ରାଜକୋଟ ଦିନିକିଆରେ କଙ୍ଗାରୁ ଟିମକୁ ୩୬ ରନରେ ମାତ୍ ଦେଲା ବିରାଟ ବାହିନୀ । ୧-୧ରେ ସିରିଜ ବରାବର, ବାଙ୍ଗାଲୋର ବାଛିବ ସିରିଜ ବିଜେତା ।

334

କନକ ବ୍ୟୁରୋ : ରାଜକୋଟରେ ରାଜ କଲା ବିରାଟ ବାହିନୀ । ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩୬ ରନରେ ମାତ୍ ଦେଇ ସିରିଜକୁ କମବ୍ୟାକ୍ କରିଛି କୋହଲି ଆଣ୍ଡ କୋ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଏବେ ୧-୧ରେ ବରାବର ଥିବା ବେଳେ ଆସନ୍ତା ୧୯ରେ ବାଙ୍ଗାଲୋରରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ୍ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୩୪୦ ରନର ବିଶାଳ ସ୍କୋର ଛିଡା କରିଥିଲା । ଧୱନ, କୋହଲି ଓ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ସାମ୍ନାରେ ଚ୍ୟାଲେଞ୍ଜିଂ ସ୍କୋର ଛିଡା କରିଥିଲା ଟିମ୍ ଇଣ୍ଡିଆ । ତେବେ ପୁଣିଥରେ ଶ୍ରେୟସ ଆୟାର ଓ ମନୀଷ ପାଣ୍ଡେଙ୍କ ଫ୍ଲପ୍ ସୋ ଦେଖିବାକୁ ମିଳିଥିଲା ।

୩୪୧ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ପ୍ରଥମରୁ ହିଁ ଝଟକା ଲାଗିଥିଲା । ତେବେ ଅଧିନାୟକ ଆରୋନ ଫିଞ୍ଚ ଓ ଷ୍ଟିଭ ସ୍ମିଥ ପାଳିକୁ ଆଗକୁ ନେଇଥିଲେ । ମଧ୍ୟକ୍ରମରେ ଭାରତୀୟ ବୋଲରଙ୍କ ଉପରେ ସମ୍ପୂର୍ଣ୍ଣ ଆଧିପତ୍ୟ ସୃଷ୍ଟି କରିବା ବିଜୟ ସମ୍ଭାବନା ସୃଷ୍ଟି କରିଥିଲା ଅଷ୍ଟ୍ରେଲିଆ । ତେବେ ଚାଇନାମ୍ୟାନ ବୋଲର କୁଳଦୀପ ଯାଦବ ଗୋଟିଏ ଓଭରରେ କ୍ରିଜରେ ଜମି ଆସିଥିବା ଦୁଇ ବ୍ୟାଟସମ୍ୟାନ ସ୍ମିଥ ଓ ଆଲେକ୍ସ କ୍ୟାରୀଙ୍କୁ ପ୍ୟାଭିଲିୟନ ପଠାଇ କଙ୍ଗାରୁ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଆଉ ଏହାପରେ ଦଳ ଏହି ବିପର୍ଯ୍ୟୟରୁ ଆଗକୁ ବଢି ପାରିନଥିଲା । ଶେଷ ଆଡକୁ କେନ୍ ରିଚାର୍ଡସନ ଦ୍ରୁତ ବ୍ୟାଟିଂ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ । ୫ଟି ବଲ ପୂର୍ବରୁ ପୂରା ଟିମ୍ ପ୍ୟାଭିଲିୟନ ଫେରିଥିଲା । ଆଉ ଏହାସହ ଏହି ମ୍ୟାଚକୁ ଜିତି ସିରିଜ୍ ବରାବର କରିଛି ଟିମ୍ ଇଣ୍ଡିଆ ।