ବାଙ୍ଗାଲୋରରେ ବାଜି ମାରିଲା ବିରାଟ ବାହିନୀ । ରୋହିତ ଶର୍ମାଙ୍କ ଜବରଦସ୍ତ ଶତକ, ୭ ୱିକେଟରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ସିରିଜ୍ କବଜା କଲା ଭାରତ ।

783

କନକ ବ୍ୟୁରୋ : ବାଙ୍ଗାଲୁରୁର ବଡ ଲଢେଇରେ ବାଜି ମାରିଲା ବିରାଟ ବାହିନୀ । ରୋମାଞ୍ଚକର ମ୍ୟାଚରେ ଦମଦାର ବିଜୟ ସହ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ । ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ବଳରେ ବିଶ୍ୱ କ୍ରିକେଟର ଦୁଇ ମହାରଥୀଙ୍କ ମଧ୍ୟରେ ଖେଳାଯାଉଥିବା ଏହି ରୋମାଞ୍ଚଭରା ଶୃଙ୍ଖଳାକୁ ୨-୧ରେ ଜିତିନେଇଛି ଭାରତ ।

ମ୍ୟାଚ୍ ପୂର୍ବରୁ ଯେଉଁ ଖେଳାଳୀଙ୍କୁ ନେଇ ଭାରତ ଚିନ୍ତାରେ ପଡିଥିଲା, ସେହି ଖେଳାଳୀ ହିଁ ଭାରତକୁ ଦେଇଛନ୍ତି ବଡ ବିଜୟ । ୧୨୮ଟି ବଲରୁ ୬ଟି ଛକା ଏବଂ ୮ଟି ଚୌକା ସହ ୧୧୯ ରନର ଜବରଦସ୍ତ ଶତକୀୟ ପାଳି ଖେଳିଥିଲେ ରୋହିତ ଶର୍ମା । ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ଦମଦାର ବ୍ୟାଟିଂ କରିବା ସହ ଦଳକୁ ବିଜୟର ଦ୍ୱାରଦେଶକୁ ନେଇଯାଇଥିଲେ । ୯୧ଟି ବଲରୁ ୮ଟି ଚୌକା ସହ ୮୯ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ବିରାଟ ।

ରବିବାର ବାଙ୍ଗାଲୁରୁର ଏମ୍ ଚିନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ଅଷ୍ଟ୍ରେଲିଆ । ଷ୍ଟିଭ୍ ସ୍ମିଥଙ୍କ ଦମଦାର ଶତକ ବଳରେ କଙ୍ଗାରୁ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଭାରତ ପକ୍ଷରୁ ସାନଦାର ବୋଲିଂ ପ୍ରଦର୍ଶନ କରିବା ସହ ୪ଟି ଓି୍ୱକେଟ୍ ଅକ୍ତିଆର କରିଥିଲେ ମହମ୍ମଦ ଶାମି ।

୨୮୭ ରନର ବିଜୟଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ମ୍ୟାଚ୍ ସମୟରେ ଶିଖର ଧାୱନ ଆହତ ହେବା ଦଳକୁ ଚିନ୍ତାରେ ପକାଇଥିଲା । ଆଉ ଯେଉଁଥିପାଇଁ ପାଳି ଆରମ୍ଭ କରିବାକୁ ମୈଦାନକୁ ଆସିଥିଲେ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ । ପ୍ରଥମରୁ ହିଁ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲା ଭାରତ । ରୋହିତ ଶର୍ମାଙ୍କ ଦମଦାର ଶତକ, ଅଧିନାୟକ ବିରାଟ କୋହଲିଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ଶେଷରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ମାତ୍ ଦେବା ସହ ସିରିଜ୍ କବଜା କରିନେଇଛି ଭାରତ ।