ଘର, ମଠ ଓ ମନ୍ଦିର ମୁକ୍ତ ହେବ ଶ୍ରୀମନ୍ଦିର ଚାରିପାଖ । ମେଘନାଦ ପାଚେରୀ ପାର୍ଶ୍ବରୁ ହଟିବ ଜବରଦଖଲ

ପ୍ରଥମ ପର୍ଯ୍ୟାୟରେ ସରକାରୀ ଅଫିସ ପରେ ବେସରକାରୀ ନିର୍ମାଣ ହଟାଇବ ପ୍ରଶାସନ

306

କନକ ବ୍ୟୁରୋ: ସକାଳୁ ସକାଳୁ ପୁରୀରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ଶ୍ରୀମନ୍ଦିର ଚତୁପାଶ୍ୱର୍ରୁ ଜବରଦଖଲ ହଟାଇବାକୁ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ । ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଓ ଘରୋଇ କୋଠା ସହ ବେଆଇନ ଦୋକାନ ଗୃହଗୁଡିକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଭଂଗାଯିବ । ପରେ ଅନ୍ୟ ଘର ସବୁ ଭଂଗାଯିବ । ଆଜି ଶ୍ରୀମନ୍ଦିର ଚାରିପାଖରେ ୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଉତ୍ତେଜନା ଆଶଙ୍କାରେ ୨୪ ପ୍ଲାଟୁନ୍ ଫୋର୍ସକୁ ସଜାଗ ରଖାଯାଇଛି ।

ଆଜିର ଉଚ୍ଛେଦ ପ୍ରକ୍ରିୟାରେ ମାଜିଷ୍ଟ୍ରଟ୍, ଜିଲ୍ଲାପାଳ, ଏସପିଙ୍କ ସମେତ ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛନ୍ତି । ପୂର୍ବରୁ ମେଘନାଦ ପାଚେରୀକୁ ଲାଗିରହିଥିବା ସରକାରୀ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସିଂହଦ୍ୱାର ସାମ୍ନାରେ ଥିବା ଫାଣ୍ଡିକୁ ମଧ୍ୟ ଘୁଂଚାଇ ଦିଆଯାଇଛି । ସିଂହଦ୍ୱାର ଓ ଉତରଦ୍ୱାର ମଝିରେ ରହିଥିବା ଦୁଇଟି ଜୋତା ଷ୍ଟାଣ୍ଡ, ମୋବାଇଲ୍ ଷ୍ଟାଣ୍ଡ ଓ ଦିବ୍ୟାଙ୍ଗ ରାମ୍ପକୁ ବଡଦାଣ୍ଡ ବ୍ୟାରିକେଡ୍ ଭିତରକୁ ଅସ୍ଥାୟୀ ଭାବେ ଉଠାଇ ନିଆଯାଇଛି ।

ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ କାର୍ଯ୍ୟାଳୟ ସବୁକୁ ଅସ୍ଥାୟୀ ଭାବେ ଚଲାଇବା ପାଇଁ ଲୁହାର ୪ଟି ବଡ ବଡ କଂଟେନର ସିଂହଦ୍ୱାର ସମ୍ମୁଖରେ ରଖାଯାଇଛି । ଉଚ୍ଛେଦ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି । ମେଘନାଦ ପାଚେରୀକୁ ଜବରଦଖଲ ମୁକ୍ତ ଅଭିଯାନ ଶେଷ ହେବା ପରେ କ୍ୟାବିନେଟ୍ ନିଷ୍ପତି ଅନୁଯାୟୀ ୭୫ ମିଟର ଓସାରରେ ଶ୍ରୀମନ୍ଦିର ଚାରିପାଖକୁ ଘର, ମଠ ଓ ମନ୍ଦିର ମୁକ୍ତ କରାଯିବ ।