ଆଜି ମୁହାଁମୁହିଁ ହେବେ ବିଶ୍ୱର ଦୁଇ ଶକ୍ତିଶାଳୀ ଦଳ ଭାରତ–ଦକ୍ଷିଣ ଆଫ୍ରିକା । ବିବାହ ପରେ ପ୍ରଥମଥର ପଡିଆକୁ ଓହ୍ଲାଇବେ କ୍ୟାପଟେନ କୋହଲି

36

କନକ ବ୍ୟୁରୋ : ନୂଆବର୍ଷ ଆରମ୍ଭରୁୁ ଅସଲ ପରୀକ୍ଷା ଦେବ ବିରାଟ ବାହିନୀ । ଦକ୍ଷିଣଆଫ୍ରିକାରେ ଗୋଟିଏ ବି ଚେଷ୍ଟ ମ୍ୟାଚ ଜିତିନଥିବା ଭାରତୀୟ ଦଳ ଆଜି ଯୁବବାହିନୀକୁ ନେଇ ପଡିଆକୁ ଓହ୍ଲାଇବ । ନିଜ ମାଟିରେ ପ୍ରତିପକ୍ଷ ଦଳକୁ ମାତ ଦେଉଥିବା ବିରାଟ ସେନା ବିଶ୍ୱର ଅନ୍ୟ ଏକ ଶକ୍ତିଶାଳୀ ଦଳ ସାମନା କରିବ । ବିରାଟ ବାହିନୀ ସମ୍ମୁଖରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ନୂଆ ବର୍ଷର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ଏବଂ ବଡ଼ ଆହ୍ଵାନ ଭାବେ ଉଭା ହୋଇଛି। ଦୁର୍ଭାଗ୍ୟଜନକ ଭାବେ ଦକ୍ଷିଣ ଆଫ୍ରିକାରେ ଭାରତ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଟେଷ୍ଟ ଶୃଙ୍ଖଳା ଜିତି ନାହିଁ। ସେଥିପାଇଁ ସଂପ୍ରତି ଲଗାତାର ୯ ଶୃଙ୍ଖଳାରେ ଅପରାଜିତ ଥିବା ଭାରତୀୟ କ୍ରିକେଟ ଦଳ ଏବେ ଅସଲ ଶକ୍ତି ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ଯାଉଛି।

ଯାହାର ଶୁଭାରମ୍ଭ କେପଟାଉନର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ହେବ। ଶକ୍ରବାରଠାରୁ ଏଠାରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଖେଳାଯିବ। ଦେଢ଼ ମାସର ଦକ୍ଷିଣ ଆଫ୍ରିକା ଅଭିଯାନରେ ଭାରତୀୟ କ୍ରିକେଟ ଦଳ ୩ ଟେଷ୍ଟ, ୬ ଦିନିକିଆ ଏବଂ ୩ ଟି ୨୦-୨୦ ଖେଳିବ। ତେବେ ଟେଷ୍ଟ ଶୃଙ୍ଖଳା ହିଁ ଟିମ ଇଣ୍ଡିଆ ପାଇଁ ସମ୍ମାନର ପ୍ରଶ୍ନ ହେବ। ବିରାଟଙ୍କ ଯୁବ ଦଳ ଏବେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛି। ସେଥିପାଇଁ ଏଥର ଗସ୍ତରେ ଇତିହାସ ବଦଳାଇବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ହେଲେ ଦକ୍ଷିଣ ଆଫ୍ରିକାର ଦ୍ରୁତ ଏବଂ ବାଉନ୍ସି ପିଚରେ ଏହି ଆଶା ପୂରଣ ହେବା ସେତେଟା ହେଲା ଭଳି ମନେ ହେଉ ନାହିଁ। ସେହିଭଳି ଦକ୍ଷିଣ ଆଫ୍ରିକା ପାଖରେ ଏକ ଦୁର୍ଦ୍ଧର୍ଷ ବୋଲିଂ ବାହିନୀ ଥିଲା ବେଳେ ଟେଷ୍ଟ ମାନ୍ୟତାର ଶ୍ରେଷ୍ଠ ୨୦ ମଧ୍ୟରେ ଏହି ଦଳର ସର୍ବାଧିକ ସଂଖ୍ୟକ ବ୍ୟାଟ୍ସମ୍ୟାନ ଅଛନ୍ତି।

ଘରୋଇ ପରିବେଶ ସହ ଅତୀତ ସଫଳତା ବି ଦକ୍ଷିଣ ଆଫ୍ରିକା ସପକ୍ଷରେ ଅଛି। ଭାରତ ପାଖରେ ମଧ୍ୟ ଏକ ଭଲ ଏବଂ ସନ୍ତୁଳିତ ଦଳ ରହିଛି। ସେଥିପାଇଁ ଶୁକ୍ରବାରଠାରୁ ବିଶ୍ୱ କ୍ରିକେଟର ଦୁଇ ମହାଶକ୍ତି ମଧ୍ୟରେ ହେବାକୁ ଥିବା ସିଂହ ଲଢ଼େଇକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ଗତ ଶୃଙ୍ଖଳାକୁ ଅବଶ୍ୟ ଭାରତ ୩-୦ରେ ଜିତି ନେଇଥିଲା। ହେଲେ ୨୦୧୫ର ସେହି ଶୃଙ୍ଖଳା ଭାରତ ଘରୋଇ ମାଟିରେ ଖେଳିଥିଲା। ଏଣୁ ଘାଇଲା ଦକ୍ଷିଣ ଆଫ୍ରିକା ଏଥର ସେହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ।

ଭାରତ ପ୍ରଥମ ଟେଷ୍ଟ ପୂର୍ବରୁ ଗୋଟିଏ ହେଲେ ବି ଅଭ୍ୟାସ ମ୍ୟାଚ୍ ଖେଳିବାର ସୁଯୋଗ ନପାଇବା ଦକ୍ଷିଣ ଆଫ୍ରିକାକୁ ଆହୁରି ଉତ୍ସାହିତ କରିଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ ବି ପ୍ରଥମ ଟେଷ୍ଟ ଆରମ୍ଭ ହେବାର ଠିକ୍ ପୂର୍ବରୁ ଭାରତକୁ ଚେତାବନୀ ଦେଇ ସାରିଛନ୍ତି। ତେବେ ଭାରତୀୟ ଅଧିନାୟକ ବିରାଟ କୋହଲି ଏଥି ନେଇ ବିଚଳିତ ନାହାନ୍ତି। ଭାରତ ପାଖରେ ଦକ୍ଷିଣ ଆଫ୍ରିକାକୁ ହରାଇବାର ଶକ୍ତି ଓ ସାମର୍ଥ୍ୟ ଅଛି ବୋଲି ସେ କହିଛନ୍ତି। ଶେଷ ଚାରି ଦିନିକିଆ ଟେଷ୍ଟରେ ଜିମ୍ବାେଓ୍ଵକୁ ଦକ୍ଷିଣ ଆଫ୍ରିକା ମାତ୍ର ଦୁଇ ଦିନରେ ଧୂଳି ଚଟାଇ ସାରିଛି। ଯାହା ଭାରତ ପାଇଁ ଅନ୍ୟଏକ ବିପଦ ସଂକେତ ହୋଇଛି।