ଡ୍ୟୁଟିରେ ଥିବା ସମୟରେ ଉଭୟ ମା’ଓ ପୋଲିସର କର୍ତ୍ତବ୍ୟ ସମ୍ପାଦନ କଲେ ମହିଳା : ସାରା ଦେଶରେ ମହିଳାଙ୍କୁ କରାଯାଉଛି ପ୍ରଶଂସା, ସେପଟେ ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

87

କନକ ବ୍ୟୁରୋ : ବେଳେ ବେଳେ ସାଧାରଣ ଲୋକମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମୀଙ୍କର ଏଭଳି ଚେହେରା ସାମ୍ନାକୁ ଆସିଥାଏ, ଯାହା ଲୋକମାନଙ୍କ ବିଶ୍ୱାସକୁ ଦୋହଲାଇ ଦେଇଥାଏ । କିଛି ଦିନ ତଳେ ବିବେକ ତିଓ୍ଵାରି ହତ୍ୟା ମାମଲାକୁ ନେଇ ପୁଲିସର କାର୍ଯ୍ୟଦକ୍ଷତା ଉପରେ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ଏବେ ଜଣେ ମହିଳା କନେଷ୍ଟବଳଙ୍କ ଫଟୋ ଭାଇରାଲ ହେବା ପରେ ଲୋକମାନଙ୍କ ସୁରକ୍ଷା ପାଇଁ ସେମାନେ କେତେ କଷ୍ଟ କରନ୍ତି ତାହା ଜଣାପଡ଼ିଛି । ନିଜ କର୍ତ୍ତବ୍ୟ ପାଇଁ କିଭଳି ସେମାନଙ୍କୁ ନିଜ ପରିବାର ଏବଂ ନିଜ ପିଲାମାନଙ୍କ କଥା ମଧ୍ୟ ଭୁଲିବାକୁ ପଡ଼ିଥାଏ, ତାହା ସାମ୍ନାକୁ ଆସିଥାଏ।

 

ଘର ଏବଂ କାମକୁ ସମ୍ଭାଳିବା ତାଙ୍କ ପାଇଁ କାଠିକର ପାଠ ହୋଇଥାଏ । କିନ୍ତୁ ଝାନ୍ସି ଜିଲ୍ଲାରେ ଥିବା କୋତଓ୍ଵାଲି ପୁଲିସ ଷ୍ଟେସନରେ ନିଯୁକ୍ତି ପାଇଥିବା ଜଣେ ମହିଳା କନେଷ୍ଟବଳ ଉଭୟ ମା’ ଏବଂ ପୁଲିସ ହେବାର କର୍ତ୍ତବ୍ୟ କିଭଳି ଭାବରେ ପାଳନ କରିଛନ୍ତି ତାହା ଦେଖିବାକୁ ମିଳିଛି । ଏହାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ, ମହିଳା କନେଷ୍ଟବଳଙ୍କ ଏହି ଫଟୋ ଆଇପିଏସ୍ ଅଧିକାରୀ ନବ୍ନୀତ୍ ସିକେରା ନିଜ ଫେସବୁକ୍ ପେଜରେ ସେୟାର କରିଥଲେ । ଫଟୋରେ ନଜର ଆସୁଥିବା ମହିଳା କନେଷ୍ଟବଳଙ୍କ ନାମ ଅର୍ଚ୍ଚନା ବୋଲି ଜଣା ପଡ଼ିଥିବା ବେଳେ ଘରେ କେହି ନଥିବାରୁ ସେ ନିଜ ଶିଶୁକୁ ଆଣି ସାମ୍ନାରେ ଥିବା ଡ଼େସ୍କରେ ଶୁଆଇଥିଲେ ବୋଲି ଜଣା ପଡ଼ିଛି । ଅର୍ଚ୍ଚନା ନିଜ କର୍ମରେ ଅବହେଳା ନ କରିବା ପାଇଁ ଛୁଟି ନ ନେଇ ଏପରି କରିଥିଲେ । ଏହି ଫଟୋ ଭାଇରାଲ ହେବା ପରେ ଏବେ ଅର୍ଚ୍ଚନାଙ୍କ ଏଭଳି କାମକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି ।