କନକ ବ୍ୟୁରୋ : ମଧ୍ୟପ୍ରଦେଶର ୧୦ଟି ଆସନରେ ଲଢେଇ ଏମିତି ଥିଲା, ଯାହା ଉଭୟ ବିଜେପି ଓ କଂଗ୍ରେସ କ୍ୟାମ୍ପର ରକ୍ତଚାପକୁ ବଢାଇ ଦେଇଥିଲା । ୧୦୦୦ରୁ କମ୍ ବ୍ୟବଧାନରେ ଏଠି ୭ ଜଣ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୩ଟି ଆସନରେ ବିଜେପି ପ୍ରାର୍ଥୀ ବାଜିମାତ କରିଥିଲେ । ଉଭୟ ରାଜନୈତିକ ଦଳ ଭିତରେ ଯେଉଁ ଲଢେଇ ଦେଖିବାକୁ ମିଳିଲା ତାହା ୨୦୧୯ରେ ଓଡିଶାରେ ବି ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ରାଜ୍ୟରେ ବିଜେଡି-ବିଜେପି ଓ କଂଗ୍ରେସ ଭିତରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିପାରେ । ୨୦୦୯ ଠାରୁ ଏକାକୀ ଲଢୁଥିବା ବିଜେଡି ଏକପାଖିଆ ବିଜୟ ହାସଲ କରୁଥିଲା । ହେଲେ ଆଗାମୀ ସାଧାରଣ ନିର୍ବାଚନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରୁଛନ୍ତି ରାଜନୈତିକ ସମୀକ୍ଷକ ।
୫ଟି ରାଜ୍ୟର ନିର୍ବାଚନ ଫଳାଫଳରେ କେବଳ ତେଲେଙ୍ଗାନାକୁ ଛାଡିଦେଲେ ଅନ୍ୟ ସମସ୍ତ ରାଜ୍ୟରେ ସରକାର ବଦଳିଛନ୍ତି । ଏଠି ଦୀର୍ଘ ଦିନ ଧରି କ୍ଷମତାରେ ଥିବା ଦଳକୁ, ଜନତା ବିରୋଧୀ ଆସନରେ ବସାଇଛନ୍ତି । ଏହି ସନ୍ଦେଶକୁ ନିଜ ପାଇଁ ଏକ ଅନୁକୁଳ ବାତାବରଣ ଭାବେ ବିଶ୍ଳେଷଣ କରି ଆଗକୁ ବଢୁଛନ୍ତି ବିରୋଧୀ ଦଳ ।
୨୦୧୯ରେ ବିଜେଡି ସାମ୍ନାରେ ସବୁଠାରୁ ବଡ ଚ୍ୟାଲେଂଜ ହେବ ସତ୍ତା ବିରୋଧୀ ହାୱା । ଏଥିସହ ଯେଉଁ ବିଧାୟକ ଓ ସାଂସଦ ମାନଙ୍କର ଟିକେଟ କଟିବ ସେମାନେ ଯେ ସମସ୍ତେ ଚୁପ୍ ବସିବେ ଏହା ଭାବିବା ଭୁଲ ହୋଇପାରେ । ଯଦି ସ୍ୱାଧୀନ ପ୍ରାର୍ଥୀ ଭାବେ ଟିକେଟ କଟିଥିବା ନେତା ଠିଆ ହୁଅନ୍ତି ଅବା ସେମାନେ ଅନ୍ୟ କୈାଣସି ଦଳରେ ସାମିଲ ହୁଅନ୍ତି ତେବେ ସ୍ୱାଭାବିକ ଭାବେ ବିଜେଡି ପାଇଁ ଆହ୍ୱାନ ସୃଷ୍ଟି କରିବେ ।୨୦୧୪ରେ ବିଜୁ ଜନତା ଦଳ ୧୧୭ ଆସନ ଦଖଲ କରିଥିବା ବେଳେ କଂଗ୍ରେସ ୧୬ ଓ ବିଜେପି ୧୦ଟି ଆସନ ପାଇଥିଲେ । ୪୩.୪୧% ଭୋଟ ବିଜେଡି ସପକ୍ଷରେ ଯାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୨୫.୭୪% ଓ ବିଜେପି ପ୍ରାର୍ଥୀ ୧୮.୦୨% ଭୋଟ ପାଇଥିଲେ । ୨୦୦୯ ତୁଳନାରେ ବଢିଥିଲା ବିଜେଡିର ଭୋଟ ପ୍ରତିଶତ ।
