ପଥର ମାଫିଆଙ୍କ ଦାଦାଗିରି : ପାୱାର ଟିଲର୍ ଚଢାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ

51

କନକ ବ୍ୟୁରୋ : ଦିନ ଦ୍ୱିପ୍ରହରରେ ତହସିଲଦାରଙ୍କୁ ମାରିବାକୁ ଉଦ୍ୟମ । ବେଆଇନ ଖଣି କାର୍ୟ୍ୟ ବନ୍ଦ କରାଇବାକୁ ଯାଇଥିବା ବେଳେ ଟାଙ୍ଗୀ ତହସିଲଦାର ଆଶିଷ କୁମାର ଜେନା ପଥର ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ପଥର ମାଫିଆମାନେ ତାଙ୍କ ଡାହାଣ ଗୋଡ଼ ଉପରେ ଏକ ପାୱାର ଟିଲର୍ ମଡ଼ାଇ ଦେବାରୁ ସେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ତେବେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଉଥିବା ଜାଣିପାରି ତହସିଲଦାର ଶ୍ରୀ ଜେନା ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇ ଜୀନନ ବଞ୍ଚାଇଥିଲେ । ଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଚିକିତ୍ସା କରାଯାଉଛି। ସେହିପରି ତାଙ୍କ ସହ ଏହି ଚଢ଼ଉରେ ସାମିଲ ଥିବା ଅନ୍ୟ ୩ ତହସିଲ କର୍ମଚାରୀମାନଙ୍କୁ ମଧ୍ୟ ପଥର ମାଫିଆଙ୍କ ଗୋଡ଼େଇ ଗୋଡ଼େଇ ପିଟିବାରୁ ସେମାନେ ଆହତ ହୋଇଛନ୍ତି। ଏନେଇ ଥାନାୋର ଅଭିଯୋଗ ପରେ ମୋଟ ୨୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ତହସିଲଦାର ଶ୍ରୀ ଜେନା ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ପାତ୍ରପଡ଼ା ଖଣିରେ ସଦଳବଳେ ଚଢ଼ଉ କରିଥିଲେ। ଖଣି ଭିତରେ ଥିବା ମାଙ୍କଡ଼ା ପଥର ବୋଝେଇ ଟ୍ରକ୍, ଟ୍ରାକ୍ଟର୍, ଜେସିବି ଓ ପାୱାର୍ ଟିଲରକୁ ଜବତ କରିବାକୁ ତହସିଲଦାର ଓ ତାଙ୍କ ସହଯୋଗୀମାନେ ଉଦ୍ୟମ କରିବା ସମୟରେ ପଥରମାଫିଆମାନେ ତାଙ୍କୁ ଆକ୍ରମଣ କରିଥିଲେ। ସେଠାରେ ପଥରକଟାରେ କାର୍ୟ୍ୟରତ ପ୍ରାୟ ୨୦ରୁ ଊର୍ଧ୍ୱ ବ୍ୟକ୍ତି ତହସିଲଦାରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ନିକଟରେ ଥିବା ଏକ ପାୱାରଟିଲର୍କୁ ସେମାନେ ତହସିଲଦାରଙ୍କ ଉପରକୁ ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପ୍ରାଣ ବିକଳରେ ସେ ମାଫିଆଙ୍କ କବଳରୁ ଖସି ଯାଇଥିଲେ।