ଅକଲାଣ୍ଡରେ ରାହୁଲ ଓ ଶ୍ରେୟସ ସୋ’ । ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ମାତ୍ ଦେଇ ୨୦୪ ରନର ବିଶାଳ ବିଜୟଲକ୍ଷ୍ୟ ହାସଲ କଲା ବିିରାଟ ବାହିନୀ ।

763

କନକ ବ୍ୟୁରୋ : ଭାରତର ବିଶାଳ ବିଜୟ । ଅକଲାଣ୍ଡରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ୱିକେଟରେ ମାତ୍ ଦେଇଛି ବିରାଟ ବାହିନୀ । ରାହୁଲ ଓ ଶ୍ରେୟସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ୨୦୪ ରନର ବିଶାଳ ବିଜୟ ଲକ୍ଷ୍ୟକୁ ଗୋଟିଏ ଓଭର ପୂର୍ବରୁ ହାସଲ କରିଛି ଟିମ୍ ଇଣ୍ଡିଆ । ଏହାସହ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି କୋହଲି ଆଣ୍ଡ କୋ ।

ଟସ୍ ଜିତି ପ୍ରଥମେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ କୋହଲି । ତେବେ ଭାରତୀୟ ବୋଲରଙ୍କୁ ନିର୍ଦ୍ଧୁମ ପିଟିବା ସହ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ କିୱି ଟିମ୍ ୨୦୩ ରନ କରିଥିଲା । ଦଳ ପକ୍ଷରୁ ମୁନରୋ ସର୍ବାଧିକ ୫୯ ରନ୍ କରିଥିବା ବେଳେ ଟେଲର ୫୪ ଓ ୱିଲିୟମସନ୍ ୫୧ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଚହଲ, ବୁମରାହ, ଦୁବେ, ଶାର୍ଦ୍ଦୁଳ ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

୨୦୪ ରନର ବିଶାଳ ବିଜୟ ଲକ୍ଷ୍ୟ ମୈଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆକୁ ପ୍ରଥମରୁ ହିଁ ଝଟକା ଲାଗିଥିଲା । ରୋହିତ ଶର୍ମା ମାତ୍ର ୭ ରନ୍ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଏହାପରେ ଅଧିନାୟକ ବିରାଟ କୋହଲି ଓ କେ.ଏଲ ରାହୁଲ ଇନିଂସ ସମ୍ଭାଳିଥିଲେ । ଏହା ଭିତରେ କେ.ଏଲ ରାହୁଲ ଅର୍ଦ୍ଧଶତକ ହାସଲ କରିବା ସହ ପ୍ୟାଭିଲିୟନ ଫେରିଥିଲେ । ରାହୁଲଙ୍କ ପରେ ପରେ କୋହଲି ମଧ୍ୟ ୪୫ ରନ୍ କରି ଆଉଟ ହୋଇଥିଲେ । ତେବେ ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ପାଳି ସମ୍ଭାଳିଥିଲେ । କ୍ରିଜରେ କିଛି ସମୟ ରହିବା ପରେ ଆରମ୍ଭ କରିଥିଲେ ଛକା ଓ ଚୌକାର ବର୍ଷା । ମାତ୍ର ୨୯ ବଲରୁ ୫୮ ରନର ଦମଦାର ଇନିଂସ ଖେଳି ଭାରତକୁ ଦେଇଥିଲେ ବଡ ବିଜୟ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏଯାଏଁ ଟି-୨୦ ସିରିଜ ଜିତି ପାରିନାହିଁ ଭାରତ । ତେଣୁ ଏହି ଗ୍ରସ୍ତରେ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ବିରାଟ ବାହିନୀ ।