ରାଜ୍ୟରେ ପଂଚାୟତ ନିର୍ବାଚନ ଓ ବିଜେପୁର ଉପ-ନିର୍ବାଚନରେ ସମୀକରଣ ପୂରା ବଦଳିଥିଲା । ପଂଚାୟତ ନିର୍ବାଚନରେ ବିଜେପି ରାଜ୍ୟରେ ଏକ ବାତାବରଣ ତିଆରି କରିଥିବା ବେଳେ ବିଜେପୁର ନିର୍ବାଚନରେ ବିଜେଡି ପ୍ରମାଣିତ କରିଥିଲା ଏବେବି କ୍ଷମତା ହାତେଇବାକୁ ଦଳ ପ୍ରସ୍ତୁତ ଅଛି । ଏପରିକି ପଂଚାୟତ ନିର୍ବାଚନ ପରେ ହୋଇଥିବା ସମସ୍ତ ଉପ-ନିର୍ବାଚନରେ ବିଜେଡି ଜିତିଛି ଯାହା ଦଳ ମଜଭୁତ ଥିବାର ବାର୍ତ୍ତା ଦେଉଛି ।
ତେବେ ୨୦୧୯ର ରାସ୍ତା କିନ୍ତୁ ଏତେ ସହଜ ହେବନାହିଁ । ଖାସ କରି ଯେତେବେଳେ ଟିକେଟ ଚୟନ କଥା ଆସିବ । କାହାକୁ କିଭଳି ସନ୍ତୁଷ୍ଟ କରାଯିବ, ତାହା ଦଳୀୟ ନେତୃତ୍ୱ ତଥା ଥିଙ୍କଟ୍ୟାଙ୍କ ମାନଙ୍କ ପାଇଁ ବଡ ଚ୍ୟାଲେଂଜ ସୃଷ୍ଟି କରିବ । ଦୀର୍ଘ ଦିନ ଧରି ଶାସନରେ ରହିବା ଫଳରେ ସୃଷ୍ଟି ହୋଇଥିବା ସରକାର ବିରୋଧୀ ହାୱା, ସ୍ଥାନୀୟ ବିଧାୟକଙ୍କ ପ୍ରତି ସୃଷ୍ଟି ହୋଇଥିବା ଅସନ୍ତୋଷ ଭାବ ଆଉ ସର୍ବୋପରି ନିଜ ଦମରେ ନେତା ଜିତିବାର କେତେ ସାମର୍ଥ୍ୟ ରଖୁଛନ୍ତି, ଏସବୁର ଅସଲ ପରୀକ୍ଷାର ବେଳ ହେବ ୨୦୧୯ ।
ତ୍ରିମୁଖୀ ଲଢେଇର ଏହି ପୂରା ବାତାବରଣ ଭିତରେ ଟିକେଟ ଚୟନ ହେବ ଏଭଳି ଏକ ମାପକାଠି ଯାହା ଦଳ କ୍ଷମତାକୁ ଆସିବ କି ବାହାରେ ରହିବ ତାର ମାପକାଠି ହେବ । ନିର୍ବାଚନ ଆସିଲେ ଦଳବଦଳ ତ ଏକ ସାଧାରଣ କଥା ହେବ, କିନ୍ତୁ ଗୋଟିଏ ଦଳରେ ଏକାଧିକ ହେଭିୱେଟ ଏକାଠି ହେବା, ଦଳ ପାଇଁ ଅନୁକୁଳ ବାତାବରଣ ତିଆରି କରିବ ନା ପ୍ରତିକୂଳ, ଏହାର ବି ଅନୁଶୀଳନର ଆବଶ୍ୟକତା ରହୁଛି ।
