କନକ ବ୍ୟୁରୋ: ସରିଛି ଦଶହରା । ଆଜି ମା’ଙ୍କ ବିଦାୟୀ ପର୍ବ । ଶାରଦୀୟ ଦଶହରା ପାଇଁ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଥିବା ପୂଜା ମଣ୍ଡପ ପୁଣି ଖାଲି ଖାଲି ଲାଗୁଛି । ମାଆଙ୍କ ଧରାବତରଣ ପାଇଁ ପୁଣି ଅପେକ୍ଷା ଆରବର୍ଷକୁ । ମେଲାଣି ନେଉଛନ୍ତି ମା’ ଜଗତଜନନୀ । ଦୁଗାପୂଜା ଭସାଣୀ ନେଇ କଟକରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ପୁଲିସ୍, ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ଭସାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସହରର ବିଭିନ୍ନ ସ୍ଥାନରେ ପୁଲିସର ୪୦ଟି ଆଉଟପୋଷ୍ଟ କରାଯାଇଛି ।
ଏହାସହ ଭିଡ଼ ଭିତରେ ବିଶୃଙ୍ଖଳା ରୋକିବାକୁ ୨ଟି ରାପିଡ ଆକ୍ସନ ଫୋର୍ସ ସମେତ ୫୭ ପ୍ଲାଟୁନ ପୋଲିସ୍ ଫୋର୍ସ ସହରରେ ମୁତୟନ ହୋଇଛନ୍ତି । ଏହାସହ ଭିଡ଼ ଭିତରେ ପକେଟମାର, ଚେନ୍ ଲୁଟେରାଙ୍କ ଉପରେ ନଜର ରଖିବାକୁ ସାଦା ପୋଷାକଧାରୀ ପୁଲିସ୍ କର୍ମଚାରୀ ମୁତୟନ ହୋଇଛନ୍ତି । ଏସବୁ ବ୍ୟବସ୍ଥାକୁ ନିଜେ ଡିସିପି ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରୁଛନ୍ତି । ଭସାଣ ଉତ୍ସବ ପାଇଁ ଦିନ ୧୧ଟାରୁ ସହରରେ ଟ୍ରାଫିକ କଟକଣା ଜାରି କରାଯାଇଛି ମୂର୍ତିମାନଙ୍କ ବିସର୍ଜନ ପାଇଁ ଦେବୀଗଡ଼ାରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଛି । ସହରର ସମସ୍ତ ମେଢ଼ ବିଭିନ୍ନ ସାହି ପରିକ୍ରମା କରି ଗୌରୀଶଙ୍କର ପାର୍କ ସାମ୍ନା ରାସ୍ତା ଦେଇ ଦେବୀଗଡ଼ାକୁ ଯିବାର ବ୍ୟବସ୍ଥା କରାଯାଇଛି ।
ସେହିଭଳି ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଆରମ୍ଭ ହୋଇଛି ମହାମାୟାଙ୍କ ଭସାଣି ଯାତ୍ରା । ରାଜଧାନୀର ୩ଟି ସ୍ଥାନରେ ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରଯାଇଛି । ତେବେ ଭୁବନେଶ୍ୱରରେ ୩ଟି ସ୍ଥାନରେ ନୟାପଲ୍ଲୀ, ସହିଦନଗର ଏବଂ ଚନ୍ଦ୍ରଶେଖରପୁର ଆରଟିଓ ପଡିଆରେ ମୂର୍ତ୍ତି ଏକାଠି ହେବା ପରେ ଭସାଣ ଉତ୍ସବ ଆରମ୍ଭ ହୋଇଛି ।