହୋଇଛି । ତେବେ ବତ୍ତ’ମାନ ୬୦୦ ମିଲିୟନ ଭାରତୀୟ ଅଧିକ ଜଳ ସମସ୍ୟାରେ ପୀଡିତ ହେଉଥିବା ସହିତ ତାଙ୍କୁ ବିଶୁଦ୍ଧ ପାନୀୟ ଜଳ ପ୍ରାପ୍ତ ନହେବାରୁ ବର୍ଷରେ ୨ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ରିପୋର୍ଟରୁ ଜଣାପଡିଛି । ସେହିପରି ଦେଶରେ ୫୨ ପ୍ରତିଶତ କୃଷି ଜମି ବର୍ଷା ଜଳ ଉପରେ ନିର୍ଭର କରୁଥିବା ଯୋଗୁଁ ସିଞ୍ଚନ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ହୋଇପଡିଛି ।

ସେହିପରି ଦେଶର ୬୦ କୋଟି ଲୋକ ବର୍ତ୍ତମାନ ଉତ୍କଟ ଜଳ ସମସ୍ୟାରେ ସମ୍ମୁଖୀନ ହେଉଥିବାବେଳେ ପାଖାପାଖି ୭୫ ପ୍ରତିଶତ ଘରେ ପିଇବା ପାଣି ନାହିଁ , ୮୪ ପ୍ରତିଶତ ଗ୍ରାମୀଣ ପରିବାର ପାଇପ ଜରିଆରେ ମଧ୍ୟ ପାଣି ପାଉ ନଥିବା ନୀତି ଆୟୋଗ କହିଛି । ବର୍ତ୍ତମାନ ଦେଶର ୭୦ ପ୍ରତିଶତ ଜଳ ଭାଗ ଦୂଷିତ ଅଛି ଯାହା ସବୁଠାରୁ ବିପଦଜନକ ବିଷୟ । ବିଶ୍ୱରେ ଦୂଷିତ ଜଳସ୍ତର ଦେଶ ତାଲିକା ମଧ୍ୟରେ ଭାରତ ୧୨୨ ଟି ଦେଶରୁ ୧୨୦ ନଂ ସ୍ଥାନରେ ଅଛି । ତେଣୁ ଏହି ରିପୋର୍ଟ ଆଧାରରେ ନୀତି ଆୟୋଗ ସ୍ପଷ୍ଟ କରିଛି ଯେ ଆସନ୍ତା ୨୦୩୦ ସୁଦ୍ଧା ୪୦ ପ୍ରତିଶତ ଦେଶବାସୀ ପାନୀୟ ଜଳ ପାଇଁ ସମସ୍ୟାରେ ସମ୍ମୁଖୀନ ହେବେ । ଏପରିକି ୨୦୨୦ ସୁଦ୍ଧା ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ ଓ ହାଇଦ୍ରାବାଦ ଭଳି ୨୧ ଟି ସହର ଭୂ-ଜଳ ଉପଲବ୍ଧ ରହିବ ନାହିଁ ଏବଂ ଏହାଦ୍ୱାରା ୧୦ କୋଟି ଲୋକ ପ୍ରଭାବିତ ହେବେ ବୋଲି ରିପୋର୍ଟରେ ଊଲ୍ଲେଖ କରିଛି ଆୟୋଗ ।

ରିପୋର୍ଟ ଆଧାରରେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଦେଖାଦେଇଥିବା ବିପଦପୂର୍ଣ୍ଣ ଜଳ ସଙ୍କଟ ଦ୍ୱାରା ୨୦୫୦ ସୁଦ୍ଧା ଜଳ ସଂକଟ କାରଣରୁ ଦେଶର ଜିଡିପି ୬ପ୍ରତିଶତ ହ୍ରାସ ପାଇବ ବୋଲି ଆୟୋଗ ରିପୋର୍ଟରେ ପ୍ରାକାଶ କରିଛନ୍ତି । ତେବେ ଭବିଷ୍ୟତରେ ଜଳ ସମସ୍ୟାକୁ ଦୂର କରିବା ପାଇଁ ଓଡିଶା ସରକାର ୨୦୦୯ ଜାନୁୟାରୀ ୯ ତାରିଖ ଦିନ ‘ପାଣି ପଞ୍ଚାୟତ’ ଯୋଜନାର ଶୁଭାରମ୍ଭ କରିଥିଲେ । ଯାହଦ୍ୱାରା ଚାଷ ଜମି ସିଞ୍ଚନ କ୍ଷେତ୍ରରେ ରାଜ୍ୟର ୭୦ ପ୍ରତିଶତ କମାଣ୍ଡ ଏରିଆ ଉପକୃତ ହେଉଛନ୍ତି । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସୁଚନା ମୁତାବକ ନୀତି ଆୟୋଗର ଏହି ରିପୋର୍ଟ ଜଳ ସଂରକ୍ଷଣ ଏବଂ ପରିଚାଳନାରେ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟମାନଙ୍କୁ ଏକ ଉଚିତ ଶିକ୍ଷା ଦେବ । ଯାହାଦ୍ୱରା ଦେଶରେ କୃଷି ଏବଂ ଭବିଷ୍ୟତରେ ହେବାକୁଥିବା ଜଳ ସମସ୍ୟାର ସମାଧାନ କରିହେବ ।

ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କ କହିବା ମୁତାବକ ଦେଶରେ ଜଳ ସ୍ଥିତି ବିପଦ ପୂର୍ଣ୍ଣ ଅବସ୍ଥାରେ ଅଛି । ବିଗତ ୭୦ ବର୍ଷ ହେଲାଣି ଜଳ ସମସ୍ୟା ଉପରେ କେହି ଧ୍ୟାନ ଦେଉ ନାହାଁନ୍ତି । ପ୍ରତିବର୍ଷ ବର୍ଷା ହେଉଛି , ବନ୍ୟା ହଉଛି କିନ୍ତୁ ଏଭଳି ଉକ୍ରଟ ଜଳ ସଂକଟ ଦେଖାଯିବ ତାହା କେବେ କେହି ଚିନ୍ତା କରି ନଥିବେ । ତେବେ ସମୟ ଆସିଛି ଦେଶ ଏବଂ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ସରକାରଙ୍କ ସହିତ ହାତ ମିଳାଇ ଜଳ ସଂରକ୍ଷଣ ଏବଂ ପରିଚାଳନା କିଭଳି ହେବ ସେନେଇ ସହଯୋଗ କରିବା ଆବଶ୍ୟକ ହୋଇପଡିଛି । ନଚେତ ଏଭଳି ଜଳ ସଂକଟ ଦ୍ୱାରା ଦେଶର ପ୍ରତେକ ସହର କେପଟାଉନ ପାଲଟିଯିବ ବୋଲି ସତର୍କ କରାଇଛି ନୀତି ଆୟୋଗ ।