ପୁଣି ଭୁବନେଶ୍ୱରରେ ବାଘ ଆତଙ୍କ । ରଙ୍ଗମାଟିଆ ତଳସାହି ଅଂଚଳରେ ବାଘ ବୁଲୁଥିବା ଦେଖିଲେ ସ୍ଥାନୀୟ ଲୋକେ, ଘଟଣା ସ୍ଥଳରେ ପହଞ୍ଚିଲା ବନବିଭାଗର ଟିମ

ପୁଣି ଭୁବନେଶ୍ୱରରେ ବାଘ ଆତଙ୍କ

489

କନକ ବ୍ୟୁରୋ : ପୁଣି ଭୁବନେଶ୍ୱରରେ ବାଘ ଆତଙ୍କ । ରାଜଧାନୀର ରଙ୍ଗମାଟିଆ ତଳସାହି ଅଂଚଳରେ ବାଘ ବୁଲୁଥିବା ଦେଖିବାକୁ ପାଇଛନ୍ତି ସ୍ଥାନୀୟ ଲୋକେ । ଏନେଇ ବନବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚିଛି । ଏବଂ ସ୍ଥାନୀୟ ଅଂଚଳରେ ବାଘର ପାଦଚିହ୍ନ ଦେଖିବାକୁ ପାଇଛି ବନବିଭାଗ । ପାଦଚିହ୍ନକୁ ଦେଖିବା ପରେ ଏନେଇ ଅଧିକ ଛାନଭିନ କରାଯାଉଛି । ପୂର୍ବରୁ ପଳାସପଲ୍ଲୀରେ କଲରାପତରିଆ ଦେଖିବାକୁ ମିଳିଥିଲା । ଦୁଇ ଦିନର ଅପରେସନ ପରେ ଏହାକୁ କାବୁ କରାଯାଇଥିଲା । ତେବେ ବାରମ୍ବାର ଏପରି ଭାବରେ ରାଜଧାନୀରେ ବାଘ ଆତଙ୍କ ଦେଖାଯାଉଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହେଉଛନ୍ତି ।

ଗତ ୩ ଦିନ ତଳେ ବାଘ ନାକେଦମ କରିଥିଲା ବନବିଭାଗକୁ । ତେବେ ପୁଣି ଥରେ ବାଘ ବାହାରିବା କଥା ଜଣାପଡିବା ପରେ ଚିନ୍ତାରେ ଲୋକ । ବାଘକୁ କେଉଁଠାରେ ଦେଖାଯାଇଥିଲା ଓ ପ୍ରଥମେ କିଏ ଦେଖିଥିଲେ ତାହାର ଅନୁସନ୍ଧାନ ଜାରି ରହିଛି । ସେପଟେ ବନବିଭାଗର ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି । ବର୍ତମାନ ମିଳିଥିବା ସୂଚନା ଅନୁସାରେ, ବନ ବିଭାଗ ବାଘର ପାଦ ଚିହ୍ନକୁ ଚିହ୍ନଟ କରିଛନ୍ତି ।