ଗୁଜୁରାଟ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ମାନଙ୍କୁ ଠିଆ କରି ବିଜେପି ଯେଉଁଭଳି କଂଗ୍ରେସ ନେତାଙ୍କ ଭୋଟ କାଟିଥିଲା, ବା କଂଗ୍ରେସ ଭୋଟ ବିଭାଜିତ ହୋଇଥିଲା ଠିକ ସେଭଳି ଏକ ଧାରା ଦେଖିବାକୁ ମିଳିପାରେ ଓଡିଶାରେ । ଏଭଳି ହେଲେ ଯେଉଁ ବିଜେଡି ବିଧାୟକଙ୍କ ଭୋଟ କଟିବ, ସେମାନଙ୍କୁ ଦଳୀୟ ସୁପ୍ରିମୋ କେଉଁଭଳି ଭାବେ ଅଟକାଇ ରଖିବେ, ତାହା ମହତ୍ତ୍ୱପୂର୍ଣ୍ଣ ହେବ । ୨୦୧୪ରେ ରାଜ୍ୟରେ ୪ଟି ଆସନ ଏମିତି ଥିଲା, ଯେଉଁଠି ୧୦୦୦ ଭୋଟରୁ କମ ବ୍ୟବଧାନରେ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏସବୁ ଆସନରେ ନୋଟାରେ ଅଧିକ ଭୋଟ ପଡିଥିଲା । ସେହିଭଳି ୨୦୦୦ ଭୋଟରୁ କମ ବ୍ୟବଧାନରେ ୧୧ ପ୍ରାର୍ଥୀ ଓ ୫୦୦୦ରୁ କମ ଭୋଟରେ ୨୩ ପ୍ରାର୍ଥୀ ବାଜି ମାରିଥିଲେ । ଏହି ସମୀକରଣ କ୍ଷେତ୍ରରେ ଯଦି ସ୍ୱାଧୀନ ପ୍ରାର୍ଥୀ ଚାଲ୍ ପ୍ରତିପକ୍ଷ ଖେଳନ୍ତି, ତେବେ ତ୍ରିମୁଖୀ ଲଢେଇରେ ଏମାନେ ନେଇପାରନ୍ତି ଏକ ପ୍ରମୁଖ ଭୂମିକା ।
ଖାଲି ବିଜେଡି ପାଇଁ ନୁହେଁ, ବିଜେପି ପାଇଁ ମଧ୍ୟ ସମାନ ଆହ୍ୱାନ ରହିଛି । କାରଣ ଦଳ ଭିତରେ ପୁରୁଣା ଓ ନବାଗତ ନେତା ମାନଙ୍କ ଭିତରେ ବିବାଦ ଦେଖିବାକୁ ମିଳିଛି । ଜିଲ୍ଲା ସ୍ତରରେ ଯେଉଁ ନେତା ସାମିଲ ହେଉଛନ୍ତି, ସେମାନେ ପୁରୁଣା ନେତାଙ୍କୁ ଅଣଦେଖା କରି ସମାନ୍ତରାଳ ସଂଗଠନ ପ୍ରସ୍ତୁତ କରିଥିବା ଅଭିଯୋଗ ରହିଛି । ଯାହାକି ଦଳ ଭିତରେ ଥିବା ଫାଟକୁ ସାମ୍ନାକୁ ଆଣୁଛି । ତେଣୁ ଟିକେଟ ଚୟନ ୨୦୧୯ରେ ବିଜେପି ପାଇଁ ମଧ୍ୟ ଚିନ୍ତାଜନକ ।
ଶୀର୍ଷ ସ୍ତରରେ ମଧ୍ୟ ନେତାଙ୍କ ଭିତରେ ଦେଖାଦେଇଥିବା ମନୋମାଳିନ୍ୟ ବିଜେପି ପାଇଁ ଚିନ୍ତାଜନକ । ଅପରାଜିତା ନା ଧର୍ମେନ୍ଦ୍ର କିଏ ନେତୃତ୍ୱ ନେବେ ବା ମଙ୍ଗ ସମ୍ଭାଳିବେ, ସେହି ଅନୁସାରେ ସ୍ଥିତିକୁ ଆକଳନ କରାଯିବ । ଧର୍ମେନ୍ଦ୍ର ପୂରା ସଂଗଠନ ଉପରେ ସ୍ଥିତି ଜାହିର କରିଥିବା ବେଳେ ଯଦି ଶେଷ ମୁହୁର୍ତ୍ତରେ ଅପରାଜିତା ସାମ୍ନାକୁ ଆସନ୍ତି ତେବେ ବିଦ୍ରୋହ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
