ନିର୍ବାଚନୀ ଋତୁରେ ଅବକାରୀ ବିଭାଗ-ପୋଲିସର ଚଢାଉ । ଜବତ ହେଲାଣି ୪ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ମଦ 

404
କନକ ବ୍ୟୁରୋ : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁରୁଖୁରରେ ଶେଷ ହୋଇଛି । ଶେଷ ବା ଚତୁର୍ଥ ପର୍ଯ୍ୟାୟରେ କେବଳ ପାଟକୁରାକୁ ଛାଡିଦେଇ ୬ ଲୋକସଭା ଓ ଏହା ଅଧୀନରେ ଥିବା ବିଧାନସଭା ଆସନରେ ଭୋଟଗ୍ରହଣ ଆସନ୍ତା ୨୯ ତାରିଖରେ ହେବାକୁ ଯାଉଛି । ଏସବୁ ଭିତରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ଜୋରସୋରରେ ଉଦ୍ୟମ ଜାରି ରହିଛି ।
ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ ହଜାର ୨୧୯ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ  ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୪ ହଜାର ୧୫୭ ଜଣଙ୍କୁ ଅଟକ ରଖାଯାଇଛି । ୫ ହଜାର ୪୯୫ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୨୪୯ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୬୩.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ୍ ସହାୟତାରେ ପ୍ରାୟ ୧୫୬୪୫୬.୯୨୩  ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୪କୋଟି ୦୯ ଲକ୍ଷ ୨୬ ହଜାର ୮୩୪ ଟଙ୍କା ।
ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୫୧ ଲକ୍ଷ ୧୩ ହଜାର ୮୭୦ଟି ପୋଷ୍ଟର, ହୋଡିଂ ଆଦିକୁ ହଟାଇ ଦିଆଯାଇଛି । ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୩ ଲକ୍ଷ ୮୯ ହଜାର ୭୯୮ ହୋଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି ।
ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ୍ ନଂ ୦୬୭୪-୨୩୯୫୦୧୫କୁ ଆଜି ସୁଦ୍ଧା ୧୨୩୯ଟି କଲ୍ ଏବଂ ଭୋଟର ହେଲ୍ପଲାଇନ୍ ନମ୍ବର ୧୯୫୦କୁ ୧୭ ହଜାର ୦୮୨ଟି କଲ୍ ମିଳିଥିବା ବେଳେ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ଗ୍ରହଣ କରାଯାଇ ଆବଶ୍ୟକ ପଦକ୍ଷେପ ସହ ସୂଚନା ପ୍ରଦାନ କରାଯାଇଛି।