କେତେ ସୁରକ୍ଷିତ ରାଜଧାନୀ ରାତି ? ଅନ୍ଧାର ଆସିଲେ ଲୁଟେରା ଆସୁଛନ୍ତି, ହାଣି କାଟି ଲୁଟି ନେଉଛନ୍ତି । କ’ଣ କରୁଛି କମିସନରେଟ୍ ପୋଲିସ ?

185

କନକ ବ୍ୟୁରୋ : ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍ । ଅସୁରକ୍ଷିତ ହୋଇପଡିଛି ଭୁବନେଶ୍ୱର । ଗୋଟିଏ ରାତିରେ ତିନି ତିନିଟି ସ୍ଥାନରେ ଲୁଟ୍ ଏବଂ ସହର ମଝିରେ ବ୍ୟବସାୟୀଙ୍କୁ ଆକ୍ରମଣ, ରାଜଧାନୀବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ହାଇସ୍ପିଡ୍ ବାଇକରେ ଆସି ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ବେଧଡକ ଲୁଟ୍ କରୁଛନ୍ତି ଦୁର୍ବୃତ । ଆଉ ବଡ କଥା ହେଲା, ଗତ କିଛି ଦିନ ହେଲା ରାଜଧାନୀରେ ଏଭଳି ଅପରାଧ ବଢି ଚାଲିଛି । କଟକ-ଭୁବନେଶ୍ୱରରେ ଅପରାଧ ରୋକିବାକୁ କମିଶନରେଟ୍ ପୋଲିସ ଗଢାଯାଇଥିବା ବେଳେ, ଅପରାଧ ରୋକିବାରେ ପୋଲିସର ବିଫଳତା ଏବେ ରାଜଧାନୀବାସିନ୍ଦାଙ୍କ ପାଇଁ ଚିନ୍ତା ବଢାଇଦେଇଛି ।

ମଙ୍ଗଳବାର ରାତି ପ୍ରାୟ ୧୨ଟା । ସ୍ଥାନ : ଭୁବନେଶ୍ୱରର ରସୁଲଗଡ଼ । ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟ, କାମ ସାରି ରସୁଲଗଡ଼ ଗାଁରେ ଥିବା ତାଙ୍କ ଘରକୁ ସ୍କୁଟରରେ ଫେରୁଥିଲେ । ମାତ୍ର କିଛି ମିଟର ଯିବା ପରେ ସେ ତାଙ୍କ ଘରେ ପହଁଚିଥାନ୍ତେ । ହେଲେ ସ୍ଥାନୀୟ ପାଲା ମଣ୍ଡପ ନିକଟରେ ବାଇକରେ ପ୍ରାୟ ୩ ଜଣ ଦୁର୍ବୃତ ଅତର୍କିତ ଆକ୍ରମଣ କରିଦେଲେ । ବୁଲୁ ସାମନ୍ତରାୟଙ୍କୁ ଖଣ୍ଡାରେ ହାଣି ପକାଇଲେ ଲୁଟେରା ।ବୁଲୁଙ୍କ ଚିତ୍କାର ଶୁଣି ରସୁଲଗଡ଼ ଗାଁ ଲୋକ ଏକାଠି ହେବା ପୂର୍ବରୁ ମରଣାନ୍ତକ ଆକ୍ରମଣ କରି ଚେନ୍ ଓ ଟଙ୍କା ଛଡ଼ାଇ ନେଇ ସାରିଥିଲେ ଲୁଟେରା । ବନ୍ଧୁକ ଦେଖାଇ ଘଟଣା ସ୍ଥଳରୁ ମାରିଥିଲେ ଚମ୍ପଟ । ବେଶ କିଛି ସମୟ ଧରି ଲୁଟେରାଙ୍କ ଆତଙ୍କରାଜ ଚାଲିଥିବା ବେଳେ ପିସିଆର୍ ଭ୍ୟାନର ଦେଖାନଥିଲା ।