କଂଗ୍ରେସ ମଧ୍ୟ ସମାନ ଏକ ସ୍ଥିତି ଦେଇ ଗତି କରୁଛି । ଯାହା ଚର୍ଚ୍ଚା ଚାଲିଛି, ୧୪୭ ବଦଳରେ ନିର୍ଦ୍ଦିଷ୍ଟ କିଛି ଆସନ ପାଇଁ କଂଗ୍ରେସ ନିଜ ଜୋର ଲଗେଇପାରେ । ଆଉ ଏଭଳି ହେଲେ କଂଗ୍ରେସ ଏକ ଶକ୍ତି ହୋଇ ନିର୍ଦ୍ଦିଷ୍ଟ କିଛି ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ, ଯେଉଁଠି ପ୍ରତି ଭୋଟର ମୂଲ୍ୟ ଯଥେଷ୍ଟ ଗୁରୁତ୍ୱ ରଖିବ ।
ମୋଟାମୋଟି ଭାବେ କହିବାକୁ ଗଲେ, ଆଗାମୀ ନିର୍ବାଚନ ଇଲେକ୍ସନ ମ୍ୟାନେଜମେଂଟର ସବୁଠାରୁ ବଡ ପରୀକ୍ଷା ରହିବ । ବୁଥ ସ୍ତରରେ ନିର୍ବାଚନ ପରିଚାଳନା ଯିଏ ଯେତେ ଭଲ କରିବ, ତାର ଜିତିବାର ସମ୍ଭାବନା ସେତେ ଅଧିକ ରହିବ । ଭୋଟ ଗଣିତକୁ ଶୀର୍ଷ ସ୍ତରର ନେତା ଆଉ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା କୋର ଟିମ୍ କିଭଳି ସମ୍ଭାଳିବେ, ତାହା ଅନେକ ନେତାଙ୍କ ଭାଗ୍ୟ ସହ ଆଗାମୀ ଦିନରେ କିଏ ମୁଖ୍ୟମନ୍ତ୍ରୀ ହେବ, ତାହା ନିର୍ଣ୍ଣୟ କରିବ ।
ମଧ୍ୟପ୍ରଦେଶରେ ୧୫ ବର୍ଷ କ୍ଷମତାରେ ଥାଇ ମଧ୍ୟ ବିଜେପି କଂଗ୍ରେସ ଠାରୁ ଅଧିକ ଭୋଟ ପାଇଲା । ହେଲେ ଆସନ ସଂଖ୍ୟାରେ କିନ୍ତୁ ପଛରେ ରହିଲା । ଭୋଟ ପାଇବାକୁ ବୁଥ ସ୍ତରରେ ଯେଉଁ ପ୍ରସ୍ତୁତି ବିଜେପି ମଧ୍ୟପ୍ରଦେଶରେ କରିଥିଲା, ଠିକ ସମାନ ପ୍ରସ୍ତୁତି ଓଡିଶାରେ ମଧ୍ୟ କରାଯାଉଥିବା ଦଳ ଦାବି କରିଛି । ହେଲେ ବିଜେଡି ଏହାର ମୁକାବିଲାରେ ୱାର୍ଡ ସ୍ତରରେ କମିଟି ଗଠନ କରିଥିବା କିଛି ।
ବଡ କଥା ହେଉଛି, ପଂଚାୟତ ସ୍ତରର ନେତା କେଉଁଭଳି ନିଜ ଭୋଟରଙ୍କୁ ନିଜ ପାଖରେ ରଖୁଛନ୍ତି ଏବଂ ପ୍ରାର୍ଥୀ ସାଜୁଥିବା ନେତା କିଭଳି ନିଜ ଭାବମୁର୍ତ୍ତି ଆଉ ରଣନୀତିକୁ ପାଥେୟ କରି ଆଗକୁ ବଢୁଛନ୍ତି, ସେହି ଅନୁସାରେ ଓଡିଶା ରାଜନୀତିର ଆଗାମୀ ଅଧ୍ୟାୟ ଲେଖାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/NETA_00000.png)