ସମ୍ବଲପୁରରୁ ଆସିଲା ଅଭାବନୀୟ ଚିତ୍ର ! ଥାନା ଭିତରେ ପୋଲିସ-ପୋଲିସ ମଧ୍ୟରେ ମାରପିଟ ! ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି

ଥାନା ଭିତରେ ପୋଲିସ-ପୋଲିସ ମାଟପିଟ

446

କନକ ବ୍ୟୁରୋ : ଲାଞ୍ଚ କାରବାରର ଏକ ଭିଡିଓ ସଂପର୍କରେ ତଦନ୍ତ ଚାଲିଥିବା ସମୟରେ ଦୁଇ ପୁଲିସ୍ ଅଧିକାରୀଙ୍କ ମଧ୍ୟରେ ବଚସା ହୋଇ ମାଡ଼ପିଟ ହୋଇଛି। ଉଭୟ ପୁଲିସ ଅଧିକାରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକ କିସିଣ୍ଡା ଥାନା ମଧ୍ୟରେ ସଂଘଟିତ ଏଭଳି ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଛୁଟି ମାଗିବାକୁ ନେଇ ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ତାଙ୍କୁ ମାଡ଼ ମାରିଥିବା ନେଇ ଏଏସ୍ଆଇ ବିଶ୍ବଜିତ ପାଣିଗ୍ରାହୀ ଅଭିଯୋଗ ଆଣୁଥିବା ବେଳେ ଏକ ଭିଡିଓର ସତ୍ୟତା ନେଇ ପଚରାଉଚରା ବେଳେ ଏଏସଆଇ ବିଶ୍ବଜିତ ତାଙ୍କ ଉପରେ ଆକ୍ରମଣ କରିଥିବା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି।

ଘଟଣା ସଂପର୍କରେ ସମ୍ବଲପୁର ଡିଆଇଜି ସଞ୍ଜୀବ ଅରୋରାଙ୍କୁ ଯୋଗାଯୋଗ କରାଯିବାରୁ ଘଟଣାର ପ୍ରାଥମିକ ତଦନ୍ତ କରି ଏଏସ୍ଆଇ ବିଶ୍ବଜିତ ପାଣିଗ୍ରାହୀକୁ ନିଲମ୍ବିତ କରାଯାଇଥିବା ବେଳେ ବିଭାଗୀୟ ତଦନ୍ତ ପାଇଁ ଆଡିସନାଲ ଏସପି ଶାନ୍ତନୁ କୁମାର ଦାଶଙ୍କୁ ନିର୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ନିର୍ବାଚନର ଭୋଟ ଗଣତି ଦିନ ଥାନାର ସମସ୍ତ ଅଧିକାରୀ ଡ୍ୟୁଟିରେ ଥିବା ବେଳେ ଏଏସ୍ଆଇ ବିଶ୍ବଜିତ ପାଣିଗ୍ରାହୀ ଥାନା ଅଧିକାରୀ ଦାୟିତ୍ବରେ ଥିଲେ। ଏହି ସମୟରେ ଶ୍ରୀ ପାଣିଗ୍ରାହୀ ଜଣଙ୍କଠାରୁ ଲାଞ୍ଚ ନେଉଥିବା ନେଇ ଭିଡିଓ ହୋଇଥିଲା।  ରବିବାର ସକାଳୁ ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ଉକ୍ତ ଭିଡିଓକୁ ନେଇ ଶ୍ରୀ ପାଣିଗ୍ରାହୀଙ୍କୁ ପଚରାଉଚରା କରିଥିଲେ। ଏହାକୁ ନେଇ ଉଭୟ ଅଧିକାରୀଙ୍କ ମଧ୍ୟରେ ବଚସା ହେବା ସହ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରି ଧସ୍ତାଧସ୍ତିର ରୂପ ନେଇଥିଲା।