ବାତ୍ୟା ନେଇ ତାଜା ସୂଚନା। ୪ ଜିଲ୍ଲାରେ ବର୍ଷା ସହ ଅଧିକ ରହିବ ପବନର ବେଗ। ଆଜି ରାତିରୁ କାଲି ରାତି ଯାଏଁ ନିର୍ଦ୍ଧୁମ ଛେଚିବ। ୧୨ ଘଣ୍ଟା ଯାଏଁ ୭୦ରୁ ୮୦ କିମି ରହିବ ପବନର ବେଗ

ଫନି ଠାରୁ ବାତ୍ୟା ବୁଲବୁଲର ପ୍ରଭାବ କମ ରହିବ; ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ 'ବୁଲବୁଲ'

3,914

କନକ ବ୍ୟୁରୋ: ସତର୍କ ରହିବାକୁ ଚାରିଟି ଜିଲ୍ଳାକୁ ଆଂଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ । ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଳାକୁ ସତର୍କ ରହିବାକୁ କୁହାଯାଇଛି । ଏହି ୪ ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ତେବେ ସନ୍ଧ୍ୟା ବେଳକୁ ବର୍ଷା ଓ ପବନର ବେଗ ବଢ଼ିବା ସହ ଆଗାମୀ ୧୨ ଘଂଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ଘଂଟା ପ୍ରତି ୭୦ରୁ ୮୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ପବନ ବହିବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ ।

ବାତ୍ୟା ବୁଲବୁଲ ପ୍ରଭାବରେ ପୁରୀ, ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ବିଶେଷ କରି ୪ଟି ଜିଲ୍ଲାରେ ତଥା ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ଆଜି ରାତିରୁ କାଲି ରାତି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ଘଂଟା ପ୍ରତି ୭୦ରୁ ୯୦ କିଲୋମିଟର ବେଗରେ ପବନ ବହିବା ନେଇ କହିଛି ପାଣିପାଗ କେନ୍ଦ୍ର ।

ତେବେ ଫନିଠାରୁ ବାତ୍ୟା ବୁଲବୁଲର ପ୍ରଭାବ କମ ରହିବ ବୋଲି କହିଛି ପାଣିପାଗ ବିଭାଗ । ସୁନ୍ଦରବନର ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ । ତେବେ ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ । ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କଲା ପାଣିପାଗ ବିଭାଗ ।