ସାବିତ୍ରୀ ବେଶରେ ଦର୍ଶନ ଦେଲେ ମା’ ବିରଜା । ମାଆଙ୍କ ଜନ୍ମ ତିଥିରେ ଯାଜପୁର ଜିଲ୍ଲାପାଳ ବଖାଣିଲେ ନିଜ ଅନୁଭୂତି, କହିଲେ କେମିତି ବଂଚିଥିଲେ ହୃଦଘାତରୁ

734

କନକ ବ୍ୟୁରୋ: ଆଜି ଯାଜପୁରର ପ୍ରତ୍ୟେକ୍ଷ ଦେବୀ ମାଆ ବିରଜାଙ୍କ ଜନ୍ମତ୍ସୋବ । ତ୍ରିବେଣୀ ଅମାବାସ୍ୟାରେ ସାବିତ୍ରୀ ବେଶରେ ଦର୍ଶନ ଦେଇଛନ୍ତି ମାଆ ବିରଜା । ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦୁର୍ଲଭ ବେଶର ଦର୍ଶନ କରିଛନ୍ତି । ଆଉ ଆଜିର ଦିନରେ ସାମ୍ନାକୁ ଆସିଛି ମାଆଙ୍କ କରୁଣାର କାହାଣୀ ।

ପବିତ୍ର ତ୍ରିବେଣୀ ଅମାବାସ୍ୟାରେ ମା ବିରଜାଙ୍କ ସାବିତ୍ରୀ ବେଶ । ମହାସ୍ନାନ ପରେ ମାଆଙ୍କ ବନକଲାଗୀ କରାଯାଇଥିଲା । ଏହାପରେ ସାବିତ୍ରୀ ବେଶରେ ମା’ଙ୍କ ଦୁର୍ଲଭ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଏଥିସହ ମନ୍ଦିରରେ ପାଳନ ହୋଇଛି ମାଙ୍କ ଜନ୍ମୋତ୍ସବ । ବିରଜାଙ୍କ ସ୍ୱନକ୍ଷତ୍ର ପୂଜା ସହ ଯଜ୍ଞ ବି କରାଯାଇଛି । ତେବେ ବର୍ଷକୁ ଦୁଇଥର ମାଆଙ୍କର ଏହି ବେଶ ହୋଇଥାଏ । ସାବିତ୍ରୀ ଅମାବାସ୍ୟା ଏବଂ ତ୍ରିବେଣୀ ଅମାବାସ୍ୟା । ବର୍ଷକୁ ଥରେ ସାବିତ୍ରୀ ବେଶରେ ପୂଜା ପାଆନ୍ତି ଦେବୀ ବିରଜା । ମନ୍ଦିର ନିକଟରେ ଏକ ପୋଖରୀ ରହିଛି ଯାହା ବ୍ରହ୍ମାକୁଣ୍ଡ ଭାବେ ଜଣାଶୁଣା । ସାରା ଦେଶରେ ରହିଛନ୍ତି ମାଆଙ୍କ ଭକ୍ତ । ଆଉ ମାଆଙ୍କ ସାବିତ୍ରୀ ବେଶରେ ଆଶୀର୍ବାଦ ଲୋଡିବାକୁ ଆସିଥିବା ଯାଜପୁର ଜିଲ୍ଲାପାଳ ବଖାଣିଛନ୍ତି ତାଙ୍କୁ କିଭଳି ମରଣ ମୁହଁରୁ ବଂଚାଇଦେଇଥିଲେ ମା’ ।

ବିଶ୍ୱାସ କରାଯାଏ, ଏହିଦିନ ବ୍ରହ୍ମା ଶ୍ରାପଗସ୍ତ ହୋଇ ବୈତରଣୀ ନଦୀ କୂଳରେ ତପସ୍ୟା କରିଥିଲେ ଏବଂ ବିରାଟ ଯଜ୍ଞ କରିଥିଲେ । ଏହି ଯଜ୍ଞରୁ ଉତ୍ପନ୍ନ ହୋଇଥିଲେ ମାଆ ବିରଜା । ସେହିଦିନଠାରୁ ଏଠାରେ ଅବସ୍ଥାନ କରିଛନ୍ତି ମାଆ । ବେଦ ଓ ଉପନିଶଦରେ ମଧ୍ୟ ଏନେଇ ବର୍ଣ୍ଣନା ରହିଛି ।