ଚୀନ୍ ଗଣମାଧ୍ୟମରେ ଯୁଦ୍ଧର କାଉଂଟଡାଉନ ନେଇ ଚେତାବନୀ : ଡୋକଲାମ ସୀମାରେ ଆରମ୍ଭ ହେଲା କି ସମରସଜ୍ଜା

43

କନକ ବ୍ୟୁରୋ : ଅସ୍ତ୍ର ପାଇଁ ଅର୍ଥ ମାଗିଲା ପ୍ରତିରକ୍ଷା ମନ୍ତ୍ରଳାୟ । ଯୁଦ୍ଧ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ୨୦ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଦାବି କଲା ପ୍ରତିରକ୍ଷା ମନ୍ତ୍ରାଳୟ । ଡୋକଲାମ ବିବାଦ ଜାରି ରହିଥିବା ବେଳେ ସେନା ପାଇଁ ଅତିରିକ୍ତ ବ୍ୟୟ ବରାଦ ଦାବି ଯୁଦ୍ଧ ଆଶଙ୍କାକୁ ବଢାଇ ଦେଇଛି । ୨୦୧୭-୧୮ବର୍ଷ ବଜେଟରେ ପ୍ରତିରକ୍ଷା ମନ୍ତ୍ରାଳୟ ପାଇଁ ହୋଇଥିଲା ୨ଲକ୍ଷ ୭୪ହଜାର କୋଟି ଟଙ୍କାର ବ୍ୟୟ ବରାଦ । ଯାହା ପୂର୍ବବର୍ଷ ବଜେଟଠାରୁ ୬ ପ୍ରତିଶତ ଅଧିକ ଥିଲା । ଏବେ ଅତିରିକ୍ତ ୨୦ହଜାର କୋଟି ଟଙ୍କା ତୁରନ୍ତ ଯୋଗାଇ ଦେବା ପାଇଁ କହିଛି ପ୍ରତିରକ୍ଷା ମନ୍ତ୍ରାଳୟ ।

ଆକ୍ରମଣ ପାଇଁ ଘନ ଘନ ଧମକ ଦେଉଛି ଚୀନ । ଯୁଦ୍ଧ ପାଇଁ କାଉଂଟ ଡାଉନ ଆରମ୍ଭ ହୋଇଯାଇଛି କହି ପରିସ୍ଥିତିକୁ ଆହୁରି ସଂଗୀନ କରିଦେଇଛି ଚୀନ ମୁଖପତ୍ର ଗ୍ଲୋବାଲ ଟାଇମ୍ସ । ଏପରିକି କାଶ୍ମୀର ଓ ଉତ୍ତରାଖଣ୍ଡରେ ଚୀନ ସେନା ପ୍ରବେଶ କରିବ ବୋଲି ଧମକ ଦିଆଯାଇଛି । ଏଭଳି ସ୍ଥିତିରେ ସେନା ପାଖରେ ୧୦ ଦିନର ଲଢେଇ ପାଇଁ ଅସ୍ତ୍ର ନାହିଁ । ସିଏଜି ରିପୋର୍ଟ ପରେ ତନାଘନା ଆରମ୍ଭ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ମିଳିଥିବା ସୂଚନା ଅନୁସାରେ ସେନାକୁ ଦରକାର ଯଥେଷ୍ଟ ପରିମାଣର ତୋପ ବନ୍ଧୁକ, ଇନଫ୍ୟାଂଟ୍ରି ଅସ୍ତ୍ରଶସ୍ତ୍ର, ହାଲୁକା ହେଲିକପ୍ଟର ଓ ରାତିରେ ସହାୟକ ସାମରିକ ଉପକରଣ । ସେହିପରି ବାୟୁସେନାକୁ ମିଡ୍ ଏୟାର ରିଫୁଏଲର୍, ଡ୍ରୋନ୍ ଓ ସତର୍କ ସୂଚନାଦାୟକ ଉପକରଣ ଆବଶ୍ୟକ । ଅନ୍ୟ ପକ୍ଷରେ ନୌସେନା ମଧ୍ୟ ଦାବି କରିଛି ମଲ୍ଟି ରୋଲ୍ ହେଲିକପ୍ଟର, ବୁଡ଼ାଜାହାଜ ପାଇଁ । ୩ ବାହିନୀର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ଅତିରିକ୍ତ ବଜେଟ୍ ଚାହୁଁଛି ମନ୍ତ୍ରାଳୟ ।