ଅନ୍ୟପଟେ ଲୁଟ୍ ପରେ ତାତିଲେ ଲୋକ । ଟାୟାର ଜାଳି କଲେ ରାସ୍ତା ଅବରୋଧ । ରସୁଲଗଡ଼ ଛକ, କଟକ-ଭୁବନେଶ୍ୱରର ପ୍ରମୁଖ ସଂଯୋଗ ସ୍ଥଳ । କମିସନରେଟ୍ ପୋଲିସର ନାକ ତଳେ ଏପରି ଲୁଟ୍ ଓ ଆକ୍ରମଣ ଘଟଣାରେ ତାତି ଉଠିଛନ୍ତି ସ୍ଥାନୀୟ ଲୋକ । ଲୋକେ ଏକାଠି ହୋଇ ରସୁଲଗଡ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ ଯୋଗୁଁ କଟକ, ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଗାଡି ଚଳାଚଳ ବେଶ କିଛି ସମୟ ଧରି ପ୍ରଭାବିତ ହୋଇଥିଲା । ପୋଲିସ କମିସନର ସତ୍ୟଜିତ ମହାନ୍ତି ଘଟଣା ସ୍ଥଳରେ ପହଁଚି ବୁଝାସୁଝା କରିବା ପରେ ହଟିଥିଲା ରାସ୍ତାରୋକ । ସେହିପରି ମଙ୍ଗଳବାର ଦିନ ଭୁବନେଶ୍ୱର-ପୁରୀ ବାଇପାସ ରୋଡରେ ଥିବା ମହିମା ମୋଟର୍ସରେ ମଧ୍ୟ ହୋଇଛି ବଡଧରଣର ଲୁଟ୍ । ୨ଟି ବାଇକରେ ପ୍ରାୟ ୫ ଜଣ ଦୁବୃର୍ତ, ଆକ୍ରମଣ କରି ଗାଡି ସୋରୁମରୁ ଟଙ୍କା ଲୁଟ୍ କରିବା ପରେ ଗ୍ରାହକଙ୍କୁ ବି ଟାର୍ଗେଟ୍ କରିଥିଲେ ।

କିଛି ଦିନ ହେଲା ରାଜଧାନୀ ଭୁବନେଶ୍ୱରରେ ବଢ଼ିଚାଲିଛି ଛିନତାଇ । କମିସନରେଟ୍ ପୋଲିସକୁ ଚ୍ୟାଲେଂଜ ଦେଇ ଗୋଟିଏ ପରେ ଗୋଟିଏ ଲୁଟ୍ କରି ଖସି ଯାଉଛନ୍ତି ଲୁଟେରା । ସକାଳ ହେଉ କି ଦିନ ଦ୍ୱିପହର, ସଂଧ୍ୟା ହେଉ କି ରାତି ଅଧ, ବେଧଡ଼କ ଭାବେ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା । ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ସ୍ମାର୍ଟ ସିଟିରେ ବଢୁଛି ଲୁଟେରାଙ୍କ ଉତ୍ପାତ । ଆଉ ପ୍ରଶ୍ନ ଉଠୁଛି, ଅପରାଧ ରୋକିବାରେ କାହିଁକି ବିଫଳ ହେଉଛି ପୋଲିସ ?

କଟକ-ଭୁବନେଶ୍ୱରରେ ଅପରାଧ ରୋକିବାକୁ କମିସନରେଟ୍ ପୋଲିସ ଗଢ଼ାଯାଇଥିଲା । ବଛା ବଛା ଅଫିସରଙ୍କୁ ନେଇ କାମ କରୁଥିବା କମିସନରେଟ୍ ପୋଲିସ କାହିଁକି ନିଷ୍କ୍ରୀୟ ହୋଇପଡ଼ିଛି, ତାହାର ଉତ୍ତର ମିଳୁନାହିଁ । ଗୋଟିଏ ପଟେ ୱିଇ କେୟାର-ୱିଇ ଡେୟାରର ସ୍ଲୋଗାନ ଦିଆଯାଉଛି, ଅନ୍ୟପଟେ ଭୟ ଶୂନ୍ୟ ହୋଇ ଗୋଟିଏ ପରେ ଗୋଟିଏ କ୍ରାଇମ୍ ଘଟାଇ ଚାଲିଛନ୍ତି ଅପରାଧୀ । କମିସନରେଟ୍ ପୋଲିସର ଅସହାୟ ଅବସ୍ଥା ବାରି ହୋଇପଡ଼ୁଛି ।